ଏଣିକି ସୀମିତ ଓଭର ଶୃଙ୍ଖଳାରୁ ବିଦେଶ ଗସ୍ତ ଆରମ୍ଭ ହେବ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଗସ୍ତରେ ଘରୋଇ ଦଳ ନିକଟରୁ ଟେଷ୍ଟ ଶୃଙ୍ଖଳା ହାରିବା ଭାରତୀୟ କ୍ରିକେଟ୍‌କୁ ପ୍ରଭାବିତ କରିଛି। ବିଦେଶରେ ଲମ୍ବା ଫମାଟ୍‌ରୁ ଗସ୍ତ ଆରମ୍ଭ କରିବା ଦଳ ଓ ଖେଳାଳିଙ୍କ ପାଇଁ ସହଜ ନୁହେଁ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ ଚିନ୍ତା କରିଛି। ଯାହାର ଫଳ ସ୍ୱରୂପ ଏଣିକି ଭାରତୀୟ ଦଳ କୌଣସି ବିଦେଶ ଗସ୍ତରେ ଆଉ ଆରମ୍ଭରୁ ଟେଷ୍ଟ ଖେଳିବ ନାହିଁ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି। ବିଦେଶରେ ଟେଷ୍ଟ ଶୃଙ୍ଖଳା ଖେଳିବା ପୂର୍ବରୁ ପରିବେଶ ସହ ଖାପ ଖୁଆଇବା ଲାଗି ପ୍ରଥମେ ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ଯୋଜନା କରିଛି ବିସିସିଆଇ। ବିଶେଷକରି ଦକ୍ଷିଣ ଆଫ୍ରିକା ଗସ୍ତରେ ୧-୨ରେ ଟେଷ୍ଟ ଶୃଙ୍ଖଳା ହାରିବା ପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେବାକୁ ଯାଉଛି। ତେଣୁ ଆଗାମୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତ ବେଳେ ପ୍ରଥମେ ଦିନିକିଆ ଓ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳି ଭାରତୀୟ ଦଳ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ପରିବେଶ ସହ ପରିଚିତ ହେବ ବୋଲି ବିସିସିଆଇ ସିଇଓ ରାହୁଲ୍‌ ଜୋହ୍‌ରି କହିଛନ୍ତି। ଏ ସଂପର୍କରେ ଆୟୋଜକ ବୋର୍ଡମାନଙ୍କ ସହ ଆଲୋଚନା କରାଯାଇ ସୂଚୀ ପ୍ରସ୍ତୁତ କରାଯିବ ବୋଲି ଜୋହରି କହିଛନ୍ତି।

ସମ୍ବନ୍ଧିତ ଖବର