କଟକ: ଆଇପିଏଲ୍ରେ ଓଡ଼ିଶାର ସ୍ଥାନକୁ ନେଇ ସବୁବେଳେ କ୍ରୀଡ଼ାପ୍ରେମୀଙ୍କ ଭିତରେ ଆଲୋଚନା ହେଉଥାଏ। କେତେବେଳେ ବାରବାଟୀ ଷ୍ଟାଡିୟମରେ ଖେଳ ଆୟୋଜନକୁ ତ ପୁଣି କେତେବେଳେ ଆଇପିଏଲ୍ରେ ଓଡ଼ିଆ ଖେଳାଳି ସ୍ଥାନ ପାଇବାକୁ ନେଇ ଚର୍ଚ୍ଚା ହୁଏ। ଯଦିଓ ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଆଇପିଏଲ୍ ମ୍ୟାଚ୍ ଖେଳାଯାଇସାରିଛି ଏବ˚ ହଳଧର ଦାସ, ବିପ୍ଲବ ସାମନ୍ତରାୟ ଏଥିରେ ଖେଳିସାରିଛନ୍ତି, ତଥାପି କଟକକୁ ନେଇ ଚର୍ଚ୍ଚା ଲାଗିରହିଛି।
ଏମାନଙ୍କ ପରେ ଆଉ କେହି ଆଇପିଏଲ୍ରେ ସ୍ଥାନ ପାଇପାରିନାହାନ୍ତି। ଏବେ ବିସିସିଆଇ ଦୁଇଟି ନୂଆ ଦଳ ପାଇଁ ବିଡ୍ ଆହ୍ବାନ କରିଛି। ଏଥିପାଇଁ ୬ଟି ସହରକୁ ଚୟନ କରାଯାଇଥିଲା ବେଳେ ସେଥିରେ କଟକ ସ୍ଥାନ ପାଇଛି। ଗୁଆହାଟୀ, ରାଞ୍ଚି, ଅହମ୍ମଦାବାଦ୍, ଲକ୍ଷ୍ନୌ, ଧର୍ମଶାଳା ସହିତ କଟକ ପାଇଁ ଇଚ୍ଛୁକ ପ୍ରାଞ୍ଚାଇଜି ବିଡ୍ ଦାଖଲ କରିବାକୁ କୁହାଯାଇଥିବା ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ହେଲେ ଏସ˚କ୍ରାନ୍ତରେ ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲା ବେଳେ ଓସିଏ ପାଖରେ କୌଣସି ସୂଚନା ନଥିବା କୁହାଯାଇଛି।
ତେବେ ନୂଆ ଦଳ ପାଇଁ ଘରୋଇ ସ୍ଥାନ ଭାବେ ବିଡ୍ ଦାଖଲ କରିବାକୁ ପ୍ରସ୍ତୁତ ହୋଇଥିବା ତାଲିକାରେ କଟକ ସ୍ଥାନ ପାଇବା ନୂଆ କଥା ନୁହେଁ। ଏଥିପୂର୍ବରୁ ଦୁଇଥର କଟକର ନାମକୁ ବିସିସିଆଇ ଏଥିପାଇଁ ଚୟନ କରିଥିଲା। ୨୦୧୦ ମସିହାରେ ଦୁଇଟି ନୂଆ ଦଳ ପାଇଁ ବିସିସିଆଇ ପକ୍ଷରୁ ୧୨ଟି ସହରକୁ ଚୟନ କରାଯାଇଥିଲା। କଟକ ସହିତ ଅହମ୍ମଦାବାଦ, ନାଗପୁର, କାନପୁର, ଧର୍ମଶାଳା, ଇନ୍ଦୋର, ଗ୍ବାଲିଅର, ବିଶାଖାପାଟନମ୍, ରାଜକୋଟ, ପୁଣେ, ବରୋଦା ଓ କୋଚି ସହରକୁ ଏଥିପାଇଁ ବଛା ଯାଇଥିଲା। ତେବେ ପୁଣେ ଓ କୋଚି ଦଳ ଗଠନ ପାଇଁ ଯୋଗ୍ୟ ହୋଇଥିଲା ବେଳେ ପୁଣେ ଵାରିଅର୍ସ ଓ କୋଚି ଟସ୍କର୍ସ କେରଳ ନାମରେ ଦୁଇଟି ଦଳ ଆଇପିଏଲ୍ରେ ଅ˚ଶଗ୍ରହଣ କରିଥିଲେ। ସେହିପରି ୨୦୧୫ରେ ଲୋଧା ସମିତି ସୁପାରିସକ୍ରମେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସକୁ ଆଇପିଏଲ୍ରୁ ନିଲମ୍ବନ କରାଯାଇଥିବାରୁ ଆଉ ଦୁଇଟି ଦଳ ପାଇଁ ବିଡ୍ ଆହ୍ବାନ କରାଯାଇଥିଲା। ଏଥିରେ କଟକ ସହିତ ଚେନ୍ନାଇ, ଧର୍ମଶାଳା, ଇନ୍ଦୋର, କାନପୁର, ନାଗପୁର, ପୁଣେ, ରାଜକୋଟ, ରାଞ୍ଚି ଓ ବିଶାଖାପାଟଣାକୁ ନୂଆ ସହର ଭାବେ ସ୍ଥାନିତ କରାଯାଇଥିଲା। ସେଥର ପୁଣେ ଓ ରାଜକୋଟ ଯୋଗ୍ୟ ହୋଇଥିଲା ବେଳେ ରାଇଜି˚ ପୁନେ ସୁପରଜିଆଣ୍ଟ୍ସ ଓ ଗୁଜରାଟ ଲାୟନ୍ସ ନାମରେ ଦୁଇଟି ନୂଆ ଦଳ ଖେଳିଥିଲେ। ବର୍ତ୍ତମାନ ଆଇପିଏଲ୍ରେ ଦଳ ସ˚ଖ୍ୟା ୮ରେ ସୀମିତ ରହିଛି। ତେବେ ପରବର୍ତ୍ତୀ ସ˚ସ୍କରଣ ବେଳକୁ ଦଳ ସ˚ଖ୍ୟା ୧୦ରେ ପହଞ୍ଚାଇବା ପାଇଁ ବିସିସିଆଇ ଲକ୍ଷ୍ୟ ରଖିଛି। ନୂଆ ଦୁଇଟି ଦଳ ପାଇଁ ମୂଳ ଦର ୨ହଜାର କୋଟି ଧାର୍ଯ୍ୟ କରାଯାଇଛି।
ପୂର୍ବରୁ ଦୁଇଥର କଟକର ନାମକୁ ଆଶାୟୀ ସହର ମଧ୍ୟରେ ରଖାଯାଇଥିଲା ବେଳେ କେହି ବିଡ୍ ଦାଖଲ କରିନଥିଲେ। ତଥାପି ୨୦୧୫ ମସିହାରେ ଓଡ଼ିଶାର କିଛି ଶିଳ୍ପପତିଙ୍କ ସହିତ ଓସିଏ ପକ୍ଷରୁ ଆଲୋଚନା କରାଯାଇଥିଲେ ହେଁ କେହି ଏଥିପ୍ରତି ମନ ବଳାଇନଥିଲେ। ଏବେ ପୁଣି ଥରେ କଟକକୁ ଚୟନ କରାଯାଇଥିବା କୁହାଯାଉଥିଲେ ବି ବିସିସିଆଇ ପକ୍ଷରୁ କୌଣସି ଯୋଗାଯୋଗ ହୋଇନଥିବାରୁ ଓସିଏ ଏବେ ଅନ୍ଧାରରେ ଥିବା ସିଇଓ ସୁବ୍ରତ ବେହେରା ସୂଚନା ଦେଇଛନ୍ତି। ଯଦି ବିସିସିଆଇ ପକ୍ଷରୁ ଓସିଏକୁ ଏବିଷୟରେ ଅବଗତ କରାଯାଏ, ତାହେଲେ ଏହାର ଭବିଷ୍ୟତ ନେଇ ଚିନ୍ତା କରାଯିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ipl-BCCI.jpg)