ମୁମ୍ବାଇ,: ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ନିକଟରେ ୱେଷ୍ଟଇଣ୍ଡିଜ୍କୁ ୩-୦ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ପରାସ୍ତ ପରେ ଆତ୍ମବିଶ୍ବାସ ଦୃଢ଼ କରିଥିବା ଭାରତୀୟ ଧଳା ବଲ୍ ଦଳ ଅଷ୍ଟ୍ରେଲିଆ ଗସ୍ତ ପାଇଁ ପୂରା ପ୍ରସ୍ତୁତ ବୋଲି କହିଛନ୍ତି ରୋହିତ ଶର୍ମା। ରବିବାର ଶିଖର ଧାୱନ୍ ଓ ଋଷଭ ପନ୍ତ୍ଙ୍କ ମ୍ୟାଚ୍ ବିଜୟୀ ଅର୍ଧଶତକ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରେ କମଚଳା ଅଧିନାୟକ ଦାୟିତ୍ବ ତୁଲାଇଥିବା ରୋହିତ ଦଳର ଆତ୍ମବିଶ୍ବାସ ଖୁବ୍ ଉଚ୍ଚରେ ରହିଛି ଏବଂ ଅଷ୍ଟ୍ରେଲିଆକୁ ତା’ ମାଟିରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କଡ଼ା ଟକ୍କର ଦେବୁ ବୋଲି କହିଛନ୍ତି। ଗୁରୁତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଆମ ଖେଳାଳିମାନେ ବଡ଼ ସ୍କୋର୍ କରିପାରିବା ହିଁ ଗୁରୁତ୍ବପୂର୍ଣ୍ଣ ରହିଛି। ଧାୱନ୍ ମଧ୍ୟ ଦିନିକିଆରେ ଭଲ ବ୍ୟାଟିଂ କରିଥିଲେ। ସେ ବଡ଼ ସ୍କୋର୍ କରିପାରିନଥିଲେ ମଧ୍ୟ ୩୦, ୪୦ ରନ୍ କରିଥିଲେ। ହେଲେ ଧାୱନ୍ଙ୍କ ରବିବାରର ମ୍ୟାଚ୍ ବିଜୟୀ ପାଳି ପାଇଁ ମୁଁ ଖୁବ୍ ଖୁସୀ। ପନ୍ତ୍ ମଧ୍ୟ ରନ୍ କରିବା ପାଇଁ କ୍ଷୁଧିତ ଅଛନ୍ତି। ହେଲେ ତୁମେ ଯେତେବେଳେ ଗୋଟିଏ ଶୃଙ୍ଖଲା ଯିତିଯାଅ ସେତେବେଳେ ଆତ୍ମବିଶ୍ବାସ ବଢିଯାଏ। ଅଷ୍ଟ୍ରେଲିଆରେ ଏକ ଭିନ୍ନ ବଲ୍ର ମ୍ୟାଚ୍ ହେବ। ତେବେ ମୁଁ ତାକୁ ଭଲଭାବେ ବୁଝିସାରିଛି। ମାତ୍ର ଆମେ ଦଳଗତ ଭାବେ ପ୍ରଦର୍ଶନ ଦେଇପାରିଲେ, ଅଷ୍ଟ୍ରେଲିଆକୁ କଡ଼ା ଆହ୍ବାନ ଦେଇପାରିବୁ ବୋଲି ରୋହିତ କହିଛନ୍ତି। ଏପରିକି ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିବୁ ବୋଲି ରୋହିତ ଦୃଢ଼ୋକ୍ତି ପ୍ରକଟ କରିଛନ୍ତି। ଗତ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ଆମର କ୍ଷେତ୍ରରକ୍ଷଣ ଉଚ୍ଚକୋଟୀର ଥିଲା, ଯାହାକି ଅଷ୍ଟ୍ରେଲିଆରେ ଜାରି ରହିବ ବୋଲି ରୋହିତ ଆଶା ରଖିଛନ୍ତି।
ଭାରତ ପୁଣି ଥରେ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟତୀତ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ତେବେ ରୋହିତ ମଧ୍ୟ ୱିକେଟ୍ରକ୍ଷକ ଭାବେ ଦୀନେଶ କାର୍ତିକଙ୍କୁ ସମର୍ଥନ ଦେଇଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ବଢ଼ିଆ ୱିକେଟ୍ରକ୍ଷଣ କରିବା ସାଙ୍ଗକୁ ଆବଶ୍ୟକ ସ୍ଥଳେ ରନ୍ କରିଛନ୍ତି। ପୁଣି ମୁଁ ଆଇପିଏଲ୍ରେ କାର୍ତିକଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳିଛି। ଉଭୟ ପରସ୍ପରକୁ ଭଲ ଭାବେ ବୁଝିଛୁ। ୱିକେଟ୍ ପଛରେ ତାଙ୍କର ଚିନ୍ତାଧାରା ଉଚ୍ଚକୋଟୀର ବୋଲି ରୋହିତ କହିଛନ୍ତି। କାର୍ତିକ ମଧ୍ୟ ଜଣେ ଉନ୍ନତ କ୍ଷେତ୍ରରକ୍ଷକ। ସେ ପୁଣି ଆଇପିଏଲ୍ କୋଲ୍କାତା ନାଇଟ୍ ରାଇଡର୍ସର ଅଧିନାୟକ। ଯଦି ବି ସେ ୱିକେଟ୍ରକ୍ଷଣରେ ବିଫଳ ହୁଅନ୍ତି, ତଥାପି ଆମ ପାଖରେ ପନ୍ତ୍ ଓ ଲୋକେଶ ରାହୁଲ୍ଙ୍କ ରୂପରେ ଆଉ ଦୁଇ ଜଣ ସେହି ଦାୟିତ୍ବ ଚଳାଇବାକୁ ରହିଛନ୍ତି।
ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ଭାରତ ମଧ୍ୟ କ୍ରୁନାଲ ପାଣ୍ଡ୍ୟାଙ୍କୁ ସୁଯୋଗ ଦେଇଥିଲା। ସେ ଜଣେ ସାହସୀ କ୍ରିକେଟର୍। ଯେକୌଣସି ବ୍ୟାଟ୍ସମ୍ୟାନ୍ (ବାମହାତୀ ବା ଡାହାଣହାତୀ)ଙ୍କୁ ବୋଲିଂ କରିବାକୁ ଭୟ କରନ୍ତିନି। ଆଇପିଏଲ୍ ଖେଳିବା ବେଳେ ତାଙ୍କଠାରେ ଆମେ ଏହା ଦେଖିଛୁ। ଭାରତ ପାଇଁ ବହୁବର୍ଷ ଧରି ଖେଳିବା ନେଇ ତାଙ୍କଠାରେ ସାମର୍ଥ୍ୟ ରହିଛି। ସେ ଯେଭଳି ନିର୍ଭୟରେ ବଡ଼ ବଡ଼ ସଟ୍ ଖେଳନ୍ତି, ତାହା ଦେଖିଲେ ତାଙ୍କ ଭାଇ (ହାର୍ଦିକ୍)ଙ୍କ କଥା ମନେପଡେ। ତେବେ କେବଳ ଜଣେ ଦୁଇ ଜଣ ନୁହେଁ, ଆମ ଦଳର ସମସ୍ତ ଖେଳାଳିଙ୍କ ନିକଟରେ ଭିନ୍ନ ଭିନ୍ନ ସ୍ବଭାବ ରହିଛି, ଯାହାକି କ୍ରିକେଟ୍ ପାଇଁ ଅନୁକୁଳ ବୋଲି ରୋହିତ କହିଛନ୍ତି।
ଶେଷରେ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ଖେଳିବାର ଆଶାକୁ ପ୍ରକାଶ କରିଛନ୍ତି ରୋହିତ। ଚୂଡାନ୍ତ ଟେଷ୍ଟ ଏକାଦଶ ଦଳରେ ସ୍ଥାନ ପାଇବା ନେଇ ସେ ଆଶାବାଦୀ ରହିଛନ୍ତି। ତେବେ ମୁଁ ଟେଷ୍ଟ କଥା ଏବେ ଭାବୁନି। ଆରମ୍ଭରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ଥିବାରୁ ଆମେ ତା ଉପରେ ଜୋର୍ ଦେବୁ। ଯଦି ଭଲ ଖେଳିଲି, ତେବେ ଟେଷ୍ଟ ଦଳରେ ସ୍ଥାନ ପାଇବା ପାଇଁ ହକ୍ଦାର ହେବି ବୋଲି ରୋହିତ କହିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଭାରତ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଚଳିତ ମାସ ୨୧ ତାରିଖ ଦିନ ଗାବାରେ ଖେଳିବ। ଏହାପରେ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଖେଳିବା ପାଇଁ ଭ୍ରମଣକାରୀ ଦଳ ମେଲ୍ବର୍ନ ଓ ସିଡ୍ନି ଯିବ। ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଉପରେ ନଜର ପକାଇବ। ଶେଷରେ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳି ଆସନ୍ତାବର୍ଷ ଜାନୁଆରି ୧୮ ତାରିଖରେ ଗସ୍ତ ଶେଷ କରିବ।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତ ପ୍ରସ୍ତୁତ: ରୋହିତ
/sambad/media/post_attachments/wp-content/uploads/2018/11/rohit-2.jpg)