ପାକିସ୍ତାନ ସୁପର ଲିଗ୍ ଖେଳିବାକୁ ଅମଙ୍ଗ ହେଉଛନ୍ତି ବିଦେଶୀ ଖେଳାଳି

ଲାହୋର: ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ଆୟୋଜନକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବର୍ଷ ନାନା ବାଧାବିଘ୍ନର ସମ୍ମୁଖୀନ ହେଉଛି। ଫେବ୍ରୁଆରି ୨୦ରୁ ଆରମ୍ଭ ହୋଇଥିବା ଏହି ଲିଗରେ ମାତ୍ର ୧୪ଟି ମ୍ୟାଚ୍‌ ଖେଳ ହେବା ପରେ କରୋନା ସଂକ୍ରମଣ ବଢିବା କାରଣରୁ ବନ୍ଦ କରିବାକୁ ପଡ଼ିଥିଲା। ଏବେ ଆସନ୍ତା ଜୁନ ୧ରୁ ୨୦ ମଧ୍ୟରେ ଅବଶିଷ୍ଟ ମ୍ୟାଚ୍‌ ଆୟୋଜନ କରିବାକୁ ପିସିବି ଚାହୁଁଥିବା ବେଳେ ଆଉ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଲାଣି। ତାହା ହେଉଛି ଅନେକ ବିଦେଶୀ ଖେଳାଳି ଏହି ଲିଗ୍‌ରେ ଖେଳିବାକୁ ଚାହୁଁନାହାନ୍ତି। ଫଳରେ ମୁଣ୍ଡରେ ହାତ ଦେଲେଣି ପିସିବି କର୍ମକର୍ତ୍ତା।

ବିଭିନ୍ନ କାରଣରୁ ବିଦେଶୀ ଖେଳାଳିମାନେ ଏବର୍ଷ ପିଏସ୍‌ଏଲ୍‌ରେ ଖେଳିବାକୁ ଚାହୁଁନାହାନ୍ତି। ପ୍ରଥମତଃ ପିଏସ୍‌ଏଲ୍‌ରେ ଖେଳୁଥିବା ଅଧିକାଂଶ ବିଦେଶୀ ଖେଳାଳି ଭାରତରେ ଏବେ ଚାଲୁଥିବା ଆଇପିଏଲ୍‌ରେ ଖେଳୁଛନ୍ତି। ଆଇପିଏଲ ମେ’ ୩୦ ତାରିଖରେ ଶେଷ ହେବାକୁ ଥିବା ବେଳେ ବିଦେଶୀ ଖେଳାଳିମାନେ କ୍ଲାନ୍ତିଜନିତ କାରଣରୁ ପିଏସ୍‌ଏଲ୍‌ ଖେଳିବା ବଦଳରେ ବିଶ୍ରାମ ନେବାକୁ ଚାହୁଁଛନ୍ତି। ଦ୍ବିତୀୟ କାରଣଟି ହେଉଛି, ଆସନ୍ତା ଜୁନ୍‌ ମାସରୁ ବିଭିନ୍ନ ଜାତୀୟ ଦଳର ଗସ୍ତସୂଚୀ ଆରମ୍ଭ ହେଉଛି। ଏଣୁ ଖେଳାଳିମାନେ ନିଜ ନିଜ ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ନେଇ ବ୍ୟସ୍ତ ରହିବେ। ଫଳରେ ପିଏସ୍‌ଏଲ୍‌ ପାଇଁ ସମୟ ଦେବା କଷ୍ଟକର ହେବ। କେବଳ କେତେକ ଅବସରପ୍ରାପ୍ତ ଖେଳାଳି ଏହି ଲିଗ୍‌ରେ ଖେଳିବାର ସମ୍ଭାବନା ରହିଛି।

ବିଦେଶୀ ଖେଳାଳିମାନେ ପିଏସ୍‌ଏଲ୍‌ ଖେଳିବାକୁ ଅମଙ୍ଗ ହେବାର ଆଉ ଏକ କାରଣ ରହିଛି। ତାହା ହେଉଛି ପାକିସ୍ତାନରେ କରୋନା ସଂକ୍ରମଣ ମାମଲା ବଢି ଚାଲିଥିବା ବେଳେ ଖେଳାଳିଙ୍କ ସୁରକ୍ଷା ପାଇଁ ଗଠିତ ଜୈବ ବଳୟର ନିୟମାବଳୀ ଠିକ ଭାବରେ ପାଳନ ହେଉନାହିଁ। ଏହି କାରଣରୁ ଗତ ଫେବ୍ରୁଆରିରେ ପିଏସ୍‌ଏଲ୍‌କୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ଆହୁରି ମଧ୍ୟ ପାକିସ୍ତାନ ଏକ ଆତଙ୍କବାଦପ୍ରବଣ ଦେଶ ହୋଇଥିବାରୁ ଖେଳାଳିମାନେ ନିଜର ସୁରକ୍ଷାକୁ ନେଇ ଆଶଙ୍କାରେ ଅଛନ୍ତି। ଏଣୁ ପାକିସ୍ତାନ ଯିବାକୁ ରାଜି ହେଉନାହାନ୍ତି। ଏସବୁ ପ୍ରତିବନ୍ଧକ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ବିଦେଶୀ ଖେଳାଳିଙ୍କ ବଦଳରେ ବିକଳ୍ପ ଖେଳାଳିଙ୍କୁ ନେଇ ଲିଗ୍ ଶେଷ କରିବାକୁ ଯୋଜନା କରୁଛି।

ସମ୍ବନ୍ଧିତ ଖବର