ୱେଲିଂଟନ୍ : ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ମଙ୍ଗଳବାର ‘ବର୍ଷର ଶ୍ରେଷ୍ଠ ଅନ୍ତର୍ଜାତୀୟ ଟେଷ୍ଟ୍ ଖେଳାଳି ପୁରସ୍କାର’ ସହ ସମ୍ମାନଜନକ ସାର୍ ରିଚାର୍ଡ ହାଡ୍ଲି ପଦକ କରାୟତ୍ତ କରିଛନ୍ତି। ଗତ ୬ ବର୍ଷରେ ଏହା ତାଙ୍କର ଚତୁର୍ଥ ପଦକ। ନ୍ୟୁଜିଲାଣ୍ଡ କ୍ରିକେଟ୍ ପକ୍ଷରୁ ଡିଜିଟାଲ ମାଧ୍ୟମରେ ପ୍ରଦାନ କରାଯାଇଥିବା ୨୦୨୦-୨୧ ବର୍ଷର ପୁରସ୍କାର ଉତ୍ସବରେ ମହିଳା ଅଲ୍ରାଉଣ୍ଡର ଆମେଲିଆ କେର ଓ ଉଦୀୟମାନ ତାରକା ଡେଭନ କନ୍ୱେ ଯୁଗଳ ସମ୍ମାନ ଲାଭ କରିଥିଲେ। କନୱେ ଦିନିକିଆ ଓ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳାଳି ପୁରସ୍କାର ଜିତିଥିଲେ। କେର୍ଙ୍କୁ ଡ୍ରିମ୍୧୧ ସୁପର ସ୍ମାସ୍ ଓ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମହିଳା ପୁରସ୍କାର ମିଳିଥିଲା।
ୱିଲିୟମସନ୍ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ହାମିଲଟନ୍ ଟେଷ୍ଟ୍ରେ ଜୀବନର ଶ୍ରେଷ୍ଠ ସ୍କୋର୍ ୨୫୧ ସାଙ୍ଗକୁ ତୌରଙ୍ଗା ବକ୍ସିଂ ଡେ ଟେଷ୍ଟ୍ରେ ଶତକ ଅର୍ଜନ ଏବଂ ପାକିସ୍ତାନ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ୍ରେ ଦ୍ବିଶତକ ଅର୍ଜନ କରିବା ସହ ଦଳକୁ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପହଞ୍ଚାଇଥିଲେ। ନ୍ୟୁଜିଲାଣ୍ଡ ଗ୍ରୀଷ୍ମରେ ୨୦ ମ୍ୟାଚ୍ ଖେଳି ୧୭ ଜିତିବା ସହ ସମସ୍ତ ୭ ଶୃଙ୍ଖଳା କରାୟତ୍ତ କରିଥିଲା। ଚଳିତ ଋତୁରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ କନୱେ ଟ୍ବେଣ୍ଟି-୨୦ରେ ୫୮ ହାରାହାରି ଓ ୧୫୧ ଷ୍ଟ୍ରାଇକ୍ରେଟ୍ ଏବଂ ୪ ଅର୍ଧଶତକ ସହ ୪୭୩ ରନ୍ କରିଥିଲେ। ବାଂଲାଦେଶ ବିପକ୍ଷ ୩ ଦିନିକିଆରେ ସେ ୭୫ ହାରାହାରିରେ ୨୨୫ ରନ୍ ସଂଗ୍ରହ କରିବା ସହ ପ୍ରଥମ ଅନ୍ତର୍ଜାତୀୟ ଶତକ ଅର୍ଜନ କରିଥିଲେ। ଅନ୍ୟପକ୍ଷରେ କେର ଦୁନେଡିନ୍ରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶ୍ରେଷ୍ଠ ସ୍କୋର୍ ୧୧୯ ସହ ସେ ଟ୍ବେଣ୍ଟି-୨୦ରେ ୩୮ ହାରରେ ୩୦୪ ରନ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/5494d56a4g56a4g56adgdgadgdgdg.jpg)