ମୋହାଲି(ପଞ୍ଜାବ): ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଅଧିନାୟକ ପଦ ଛାଡ଼ିବାର ୨ବର୍ଷ ପରେ ଆଜି ପୁଣି ଥରେ ଦାୟିତ୍ବ ସମ୍ଭାଳିଛନ୍ତି ବିରାଟ କୋହଲି। ଗୁରୁବାର ଦିନ ମୋହାଲିରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚ୍ ପାଇଁ ଆରସିବିର ଅଧିନାୟକ ହୋଇଛନ୍ତି ବିରାଟ। ଆରସିବି ଅଧିନାୟକ ପଦରୁ ଇସ୍ତଫା ଦେବାର ଦୁଇ ବର୍ଷ ପରେ ଆଜି ହଠାତ୍ ଟସ୍ ପଡ଼ିବା ସମୟରେ ତାଙ୍କୁ ପଡ଼ିଆରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କ୍ରିକେଟପ୍ରେମୀ।
ବିରାଟ ପଦ ଛାଡ଼ିବା ପରେ ଦକ୍ଷିଣ ଆଫ୍ରିକାର କ୍ରିକେଟର ଫାଫ୍ ଡୁ ପ୍ଲେସିସ୍ ଏବେ ଆରସିବିର ଅଧିନାୟକ ଅଛନ୍ତି। ହେଲେ ପୂର୍ବ ମ୍ୟାଚ୍ ପରେ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଥିବାରୁ ଆଜିର ମ୍ୟାଚରେ ବିରାଟ ତାଙ୍କ ସ୍ଥାନ ନେଇଛନ୍ତି। ଟସ୍ ସମୟରେ କୋହଲି କହିଥିଲେ ଯେ, 'ଫାଫ ଆଜି ଫିଲ୍ଡିଂ କରିପାରିବେ ନାହିଁ, ତେଣୁ ସେ ତାଙ୍କ ପାଇଁ ଅଧିନାୟକ ଭାବେ ଖେଳିବେ। ଅଧିନାୟକ ନଥିଲେ ବି ଫାଫ ଆରସିବି ପାଇଁ ଖେଳୁଥିବା ଦେଖାଯାଇଛି। ତେବେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧୱନ ମଧ୍ୟ ଆଜିର ମ୍ୟାଚ୍ ପାଇଁ ଅଧିନାୟକ ନଥିବା ବେଳେ ତାଙ୍କ ସ୍ଥାନରେ ଦାୟିତ୍ବ ନେଇଛନ୍ତି ସାମ କୁରେନ।
👑 is Back, Back as captain.
Welcome, Virat Kohli. pic.twitter.com/dKAzskMNQa
— Johns. (@CricCrazyJohns) April 20, 2023
ଆଜିର ମ୍ୟାଚ ପାଇଁ ଆରସିବିର ପ୍ଲେଇଂ ୧୧ରେ ରହିଛନ୍ତି ବିରାଟ କୋହଲି (ଅଧିନାୟକ), ଫାଫ୍ ଡୁ ପ୍ଲେସିସ୍, ମହିପାଲ ଲୋମରୋର, ଗ୍ଲେନ୍ ମ୍ୟାକ୍ସୱେଲ, ଶହବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (ୱିକେଟ କିପର), ବାନିନ୍ଦୁ ହସରଙ୍ଗା, ସୁୟଶ ପ୍ରଭୁଦେସାଇ, ହର୍ଷଲ ପଟେଲ, ବେନ ପାର୍ନେଲ, ମହମ୍ମଦ ସିରାଜ।
ସେହିଭଳି ପଞ୍ଜାବ କିଙ୍ଗ୍ସର ପ୍ଲେଇଂ ୧୧ରେ ରହିଛନ୍ତି ଅଥର୍ବ ତାୟଦେ, ମାଥ୍ୟୁ ସର୍ଟ, ହରପ୍ରୀତ ସିଂ ଭାଟିଆ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରନ୍ (ଅଧିନାୟକ), ଜିତେଶ ଶର୍ମା (ୱିକେଟ କିପର), ଶାହରୁଖ ଖାନ୍, ହରପ୍ରୀତ ବରାଡ, ନାଥନ୍ ଏଲିସ୍, ରାହୁଲ ଚହର, ଅର୍ଶଦୀପ ସିଂ।