ଅର୍ଜୁନ ପୁରସ୍କାର ପାଇଁ ପୁଣି ପଙ୍ଗଲଙ୍କ ନାମ ସୁପାରିସ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ଏବଂ ଏସୀୟ ପ୍ରତିଯୋଗିତାର ସ୍ବର୍ଣ୍ଣ ପଦକ ବିଜେତା ଅମିତ ପଙ୍ଗଲଙ୍କ ନାମ ପୁଣି ଥରେ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ (ବିଏଫ୍‌ଆଇ) ଗତବର୍ଷ ମଧ୍ୟ ଅମିତଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିସ କରିଥିଲା। ହେଲେ ୨୦୧୨ରେ ଡୋପ୍‌ ପରୀକ୍ଷାରେ ବିଫଳତା ପାଇଁ ଗୋଟିଏ ବର୍ଷ ବା‌ସନ୍ଦାଦେଶ ପାଇଥିବା କାରଣରୁ ତାଙ୍କ ନାମ ବିଚାରକୁ ନିଆଯାଇନଥିଲା। ହେଲେ ଜାକର୍ତା ଏସିଆଡ୍‌ ଫାଇନାଲ୍‌ରେ ଅମିତ ୪୯ କେଜି ଲାଇଟ୍‌ ଫ୍ଲାଇୱେଟ୍‌ ବର୍ଗରେ ଅଲିମ୍ପିକ୍ ବିଜେତା ଉଜ୍‌ବେକିସ୍ତାନର ହାସନ୍‌ବୟ ଦୁସ୍‌ମା‌ତୋଭ୍‌ଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିବା ପରେ ପୁଣି ଥରେ ବିଏଫ୍‌ଆଇ ତାଙ୍କ ନାମ ଦ୍ବିତୀୟ ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର (ଅର୍ଜୁନ) ପାଇଁ ସୁପାରିସ କରିଛି। ଆମେ ପୁଣି ଥରେ ଅମିତଙ୍କ ନାମ ସୁପାରିସ କରିଛୁ। ଆଉ ଏଥର ତାଙ୍କ ନାମ ନିଶ୍ଚିତ ବିଚାରକୁ ନିଆଯିବ ବୋଲି ବିଏଫ୍‌ଆଇ ସଭାପତି ଅଜୟ ସିଂହ ଏକ ସମ୍ବର୍ଧନା ଉତ୍ସବ ଅବସରରେ ଆଶା ପ୍ରକାଶ କରିଛନ୍ତି। ଏବେ ଅମିତ ୫୨ କେଜି ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରି ମଧ୍ୟ ଏସୀୟ ପ୍ରତିଯୋଗିତା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଭଳି ସଫଳତା ପାଇଁ ଏଥର ନିଶ୍ଚିତ ଅର୍ଜୁନ ପୁରସ୍କାର ପାଇବେ ବୋଲି ନିଜେ ଅମିତ ମଧ୍ୟ ଦୃଢ଼ ଆଶା ବାନ୍ଧିଛନ୍ତି।
ଅମିତ୍‌ଙ୍କ ବ୍ୟତୀତ ବିଏଫ୍‌ଆଇ ମଧ୍ୟ ପୁଣିଥରେ ୨୦୧୭ ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ଜିତିଥିବା ଗୌରବ ବିଧୁରୀଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ବିଧୁରୀ ନିକଟରେ ଜାତୀୟ ପ୍ରତିଯୋଗିତାରେ ରୌପ୍ୟ ଜିତିଥିଲା ବେଳେ ୨୦୧୭ ହାମ୍ବର୍ଗ ବିଶ୍ବ ପ୍ରତିଯୋଗିତାରେ ଏକମାତ୍ର ଭାରତୀୟ ଭାବେ ପଦକ ଜିତିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ମହିଳା ସହକାରୀ ପ୍ରଶିକ୍ଷକ ସଂଧ୍ୟା ଗୁରୁଙ୍ଗ୍‌ ଏବଂ ପୂର୍ବତନ ମହିଳା ମୁଖ୍ୟ ପ୍ରଶିକ୍ଷକ ଶିବ ସିଂହଙ୍କ ନାମକୁ ବିଏଫ୍‌ଆଇ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ କରିଛି।

ସମ୍ବନ୍ଧିତ ଖବର