ଦୁଇଟି କାରଣ ପାଇଁ ଜୁନ୍ ୨୫ ଖାସ୍, ବିଶ୍ବକପ୍ ବିଜୟ ଓ ପ୍ରଥମ ଟେଷ୍ଟ୍

ଭାରତୀୟ କ୍ରିକେଟ୍ ପାଇଁ ଜୁନ୍ ୨୫ ତାରିଖର ସ୍ବତନ୍ତ୍ର ମହତ୍ବ ରହିଛି। ୧୯୮୩ ମସିହା ଆଜିର ତାରିଖରେ ଭାରତ ଏକଦିବସୀୟ କ୍ରି‌କେଟ୍ ବିଶ୍ବକପ୍‌ ବିଜେତା ହୋଇଥିଲା। ସେହିଭଳି ଆଜିର ତାରିଖରେ ମଧ୍ୟ ଭାରତ ଆନୁଷ୍ଠାନିକ ଭାବେ ଟେଷ୍ଟ୍ କ୍ରିକେଟ୍‌ରେ ପଦାର୍ପଣ କରିଥିଲା। ଏହି ଘଟଣା ଦୀର୍ଘ ୮୮ ବର୍ଷ ତଳେ ଘଟିଥିଲା। ୧୯୩୨ ମସିହା ଜୁନ୍ ୨୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଭାରତ ତା’ର ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲା। ୧୯୨୬ ମସିହାରେ ଭାରତୀୟ କ୍ରିକେଟ୍ ଦଳ ଦି ଇମ୍ପେରିଆଲ କ୍ରିକେଟ୍ କାଉନସିଲ୍ ଦ୍ବାରା ଆମନ୍ତ୍ରିତ ହୋଇ ଇଂଲଣ୍ଡ ଗସ୍ତ କରିଥିଲା। ତେବେ ଆନୁଷ୍ଠାନିକ ଭାବେ ଟେଷ୍ଟ୍ ମ୍ୟାଚ୍ ୧୯୩୨ରେ ଖେଳିଥିଲା। ଭାରତ ଏହି ମ୍ୟାଚ୍ ନିଜର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସିକେ ନାଇଡୁଙ୍କ ନେତୃତ୍ବରେ ଖେଳିଥିଲା। ତେବେ ମ୍ୟାଚ୍‌ଟି ମାତ୍ର ତିନି ଦିନ ଭିତରେ ଶେଷ ହୋଇଯିବା ସହ ଇଂଲଣ୍ଡ ଏହାକୁ ୧୫୮ ରନ୍‌ର ବଡ଼ ବ୍ୟବଧାନରେ ଜିତି ନେଇଥିଲା। ମ୍ୟାଚ୍ ଜୁନ୍ ୨୫ରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହୋଇଯାଇଥିଲା। ଇଂଲଣ୍ଡ ତା’ର ପ୍ରଥମ ପାଳିରେ ୨୫୯ ରନ୍ (୧୦୫.୧ ଓଭର) କରିଥିଲା। ଏହାର ଜବାବରେ ଭାରତ ମାତ୍ର ୧୮୯ ରନ୍ (୯୩ ଓଭର) ରନ୍ କରି ପାରିଥିଲା। ଦ୍ବିତୀୟ ପାଳିରେ ଇଂଲଣ୍ଡ ୨୭୫/୯ରେ ଘୋଷଣା କରିଥିଲା। ଭାରତ ତା’ ଦ୍ବିତୀୟ ପାଳିରେ ୧୮୭ (୫୯.୩ ଓଭର) ରନ୍ କରି ପରାଜିତ ହୋଇଥିଲା। ଭାରତର ପ୍ରଥମ ପାଳିରେ ସିକେ ନାଇଡୁ ୪୦ ଏବଂ ଦ୍ବିତୀୟରେ ଏଲ୍ ଅମର ସିଂହ ୫୧ ରନ୍ କରିଥିଲେ। ଭାରତୀୟ ଦଳରେ ଥିବା ୱାଜିର ଓ ନାଜିର ଅଲ୍ଲୀ ଦୁଇ ଭାଇ ଥିଲେ।

ଭାରତର ପ୍ରଥମ ଟେଷ୍ଟ୍ ଦଳ: ଜନାର୍ଦନ ନଭଲେ (ୱିକେଟ୍ ରକ୍ଷକ/ଓପନର), ନାଓମଲ ଜିଓମାଲ, ସୟଦ ୱାଜିର ଅଲ୍ଲୀ, ସିକେ ନାଇଡୁ (ଅଧିନାୟକ), ସୋରାବଜି କୋଲାହ, ନାଜିର ଅଲ୍ଲୀ, ଫିରୋଜ ପଲିଆ, ଲାଲ ସିଂହ, ଜାହାଙ୍ଗିର ଖାନ୍, ଏଲ୍ ଅମରସିଂହ, ମହମ୍ମଦ ନିସାର।

ସମ୍ବନ୍ଧିତ ଖବର