କ୍ୟାରିୟରରେ ଅଷ୍ଟମ ଥର, ଦିନିକିଆ ମାନ୍ୟତାର ଶୀର୍ଷକୁ ଫେରିଲେ ମିତାଲି

ଦୁବାଇ: ଭାରତୀୟ ମହିଳା ଦିନିକିଆ ଦଳର ଅଧିନାୟିକା ମିତାଲି ରାଜ୍‌ ପ୍ରାୟ ୧୬ ବର୍ଷ ପରେ ଆଇସିସି ଦିନିକିଆ ବ୍ୟାଟର୍‌ଙ୍କ ତାଲିକାର ଶୀର୍ଷ ସ୍ଥାନକୁ ଫେରିଛନ୍ତି। ୩୮ ବର୍ଷ ବୟସ୍କା ମିତାଲି ଶେଷ ଥର ପାଇଁ ୨୦୦୫ରେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ୟାଟର୍‌ ହୋଇଥିଲେ। ସେହିବର୍ଷ ୫୦ ଓଭରିଆ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୯୧ ରନ୍‌ର ଅପରାଜିତ ପାଳି ଖେଳିବା ପରେ ଶୀର୍ଷ ମାନ୍ୟତା ପାଇଥିଲେ। ଏବେ ୧୬ ବର୍ଷ ପରେ ପୁର୍ନବାର ଶୀର୍ଷ ସ୍ଥାନକୁ ଫେରିଥିଲା ବେଳେ ତାଙ୍କ ୨୨ ବର୍ଷର ଲମ୍ବା କ୍ୟାରିୟର ମଧ୍ୟରେ ଅଷ୍ଟମ ଥର ପାଇଁ ଏଭଳି ଗୌରବ ହାସଲ କରିଛନ୍ତି। ଏହା ପୂର୍ବରୁ ଅବଶ୍ୟ ୨୦୧୮ରେ ସେ ଶୀର୍ଷ ମାନ୍ୟତା ପାଇଥିଲେ।

ଗତ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ହ୍ୟାଟ୍ରିକ୍‌ ଅର୍ଦ୍ଧଶତକୀୟ ପାଳି ସହିତ ମୋଟ ୨୦୬ ରନ୍‌ କରିଥିଲେ ମିତାଲି। ଶେଷ ମ୍ୟାଚ୍‌ରେ ତାଙ୍କ ଅପରାଜିତ ୭୫ ରନ୍‌ ବଳରେ ଭାରତ ମଧ୍ୟ ଶୃଙ୍ଖଳା ମୂଳପୋଛରୁ ବର୍ତିଯାଇଥିଲା। ଫଳରେ ଭାରତ ୨-୧ରେ ଶୃଙ୍ଖଳା ହାରିଥିଲା। ଏହାସତ୍ତ୍ବେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ମିତାଲି ତାଲିକାରେ ୪ ସ୍ଥାନ ଲମ୍ଫ ମାରି ଶୀର୍ଷକୁ ଉଠିଛନ୍ତି। ଶୀର୍ଷ ସ୍ଥାନକୁ ଫେରିବାରେ ୧୬ ବର୍ଷର ବ୍ୟବଧାନ ମଧ୍ୟ ଯେକୌଣସି ମହିଳା ବ୍ୟାଟର୍‌ଙ୍କ ପାଇଁ ସବୁଠୁ ଲମ୍ବା ସମୟ। ଏହା ପୂର୍ବରୁ ଇଂଲଣ୍ଡର ଜାନେଟି ବ୍ରିଟିନ୍‌ ୧୧ ବର୍ଷ ବ୍ୟବଧାନ ପରେ ଏଭଳି ଗୌରବ ବହନ କରିଥିଲେ। ସେ ପ୍ରଥମ ଥର ଲାଗି ୧୯୮୪ରେ ଶୀର୍ଷ ସ୍ଥାନ ପାଇଥିଲା ବେଳେ ଶେଷ ଥର ୧୯୯୫ରେ ଏହି ମାନ୍ୟତାକୁ ଫେରିଥିଲେ। ଅନ୍ୟତମ ଖେଳାଳି ଭାବେ ନ୍ୟୁଜିଲାଣ୍ଡର ଦେବୀ ହକ୍‌ଲେ ୧୦ ବର୍ଷ ବ୍ୟବଧାନରେ ଶୀର୍ଷକୁ ଫେରିଥିଲେ। ସେ ୧୯୮୭ରେ ପ୍ରଥମ ଥର ଏହି ସ୍ଥାନ ପ୍ରାପ୍ତ ହୋଇଥିଲା ବେଳେ ୧୯୯୭ରେ ଶେଷ ଥର ପାଇଁ ଶୀର୍ଷ ମାନ୍ୟତାପ୍ରାପ୍ତ ମହିଳା ବ୍ୟାଟର ହୋଇଥିଲେ।

ଆଇସିସି ଦ୍ବାରା ମଙ୍ଗଳବାର ସାନି ପ୍ରକାଶିତ ମାନ୍ୟତା ତାଲିକାରେ ମିତାଲିଙ୍କ ବ୍ୟତୀତ ଅନ୍ୟତମ ଭାରତୀୟ ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉଠି ଦ୍ବାଦଶରେ ପହଞ୍ଚିଥିଲା ବେଳେ ଝୁଲନ ଗୋସ୍ବାମୀ ୪ ସ୍ଥାନ ଉନ୍ନତି କରି ୫୩ରେ ପହଞ୍ଚିଛନ୍ତି। ଯୁବା ତାରକା ଶୋଫାଳି ବର୍ମା ୪୯ ସ୍ଥାନ ଲମ୍ଫ ମାରି ୭୧ତମ ସ୍ଥାନରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର