ମାଲେସିଆ ଗସ୍ତ ପାଇଁ ଦୀପ୍ଗ୍ରେସ୍ ଉପଅଧିନାୟିକା
ଲିଲିମା ମିଞ୍ଜ୍, ସୁନିତା ଲାକ୍ରା, ଦୀପ୍ଗ୍ରେସ୍ ଏକ୍କା, ରଶ୍ମିତା ମିଞ୍ଜ୍ :୧୮ ଜଣିଆ ଦଳରେ ୪ ଓଡ଼ିଆ
ନୂଆଦିଲ୍ଲୀ: ମାଲେସିଆ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ ହୋଇଛି। ଆସନ୍ତା ଏପ୍ରିଲ୍ ୪ରୁ ୧୧ ତାରିଖ ମଧ୍ୟରେ ଭାରତ କୁଆଲାଲୁମ୍ପୁରରେ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବ। ୪ ତାରିଖରେ ପ୍ରଥମ ମ୍ୟାଚ୍ ଖେଳିବା ପରେ ଭାରତ ୬, ୮, ୧୦ ଓ ୧୧ ତାରିଖରେ ପରବର୍ତୀ ୪ ମ୍ୟାଚ୍ ଖେଳି ମାଲେସିଆ ଗସ୍ତ ଶେଷ କରିବ। ଏହି ଗସ୍ତ ପାଇଁ ହକି ଇଣ୍ଡିଆ ଘୋଷଣା କରିଥିବା ୧୮ ଜଣିଆ ଭାରତୀୟ ଦଳରେ ୪ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ଦୀପ୍ଗ୍ରେସ୍ ଏକ୍କା, ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ୍ ଓ ଲିଲିମା ମିଞ୍ଜ୍। ନିୟମିତ ଅଧିନାୟିକା ରାଣୀଙ୍କ ଅନୁପସ୍ଥିତିରେ ପୁରୁଖା ଗୋଲ୍ରକ୍ଷିକା ସବିତାଙ୍କ ଉପରେ ନେତୃତ୍ବ ଭାର ଅର୍ପଣ କରାଯାଇଥିଲା ବେଳେ ଅଭିଜ୍ଞ ରକ୍ଷଣଭାଗ ଖେଳାଳି ଦୀପ୍ଗ୍ରେସ୍ ଏକ୍କା ଉପଅଧିନାୟିକା ମନୋନୀତ ହୋଇଛନ୍ତି। ତେବେ ଅନ୍ୟତମ ଅଭିଜ୍ଞ ଖେଳାଳି ନମିତା ଟପ୍ପୋ ଦଳରୁ ବାହାରେ ରହିଛନ୍ତି। ଅଲିମ୍ପିକ୍ ଯୋଗ୍ୟତାପର୍ଯ୍ୟାୟ ପୂର୍ବରୁ ଏହି ଗସ୍ତର ଗୁରୁତ୍ବ ଦୃଷ୍ଟିରୁ ଆମେ ପ୍ରଦର୍ଶନରେ ଉନ୍ନତି ଆଣିବୁ ବୋଲି କହିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍। ଗତ ସ୍ପେନ୍ ଗସ୍ତରୁ ଶିକ୍ଷା ଲାଭ କରିବା ପରେ ମାଲେସିଆରେ ମୁଖ୍ୟତଃ ଦୁଇଟି ପ୍ରମୁଖ ଦିଗ ଉପରେ ଜୋର୍ ଦେବା ସାଙ୍ଗକୁ ବ୍ୟକ୍ତିଗତ ସ୍ଥିର ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ଖେଳାଳିମାନଙ୍କୁ ମୁଖ୍ୟ ପ୍ରଶିକ୍ଷକ ପରାମର୍ଶ ଦେଇଛନ୍ତି।
୧୮ ଜଣିଆ ଦଳ: ରଜନୀ ଇଟିମାର୍ପୁ ଓ ସବିତା (ଗୋଲ୍ରକ୍ଷକ), ସାଲିମା ଟେଟେ, ସୁନିତା ଲାକ୍ରା, ଦୀପ୍ଗ୍ରେସ୍ ଏକ୍କା, ରିନା ଖୋଖାର, ରଶ୍ମିତା ମିଞ୍ଜ୍୍, ସୁଶୀଳା ଚାନୁ ପୋଖ୍ରମ୍ବାମ୍ (ରକ୍ଷଣଭାଗ), ମୋନିକା, କରିସ୍ମା ଯାଦବ, ନିକ୍କି ପ୍ରଧାନ, ନେହା ଗୋୟଲ, ଲିଲିମା ମିଞ୍ଜ୍ (ମଧ୍ୟଭାଗ), ଜ୍ୟୋତି, ବନ୍ଦନା କାଟାରିୟା, ଲାଲ୍ରେମ୍ସିଆମି, ନଭ୍ଜ୍ୟୋତ୍ କୌର, ନଭ୍ନୀତ୍ କୌର (ପୂରୋଭାଗ)।