ନୂଆଦିଲ୍ଲୀ: ଜୈବ ବଳୟ ମଧ୍ୟରେ କରୋନା ମହାମାରୀ ପ୍ରକୋପ ଯୋଗୁଁ ଆଇପିଏଲ୍‌ ଅନିର୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିଥିଲା ବେଳେ ଏଥିରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିମାନେ କିପରି ନିଜ ନିଜର ଦେଶକୁ ଫେରିବେ ସେନେଇ ଆମେ ବାଟ ବାହାର କରିବୁ ବୋଲି ମଙ୍ଗଳବାର କହିଛନ୍ତି ଲିଗ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ। ସନ୍‌ରାଇଜର୍ସ ହାଇଦ୍ରାବାଦର ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ରିଦ୍ଧିମାନ ଶାହ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ସର ବରିଷ୍ଠ ସ୍ପିନର ଅମିତ ମିଶ୍ରାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି। ଭାରତରୁ ବିଦେଶକୁ ଭ୍ରମଣ କଟକଣା ବଳବତ୍ତର ରହିଥିବାରୁ ଖେଳାଳିମାନଙ୍କ ଫେରିବା ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ତଥାପି ବିଦେଶର ଖେଳାଳିମାନଙ୍କୁ ସ୍ବଦେଶ ଫେରିବାର ବ୍ୟବସ୍ଥା ଆମେ କରିବୁ ବୋଲି ପଟେଲ ଆଶ୍ବାସନା ଦେଇଛନ୍ତି। ଯଥାଶୀଘ୍ର ନିରାପଦରେ ବିଦେଶୀ ଖେଳାଳିମାନେ ସ୍ବଦେଶ ଫେରିବେ ବୋଲି ସେ କହିଛନ୍ତି।

Advertisment

ଆଇପିଏଲ୍‌ ଖେଳିବାକୁ ଆସିଥିବା ୧୪ ଅଷ୍ଟ୍ରେଲୀୟ, ୧୦ ନ୍ୟୁଜିଲାଣ୍ଡ ଏବଂ ୧୧ ଇଂଲଣ୍ଡ ଖେଳାଳି ଭାରତରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ୧୧, ୱେଷ୍ଟଇଣ୍ଡିଜ୍‌ର ୯, ଆଫ୍‌ଗାନିସ୍ତାନର ୩ ଏବଂ ବାଂଲାଦେଶର ୨ ଖେଳାଳି ମଧ୍ୟ ରହିଛନ୍ତି। ବିସିସିଆଇ ସାଂପ୍ରତିକ ସ୍ଥିତିକୁ ପରିଚାଳନା କରିବାର ସାମର୍ଥ୍ୟ ରଖିଛି ବୋଲି ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ ବୋର୍ଡ ବିଶ୍ବାସ ପ୍ରକଟ କରିଛି। ଖେଳାଳିମାନେ ନିରାପଦ ପରିବେଶରେ ଅଛନ୍ତି ଏବଂ ଯେଉଁମାନେ କରୋନା ସଂକ୍ରମିତ ହୋଇଛନ୍ତି ସେମାନେ ସଂଗରୋଧରେ ରହିଛନ୍ତି ବୋଲି ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ କହିଛି। ଆମେ ବିସିସିଆଇ, ଇସିବି ଏବଂ ନ୍ୟୁଜିଲାଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ରହିଛୁ ବୋଲି ନ୍ୟୁଜିଲାଣ୍ଡ ବୋର୍ଡ କହିଛି। ସମ୍ଭବତଃ ନ୍ୟୁଜିଲାଣ୍ଡ ଖେଳାଳିମାନେ ଉଭୟ ଭାରତ ଓ ଇଂଲଣ୍ଡ ଖେଳାଳିଙ୍କ ସହ ସୁରକ୍ଷିତ ଭାବେ ଲଣ୍ଡନ ଗସ୍ତ କରିପାରନ୍ତି।

ଆଇପିଏଲ୍-୧୪ ସ୍ଥଗିତ ହେବା ପରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ନିଜ ଦେଶର ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା କରିଛି। ବିସିସିଆଇର ନିଷ୍ପତ୍ତିକୁ ଦୃଢ଼ ସମର୍ଥନ ଜଣାଇ କ୍ରିକେଟ୍ ଦକ୍ଷିଣ ଆଫ୍ରିକା କହିଛି ଯେ ଘରକୁ ଫେରୁଥିବା ଖେଳାଳିମାନେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିୟମ ଅନୁସାରେ ସଙ୍ଗରୋଧରେ ରହିବେ। ଦକ୍ଷିଣ ଆଫ୍ରିକା ଖେଳାଳି ସଂଘ ଓ ଆମେ ସେମାନଙ୍କ ସହ ନିୟମିତ ଭାବେ ଯୋଗାଯୋଗରେ ରହିଛୁ। ସେମାନଙ୍କୁ ଆମେ ସବୁ ପ୍ରକାର ସମର୍ଥନ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଉଛୁ। ଏଭଳି ଆହ୍ବାନପୂର୍ଣ୍ଣ ସମୟରେ ଆମେ ଖେଳାଳିମାନଙ୍କୁ ସୁରକ୍ଷିତ ରଖିଥିବାରୁ ବିସିସିଆଇକୁ ଧନ୍ୟବାଦ ଦେଉଛୁ।

ବିସିସିଆଇ ସହ ସବୁ ଭାରତୀୟଙ୍କୁ ସୁରକ୍ଷିତ ଓ ସ୍ବାସ୍ଥ୍ୟବାନ ରଖିବାର ଶୁଭେଚ୍ଛା ଜଣାଉଛୁ। ତା’ ସହିତ ଆଇପିଏଲ୍‌ରେ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ପାଇଁ ଯଥାଶୀଘ୍ର ସ୍ବଦେଶ ଫେରିବାର ବ୍ୟବସ୍ଥା କରିବାକୁ ଦଳଗୁଡ଼ିକୁ ଆହ୍ବାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତବର୍ଷର ଆଇପିଏଲ୍‌ରେ କ୍ବିଣ୍ଟନ୍ ଡି’କକ୍, କାଗିସୋ ରବାଦା, ଡେଭିଡ୍ ମିଲର, ଲୁଙ୍ଗି ଏନଗିଡ଼ିଙ୍କ ଭଳି ଖେଳାଳି ଖେଳୁଥିଲେ। ସେହିଭଳି ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋର୍ଟସ ମଧ୍ୟ ବିସିସିଆଇ ନିଷ୍ପତ୍ତିକୁ ସ୍ବାଗତ କରିଛି।