କ୍ରିକେଟ୍ ପାଇଁ କାର୍‌ରେ ସିଙ୍ଗାପୁରରୁ ଇଂଲଣ୍ଡ

ଲଣ୍ଡନ: ଭାରତୀୟ କ୍ରିକେଟ୍ ଦଳର ମ୍ୟାଚ୍ ଦେଖିବା ଲାଗି ଏକ ପରିବାର ନିଜ ଘରୋଇ କାର୍‌ରେ ସିଙ୍ଗାପୁରରୁ ଲଣ୍ଡନ ଯାତ୍ରା କରିବା ଏବେ ବିଶ୍ବକପ୍‌ର ମୁଖ୍ୟ ଚର୍ଚାର ବିଷୟ ହୋଇଛି। ଦେଢ଼ ମାସରୁ ଅଧିକ ଦିନ ଧରି କରିଥିବା ଏହି ସ୍ମରଣୀୟ ସଡ଼କ ଯାତ୍ରାରେ ଏହି ପରିବାର ୧୭ ଦେଶ ଓ ଦୁଇଟି ମହାଦେଶ ଦେଇ ପାଖାପାଖି ୧୪,୦୦୦ ମାଇଲ୍ ପଥ ଅତିକ୍ରମ କରିଥିଲେ। ଏହି ଯାତ୍ରାରେ କ୍ରିକେଟ୍ ପାଗଳ ମାଥୁର ପରିବାରର ତିନି ପିଢ଼ିର କ୍ରିକେଟ୍ ପ୍ରେମୀ ସାମିଲ ଥିଲେ। ପରିବାରର ମୁଖିଆ ଅଖିଳେଶ ମାଥୁର, ତାଙ୍କ ପତ୍ନୀ, ପୁଅ-ବୋହୁ ଏବଂ ନାତୁଣି ଏକାଠି ଏହି ଯାତ୍ରା କରିଥିଲେ। ୪୮ ଦିନର ଯାତ୍ରା ପରେ ସେମାନେ ଗତ ଗୁରୁବାର ରାତିରେ ଲଣ୍ଡନ ପହଞ୍ଚିଥିଲେ।

ଶନିବାର ସେମାନେ ଭାରତର ଶ୍ରୀଲଙ୍କା ବିପକ୍ଷ ବିଜୟକୁ ଉପଭୋଗ କରିଥିଲେ। ସେମାନଙ୍କ ଲକ୍ଷ୍ୟ ଥିଲା ଭାରତ ଲର୍ଡସରେ ବିଶ୍ବକପ୍ ତୋଳି ଧରିବାର ଦୃଶ୍ୟକୁ ଦେଖିବା। ବୁଧବାର ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରି ବିଦାୟ ନେବା ନେଇ ମାଥୁର ପରିବାର ଏବେ ବେଶ୍ ଦୁଃଖିତ। ସେହିଭଳି କ୍ରିକେଟ୍ ଜେଜେ ମା’ର ଆଖ୍ୟା ପାଇଥିବା ଭାରତୀୟ କ୍ରିକେଟ୍ ଦଳର ସୁପର ଫ୍ୟାନ୍ ଚାରୁଲତା ପଟେଲ ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଭକ୍ତ ସୁଧୀର ଗୌତମ ମଧ୍ୟ ଭାରତ ପରାଜୟ ନେଇ ପୂରା ନିରାଶ।

ସମ୍ବନ୍ଧିତ ଖବର