କରାନା ଭୂତାଣୁ ସଂକ୍ରମଣରେ,୨୧ ବର୍ଷୀୟ ସ୍ପେନ୍‌ ଫୁଟ୍‌ବଲ୍‌ ପ୍ରଶିକ୍ଷକ ମୃତ

ମାଡ୍ରିଡ୍‌ ସ୍ପେନ୍‌ ଫୁଟ୍‌ବଲ୍‌ ପ୍ରଶିକ୍ଷକ ଫ୍ରାନସିସ୍କୋ ଗାର୍ସିଆ କରାନା ଭୂତାଣୁ ସଂକ୍ରମିତ ହେବା ପରେ ପ୍ରାଣ ହରାଇଛନ୍ତି। ମାଲଗା କ୍ଲବ୍‌ ଆଟଲେଟିକୋ ପୋର୍ଟାଡା ଅଲଟା ଯୁବ ଦଳର ପ୍ରଶିକ୍ଷକ ଥିବା ଫ୍ରାନ୍‌ସିସ୍କୋଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଥିଲା। କରୋନା ଭୂତାଣୁ ସଂକ୍ରମଣ ପରେ ସେ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କର୍କଟ ରୋଗ ଚିହ୍ନଟ ହୋଇଥିଲା। ଆଟ୍‌ଲେଟିକୋ ପୋର୍ଟାଡା ଅଲଟାର ଯୁବ ଦଳ ସହିତ ଗାର୍ସିଆ ୨୦୧୬ ମସିହାରୁ କାମ କରୁଥିଲେ। ଏତେ ସ୍ବଳ୍ପ ବୟସରେ ଅସୁସ୍ଥ ହେବାରେ ସେ ସମ୍ପୃକ୍ତ ଅଞ୍ଚଳରେ ସର୍ବକନିଷ୍ଠ ଥିଲେ। ଗାର୍ସିଆଙ୍କ ପରଲୋକ ସମ୍ପର୍କିତ ଖବରକୁ କ୍ଲବ୍‌ ଏହାର ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ିବା ପରେ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ‘ଦୁର୍ଭାଗ୍ୟଜନକ ଭାବେ ଫ୍ରାନସିସ୍କୋ ଗାର୍ସିଆ ଯେଭଳି ଆମକୁ ଛାଡ଼ିଗଲେ ତାଙ୍କ ପରିବାର, ବଂଧୁ ଏବଂ ଅନ୍ତରଙ୍ଗଙ୍କ ପ୍ରତି ଆମେ ଗମ୍ଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ’ ବୋଲି କ୍ଲବ୍‌ ପକ୍ଷରୁ ପ୍ରଦତ୍ତ ବିବୃତ୍ତିରେ କୁହାଯାଇଛି। ତୁମ ବିନା ଆମେ ଲିଗ୍‌ରେ କିଭଳି ଏତେ କିଲୋମିଟର୍‌ ଯାତ୍ରା କରିବୁ? ଆମେ ଜାଣି ନାହୁଁ କିଭଳି କରିବୁ, କିନ୍ତୁ ନିଶ୍ଚିତ ତୁମ ପାଇଁ କିଛି କରିବୁ’ ବୋଲି ବିବୃତ୍ତିରେ ଉଲ୍ଲେଖ ରହିଛି।
ଗତ ସପ୍ତାହରେ ଗାର୍ସିଆ କରୋନା ଭୂତାଣୁ ଆକ୍ରାନ୍ତ ଥିବା ପିଜିଟିଭ ରିପୋର୍ଟ ଆସିଥିଲା। ଏହା ପୂର୍ବରୁ ସେ ଲୁକେମିଆରେ ମଧ୍ୟ ପୀଡ଼ିତ ଥିଲେ। ସୂଚନାଯୋଗ୍ୟ, ସ୍ପାନିସ୍ ଫୁଟ୍‌ବଲ୍‌ର ସମସ୍ତ ପ୍ରମୁଖ ଲିଗ୍‌ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ବିଶ୍ବର ଅନ୍ୟ ସମସ୍ତ ପ୍ରମୁଖ ଫୁଟ୍‌ବଲ୍ ପ୍ରତିଯୋଗିତା ଲା-ଲିଗା, ପ୍ରିମିୟର୍‌ ଲିଗ୍‌, ଚାମ୍ପିଅନ୍ସ ଲିଗ୍‌, ସିରି ଏ ପ୍ରମୁଖ ମଧ୍ୟ କ‌ରୋନା ଭୂତାଣୁ କାରଣରୁ ନିଲମ୍ବିତ ରହିଛି।

ସମ୍ବନ୍ଧିତ ଖବର