କୋଭିଡ୍-୧୯ ମହାମାରୀ ଏବଂ ତତ୍ସହିତ ଦୁଇଟି ପର୍ଯ୍ୟାୟର ଲକ୍ଡାଉନ୍ ନିଷ୍ପତ୍ତି ଯୋଗୁଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରାୟତଃ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ଅନିର୍ଦିଷ୍ଟ ସମୟ ପାଇଁ ବାତିଲ ବା ସ୍ଥଗିତ ହୋଇଯାଇଛି। ଫଳରେ କୌଣସି ବି କ୍ରୀଡ଼ା ପୂର୍ବ ନିର୍ଧାରିତ ସୂଚୀ ଅନୁଯାୟୀ ହୋଇପାରିବ ନାହିଁ। ଏହା କେବଳ କ୍ରୀଡ଼ାବିତ୍ କାହିଁକି ଖେଳପ୍ରେମୀମାନଙ୍କ ପାଇଁ ମଧ୍ୟ ନିରାଶା ଆଣିଦେଇଛି। କ୍ରୀଡ଼ା କ୍ଷେତ୍ରରେ ସ୍ଥାଣୁତା ଦେଖାଯାଇଛି। ଗୃହାବଦ୍ଧ ଅପରିହାର୍ଯ୍ୟ ବୋଲି କ୍ରୀଡ଼ା ଭେଷଜ ବିଶେଷଜ୍ଞ (ସ୍ପୋର୍ଟସ ମେଡିସିନ୍ ଏକ୍ସପର୍ଟ)ମାନେ ମତ ଦେଉଥିଲା ବେଳେ ସ୍ଥିତି ସ୍ବାଭାବିକ ପରେ ପ୍ରତିଷେଧକମୂଳକ ପଦକ୍ଷେପସ୍ବରୂପ ସ୍ଥଗିତ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇପାରିବ ବୋଲି କହିଛନ୍ତି ନୂଆଦିଲ୍ଲୀର ପ୍ରତିଷ୍ଠିତ ସାର୍ ଗଙ୍ଗାରାମ ହସ୍ପିଟାଲରେ କାର୍ଯ୍ୟରତ କ୍ରୀଡ଼ା ଭେଷଜ ବିଶେଷଜ୍ଞ ଡାକ୍ତର ଆଶିଷ ଆଚାର୍ଯ୍ୟ। ଏହି ଓଡ଼ିଆ ଡାକ୍ତରଙ୍କ ସହ ସାଂପ୍ରତିକ କରୋନା ଆତଙ୍କ କ୍ରୀଡ଼ାବିତ୍ଙ୍କ ଉପରେ କିଭଳି ପ୍ରଭାବ ପକାଉଛି ସେ ନେଇ ସାକ୍ଷାତ ଆଲୋଚନା କରିଥିଲେ ‘ସମ୍ବାଦ’ର ନୂଆଦିଲ୍ଲୀ ପ୍ରତିନିଧି ନଇମ୍ ଅଖ୍ତର।
ପ୍ରଶ୍ନ: କରୋନା ପ୍ରଭାବ ଯୋଗୁଁ ପ୍ରମୁଖ ପ୍ରତିଯୋଗିତା ସ୍ଥଗିତ ନିଷ୍ପତ୍ତିକୁ ଜଣେ କ୍ରୀଡ଼ା ଭେଷଜ ବିଶେଷଜ୍ଞ ଭାବେ ଆପଣ କେମିତି ଦେଖୁଛନ୍ତି?
ଉତ୍ତର: କରୋନା ସଂକ୍ରମଣ ସ୍ଥିତିକୁ ନଜରରେ ରଖାଯାଇ ଯେଉଁଭଳି ଅଲିମ୍ପିକ୍ସ ଓ ଆଇପିଏଲ୍ ଭଳି ପ୍ରତିଷ୍ଠିତ କ୍ରୀଡ଼ା ସ୍ଥଗିତ ରଖାଯାଇଛି ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ଏବର ସମୟରେ ଯେତେବେଳେ କରୋନା ପ୍ରକୋପର ଭୟାବହତା ରହିଛି ସେଦୃଷ୍ଟିରୁ କ୍ରୀଡ଼ା ଗତିବିଧିକୁ ପଛରେ ପକାଇ ଜନସାଧାରଣଙ୍କ ଜୀବନକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। କ୍ରୀଡ଼ାର ଗୁରୁତ୍ବ ଯଥେଷ୍ଟ ରହିଛି। ଏହା ଅର୍ଥନୀତି ସହ ଜଡ଼ିତ ଥିଲେ ମଧ୍ୟ ବର୍ତମାନ ପରିପ୍ରେକ୍ଷୀରେ ଏହାର ଆୟୋଜନ କରାଯାଇପାରିବ ନାହିଁ।
ପ୍ରଶ୍ନ: କ୍ରୀଡ଼ାଗୁଡ଼ିକୁ ଅନିର୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖାଯାଇଛି। ଏଗୁଡ଼ିକର ପୁନଃଆରମ୍ଭ ସମୟ ନିର୍ଧାରଣ ନେଇ ଆପଣ କ'ଣ କହିବେ?
ଉତ୍ତର: ଅତି କମ୍ରେ ତିନି ମାସରୁ ୬ ମାସ ପର୍ଯ୍ୟନ୍ତ କ୍ରୀଡ଼ାଗୁଡ଼ିକୁ ବନ୍ଦ କରାଯିବା ଦରକାର। ଏକ୍ଷେତ୍ରରେ ଆଉ କୌଣସି ବିକଳ୍ପ ନାହିଁ। ତାହାପରେ ଆଲୋଚନା ମାଧ୍ୟମରେ ଆରମ୍ଭ କରାଯାଇପାରିବ। ଏହାସତ୍ତ୍ବେ ସବୁକିଛି କରୋନା ସଂକ୍ରମଣର ସ୍ଥିତି ଉପରେ ନିର୍ଭର କରିବ। ସଂକ୍ରମଣ ମାମଲା ହ୍ରାସ ନଘଟିଲେ କ୍ରୀଡ଼ା ଆୟୋଜନ ସମ୍ଭବ ହେବନାହିଁ। ଏବେ ତ ମାମଲା କ୍ରମାଗତ ବୃଦ୍ଧି ପାଇଚାଲିଛି। କ୍ରୀଡ଼ା ଆରମ୍ଭ ନେଇ କିଛି କହିବା ଠିକ୍ ହେବନାହିଁ। ପ୍ରତିଷେଧକମୂଳକ ବ୍ୟବସ୍ଥା ଅନୁଯାୟୀ ପୁନଃଆରମ୍ଭର ପ୍ରୟାସ କରାଯାଇପାରିବ।
ପ୍ରଶ୍ନ: କେଉଁ ପ୍ରକାରର ପ୍ରତିଷେଧକମୂଳକ ବ୍ୟବସ୍ଥା କରାଯାଇପାରିବ?
ଉତ୍ତର: ଭିଡ଼ ଯେଭଳି ଅଧିକ ନହୁଏ ତାହା ସବୁଠୁ ବଡ଼ ଆହ୍ବାନ ହେବ। ଏକାଠି କୌଣସି ଜାଗାରେ ଲୋକମାନେ ଜମା ହେବା ବା ଭିଡ଼ ଜମାଇବା ବନ୍ଦ କରିବାକୁ ପଡ଼ିବ। ଆଇପିଏଲ୍ ଭଳି ପ୍ରତିଯୋଗିତାରେ ୫୦ ହଜାର ପାଖାପାଖି ଦର୍ଶକ ଷ୍ଟାଡିୟମ୍ରେ ଖେଳ ଦେଖିବାକୁ ଆସିଥାନ୍ତି। ଅଲିମ୍ପିକ୍ରେ ତ ଦର୍ଶକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଏତେ ସଂଖ୍ୟକ ଲୋକଙ୍କୁ ପରୀକ୍ଷା କରି ଷ୍ଟାଡିୟମ୍ ଭିତରକୁ ଛାଡ଼ିବା ସମ୍ଭବପର ହେବ କି? ଏଭଳି ପରିପ୍ରେକ୍ଷୀରେ ବିକଳ୍ପ ଚିନ୍ତା କରାଯାଇପାରିବ। ତାହାହେଲା ଖେଳାଳିମାନେ ପଡ଼ିଆରେ ଖେଳିବେ ଏବଂ ପ୍ରତିଯୋଗିତାର ସିଧା ପ୍ରସାରଣ କରାଯିବ। ଲୋକମାନେ ଘରେ ବସି ମ୍ୟାଚ୍ ଉପଭୋଗ କରିବେ।
ପ୍ରଶ୍ନ: ଖେଳାଳିଙ୍କୁ ସଂକ୍ରମଣର ଭୟ କେତେମାତ୍ରାରେ ଥାଏ?
ଉତ୍ତର: ଖେଳାଳିଙ୍କର ସବୁଠୁ ବଡ଼ ରିସ୍କ ହେଉଛି ଏକ୍ସପୋଜର। ସେମାନଙ୍କ ସଂସ୍ପର୍ଶରେ ବହୁ ଲୋକ/ପ୍ରଶଂସକ ଆସିଥାନ୍ତି। ବାହାର ଲୋକଙ୍କଠାରୁ ସେମାନଙ୍କୁ ଦୂରେଇ ରହିବାକୁ ପଡ଼ିବ। ଏପରିକି ୬ ମାସ ପରେ ମଧ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କଠାରୁ ଦୂରେଇ ରହିବା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଅର୍ଥାତ୍ ୬ ମାସ ପର୍ଯ୍ୟନ୍ତ ସାମାଜିକ ଦୂରତା ରଖିଲେ ଭଲ।
ପ୍ରଶ୍ନ: କ୍ରୀଡ଼ା ସ୍ଥଗନ ସ୍ଥିତିରେ ନିଜକୁ ଫିଟ୍ ରଖିବା ପାଇଁ କି ପ୍ରକାର ବ୍ୟାୟାମର ଆବଶ୍ୟକତା ରହିଛି?
ଉତ୍ତର: ଖେଳାଳିଙ୍କ ପାଇଁ ଏଭଳି ସ୍ଥିତିରେ ଫିଟ୍ ରହିବା ହିଁ ବଡ଼ ଆହ୍ବାନ ହେବ। ସେମାନେ ଅଭ୍ୟାସ କରିବା ପାଇଁ ଷ୍ଟାଡିୟମ୍କୁ ଯିବେନାହିଁ। ହେଲେ ବ୍ୟକ୍ତିଗତ ରୂପେ ଫିଟ୍ନେସ୍ ସ୍ତରକୁ ବଜାୟ ରଖିବା ପାଇଁ ସେମାନଙ୍କୁ ଘରେ ନଚେତ ଘର ବାହାରେ କିମ୍ବା ଆଖପାଖ ସ୍ଥାନରେ ବ୍ୟାୟାମ କରିବାକୁ ପଡ଼ିବ। ପ୍ରତ୍ୟେକ କ୍ରୀଡ଼ାବିତ୍ ସେମାନଙ୍କ କ୍ରୀଡ଼ା ଶୃଙ୍ଖଳ ଅନୁଯାୟୀ ଫିଟ୍ନେସ୍ ଓ ଡାଏଟ୍ (ଖାଦ୍ୟ ସାରଣୀ) ଯୋଜନା କରିଥାନ୍ତି। ସବୁ ଖେଳାଳି ବର୍ତମାନ ଫିଟ୍ନେସ୍ ଉପରେ ଗୁରୁତ୍ବ ଦେଉଛନ୍ତି। ଯଦି ଖେଳାଳିମାନେ ଦୁଇ ତିନି ମାସ ଧରି ଅଭ୍ୟାସ ନକରି ଘରେ ବସିଯାଆନ୍ତି, ତାହାଲେ ସେମାନେ ପୂରାପୁରି ଅନ୍ଫିଟ୍ ହୋଇଯିବେ। ପରେ ଫିଟ୍ନେସ୍ସ୍ତରକୁ ଆସିବା ପାଇଁ ୮ରୁ ୧୦ ସପ୍ତାହ ଲାଗିଯାଇପାରେ। କ୍ରୀଡ଼ାର ସ୍ବତନ୍ତ୍ର କାର୍ଯ୍ୟକଳାପ ପାଇଁ ଆବଶ୍ୟକ ପଡୁଥିବା ପ୍ରଣାଳୀ ହୁଏତ ଏହି ସମୟରେ ସେମାନଙ୍କୁ ଉପଲବ୍ଧ ହୋଇପାରିନଥାଏ।
ପ୍ରଶ୍ନ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖେଳାଳିମାନେ କେଉଁଭଳି ଭାବେ କ୍ରୀଡ଼ା ସରଞ୍ଜାମର ଯତ୍ନ ନେବେ?
ଉତ୍ତର: ଯଦି ଖେଳାଳିମାନଙ୍କୁ ସଂକ୍ରମଣ ହୋଇନାହିଁ ତାହାଲେ ସେମାନଙ୍କ ସରଞ୍ଜାମ ମଧ୍ୟ ସଂକ୍ରମିତ ହୋଇପାରିବନି। ସରଞ୍ଜାମ ବାହାରକୁ ନେଲେ ଏକ୍ସପୋଜ୍ ହେବ। ଯାହାଦ୍ବାରା ସଂକ୍ରମଣର ଆଶଙ୍କା ରହିବ। କ୍ରୀଡ଼ା ସରଞ୍ଜାମ ଯଦି ସଂକ୍ରମିତ ହୁଏ ତାହାଲେ ସେଗୁଡ଼ିକୁ ଷ୍ଟେରିଲାଇଜ୍ କରିହେବ। ଯଦି ଦାମୀ ସରଞ୍ଜାମ ରହିଛି ଓ ସେଗୁଡ଼ିକୁ ପୁଣି ବ୍ୟବହାର କରାଯାଇପାରିବ ସେଭଳି ସ୍ଥିତିରେ ସରଞ୍ଜାମଗୁଡ଼ିକୁ ଷ୍ଟେରିଲାଇଜ୍ କରାଯାଇପାରିବ। ଏଥିନେଇ ବିଶେଷ କ୍ଷତି ଘଟିବ ନାହିଁ।