୧୨ ବର୍ଷ ପରେ ପ୍ରଥମ, ବିନା ଶତକରେ ବର୍ଷ ଶେଷ କଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ୨୦୨୦ ଶତକବିହୀନ ବର୍ଷ ପାଲଟିଯାଇଛି। ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ବିନା ଆନ୍ତର୍ଜାତିକ ଶତକରେ ସେ ବର୍ଷ ଶେଷ କରିଛନ୍ତି। ଯଦିଓ ଚଳିତ ବର୍ଷ (ଡିସେମ୍ବର ୨୬ରୁ ୩୧) ଭାରତ ଆଉ ଗୋଟିଏ ଟେଷ୍ଟ୍‌ ଖେଳିବାର ଅଛି ସେଥିରେ କିନ୍ତୁ କୋହଲି ନଥି‌ବେ। ପିତୃତ୍ବ ଅବକାଶ ବିରତି ନେଇ ସେ ଅଷ୍ଟ୍ରେଲିଆରୁ ସ୍ବଦେଶ ଫେରି ଆସିଥିବେ। ଚଳିତ ଅଷ୍ଟ୍ରେଲିଆ ଗସ୍ତରେ କୋହଲି ୭ ଆନ୍ତର୍ଜାତିକ ମ୍ୟାଚ୍‌ ଏବଂ ୮ ପାଳି ଖେଳି ୪ଟି ଅର୍ଧଶତକ ଜମାଇଥିଲେ ମଧ୍ୟ ଗୋଟିଏ ହେଲେ ଶତକ ତାଙ୍କ ବ୍ୟାଟ୍‌ରୁ ବାହାରି ପାରିନଥିଲା।

୨୦୦୮ରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା କୋହଲିଙ୍କ ପାଇଁ ଚଳିତ ବର୍ଷ ବ୍ୟତୀତ ଅନ୍ୟ କୌଣସି ବି ବର୍ଷ ବିନା ଶତକରେ ଯାଇନଥିଲା। ୨୦୦୮ରେ ସେ ମାତ୍ର ୫ ମ୍ୟାଚ୍‌ ‌ଖେଳିଥିଲା ବେଳେ ଏଥର ସେ ୨୨ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିସାରିଛନ୍ତି। ଅବଶ୍ୟ କରୋନା ମହାମାରୀ ଯୋଗୁଁ ସେ ଅଧିକ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ସେହିଦୃଷ୍ଟିରୁ ୨୦୦୯ ପରଠାରୁ ମଧ୍ୟ ପ୍ରଥମ ଥର ଲାଗି କୋହଲି ୨୨ ବା ତା’ଠୁ କମ୍‌ ମ୍ୟାଚ୍‌ ଖେଳିଛନ୍ତି। ୨୦୦୯ରେ ସେ ୭ ଶତକ ଓ ୧୪ ଅର୍ଧଶତକ ଜମାଇଥିଲା ବେଳେ ୨୦୧୮ରେ ୧୧ ଶତକ ଓ ୯ ଅର୍ଧଶତକ ଏବଂ ୨୦୧୭ରେ ୧୧ ଶତକ ଓ ୧୦ ଅର୍ଧଶତକ ହାସଲ କରିଥିଲେ। ଏବର୍ଷ କିନ୍ତୁ ସେ ମୋଟ ୭ ଅର୍ଧଶତକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର