ଦୁବାଇ: ଭାରତୀୟ ପୁରୁଷ କ୍ରିକେଟର୍ ଶ୍ରେୟସ ଆୟରଙ୍କ ବ୍ୟତୀତ ମହିଳା ଦଳର ଅଧିନାୟିକା ମିତାଲି ରାଜ ଏବଂ ଅଲ୍ରାଉଣ୍ଡର ଦୀପ୍ତି ଶର୍ମାଙ୍କ ନାମ ସେମାନଙ୍କ ପ୍ରଦର୍ଶନ ଆଧାରରେ ଆଇସିସି ଦ୍ବାରା ଫେବ୍ରୁଆରି ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ବୁଧବାର ସୁପାରିସ କରାଯାଇଛି। ଏହି ପୁରସ୍କାର ତାଲିକାର ପୁରୁଷ ବର୍ଗରେ ୟୁଏଇ ବ୍ୟାଟର୍ ଭ୍ରିତ୍ୟା ଅରବିନ୍ଦ ଏବଂ ନେପାଳର ଦୀପେନ୍ଦ୍ର ସିଂହ ଆଇରେ ଏବଂ ମହିଳା ବର୍ଗରେ ଦୁଇ ଭାରତୀୟଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡ୍ ଅଲ୍ରାଉଣ୍ଡର ଆମେଲିଆ କେର୍ ରହିଛନ୍ତି। ଶ୍ରେୟସ ଆୟର ଫେବ୍ରୁଆରିରେ ଅଦମନୀୟ ରହିଥିଲେ। ଧଳା ବଲ୍ରେ ସେ ଭାରତ ପାଇଁ ମହତ୍ବପୂର୍ଣ୍ଣ ଅବଦାନ ରଖିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାର ଶେଷ ଦିନିକିଆରେ ମ୍ୟାଚ୍ ବିଜୟୀ ୮୦ ରନ୍ରୁ ମାସ ଆରମ୍ଭ କରିଥିବା ଶ୍ରେୟସ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଶୃଙ୍ଖଳାରେ ମଧ୍ୟ ଚମକ ଛାଡ଼ିଥିଲେ। ସେ ଏହି ଶୃଙ୍ଖଳାର ତିନି ମ୍ୟାଚ୍ରେ କ୍ରମାଗତ ଅପରାଜିତ ଅର୍ଦ୍ଧଶତକ ସହ ମୋଟ ୨୦୪ ରନ୍ କରିଥିଲେ। ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୭୪.୩୫ ଥିଲା ବେଳେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଅନ୍ୟପକ୍ଷରେ ମିତାଲି ନ୍ୟୁଜିଲାଣ୍ଡ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ପାଇଁ ସର୍ବାଧିକ ସ୍କୋରର୍ ରହିଥିଲେ। ତିନି ଅର୍ଦ୍ଧଶତକ ଜରିଆରେ ମୋଟ ୨୩୨ ରନ୍ କରି ଶୃଙ୍ଖଳାରେ ଉଭୟ ଦଳ ପକ୍ଷରୁ ଦ୍ବିତୀୟ ସର୍ବୋଚ୍ଚ ସ୍କୋରର୍ ହୋଇଥିଲେ। ତାଙ୍କ ହାରାହାରି ୭୭.୩୩ ଏବଂ ଷ୍ଟ୍ରାଇକ୍ ରେଟ୍ ୮୨.୫୬ ଥିଲା। ଶେଷ ଦିନିକିଆରେ ଅପରାଜିତ ୫୪ ରନ୍ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଅଲ୍ରାଉଣ୍ଡର ଦୀପ୍ତି ସେହି ଶୃଙ୍ଖଳାରେ ଉଭୟ ବ୍ୟାଟ୍ ଓ ବଲ୍ରେ କମାଲ ଦେଖାଇଥିଲେ। ସେ ମୋଟ ୧୦ ୱିକେଟ୍ ଅକ୍ତିଆର କରିଥିଲା ବେଳେ ୧୧୬ ରନ୍ କରିଥିଲେ। ଦ୍ବିତୀୟ ମ୍ୟାଚ୍ରେ ୪ ୱିକେଟ୍ ନେବା ପରେ ପରବର୍ତୀ ମ୍ୟାଚ୍ରେ ଅପରାଜିତ ୬୯ ରନ୍ କରିଥିଲେ।