ଚନ୍ଦ୍ରଶେଖରପୁର: ଲିଭର୍ ସିରୋସିସ୍ରେ ପୀଡ଼ିତ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାକୁ ଓଲିଉଡ୍ ଜଗତର କଳାକାରମାନେ ଏକାଠି ହୋଇଛନ୍ତି। ଓଡ଼ିଶା ସିନେ ଆସୋସିଏସନ୍ର ସଦସ୍ୟମାନେ ଆଜି ଏକ ବୈଠକ କରି ପିଣ୍ଟୁଙ୍କ ସ୍ବାସ୍ଥ୍ୟାବସ୍ଥା ଓ କ୍ରାଉଡ୍ ଫଣ୍ଡିଂ ଜରିଆରେ ତାଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବା ସଂପର୍କରେ ଆଲୋଚନା କରିଛନ୍ତି। ଆସୋସିଏସନ୍ର ସଭାପତି ସିଦ୍ଧାନ୍ତ ମହାପାତ୍ର ଓ ସଂପାଦକ ଶ୍ରୀତମ ଦାସଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ନୂଆ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସଚିବଙ୍କ ସହ ଆଲୋଚନା ହୋଇଛି। ସରକାର ପିଣ୍ଟୁଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ଦିଲ୍ଲୀରେ ଡାକ୍ତରମାନଙ୍କ ସହ ଆଲୋଚନା କରାଯାଇଛି। ତାଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ମଧ୍ୟ ସହାୟତା ଓ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଅପରପକ୍ଷେ ପରିବାରଲୋକ ନୂଆ ଲିଭର୍ ଯୋଗାଡ଼ କରିବାକୁ ଚେଷ୍ଟା କରୁଛନ୍ତି।
ଆଜି ସଂଧ୍ୟାରେ ପିଣ୍ଟୁଙ୍କୁ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ପୁଣି ଥରେ ଆଡମିଟ୍ କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି।
ଆଜି ଅନୁଷ୍ଠିତ ଆସୋସିଏସନ୍ର ବୈଠକରେ କୋଷାଧ୍ୟକ୍ଷ ସୁରେଶ ମିଶ୍ର, ଦେବୁ ପଟ୍ଟନାୟକ, ଅରିନ୍ଦମ ଦାସ, ଝିଲିକ ଭଟ୍ଟାଚାର୍ଯ୍ୟ, ଜିନା ସାମଲ, ପୁନମ ମିଶ୍ର, ପୁ୍ଷ୍ପା ପଣ୍ଡା, ସମ୍ବିତ ଆଚାର୍ଯ୍ୟ, ଦେବାଶିଷ ଓ ଅନ୍ୟ କଳାକାରମାନେ ଉପସ୍ଥିତ ଥିଲେ। ପିଣ୍ଟୁ ଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରିବାକୁ ସେମାନେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ପିଣ୍ଟୁଙ୍କ ଚିକିତ୍ସା ପାଇଁ ୫୦ଲକ୍ଷରୁ ଅଧିକ ଅର୍ଥ ଆବଶ୍ୟକ ଥିବା ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଓ ଭିଣୋଇ ପ୍ରଦୀପ ଶତପଥୀ କହିଛନ୍ତି।