ଭୁବନେଶ୍ବର: ରାଜ୍ୟର ପ୍ରଥମ ଏଭେରେଷ୍ଟ୍ ବିଜୟିନୀ ଦୁଃସାହସିକ କ୍ରୀଡ଼ାବିତ୍ କଳ୍ପନା ଦାଶଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଶନିବାର ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଲକ୍ଡାଉନ୍ କାରଣରୁ କୌଣସି ବିଶେଷ ଉତ୍ସବ ଅୟୋଜିିତ ହୋଇନଥିବାବେଳେ ଢ଼େଙ୍କାନାଳରେ ତାଙ୍କ ପରିବାର ଶ୍ରାଦ୍ଧ କାର୍ଯ୍ୟ ସମ୍ପାଦନ କରିଥିଲେ। ଦିନ ତମାମ ମଧ୍ୟ ସାମାଜିକ ଗଣମାଧ୍ୟମରେ ତାଙ୍କ ସ୍ମୃତିଚାରାଣ କରିଥିଲେ ବହୁ ଶୁଭେଚ୍ଛୁ, ଦୁଃସାହସିକ କ୍ରୀଡ଼ାବିତ୍ ଓ ପ୍ରଶଂସକ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ମୁଖ୍ୟ ଫାଟକ ବାହାରେ ଓଡ଼ିଶାର ଦୁଇ ପ୍ରମୁଖ ଦୁଃସାହସିକ ଅନୁଷ୍ଠାନ ଆଶା (ଆସୋସିଏସନ୍ ଫର୍ ଆଡଭେଞ୍ଚର ଆଣ୍ଡ୍ ସୋସିଆଲ୍ ଆକ୍ଟିଭିଟିଜ୍) ଏବଂ ଓୱାକ୍ (ଓଡ଼ିଶା ଓମେନ୍ ଆଡଭେଞ୍ଜର୍ କ୍ଲବ୍) ପକ୍ଷରୁ ମିଳିତ ଭାବେ ସୀମିତ ଲୋକଙ୍କୁ ନେଇ କଳ୍ପନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆଶାର ସମ୍ପାଦକ ତଥା ଅନ୍ୟତମ ଏଭେରେଷ୍ଟ ବିଜେତା ଗଣେଶ ଚନ୍ଦ୍ର ଜେନା, କର୍ମକର୍ତା ବିକ୍ରମ କିଶୋର ଦାସ, ଦୁଃସାହସିକ କ୍ରୀଡ଼ାବିତ୍ ଚିନ୍ମୟ ମହାରଣା, ଓୱାକ୍ର ମୁଖ୍ୟ ନିବେଦିତା ଆଚାର୍ଯ୍ୟ ଏବଂ କଳ୍ପନାଙ୍କ ଶେଷ ଯାତ୍ରାର ଅନ୍ୟତମ ସହଯୋଗୀ ରଂଜିତ କର୍ମି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କଳ୍ପନା ଦାଶ ଗତବର୍ଷ ମେ' ୨୩ ତାରିଖରେ ଦ୍ବିତୀୟ ଥର ପାଇଁ ଏଭେରେଷ୍ଟ୍ ଆରୋହଣ କରିବା ପରେ ଟ୍ରାଫିକ୍ ଜାମ କାରଣରୁ ଏହାର ବାଲକୋନି ଅଞ୍ଚଳରେ ପ୍ରାଣ ହରାଇଥିଲେ। ୧୧ ଦିନ ପରେ ତାଙ୍କ ମରଶରୀର ଓଡ଼ିଶା ଫେରିଥିଲା। ପୂର୍ବରୁ ସେ ମେ' ୨୧ ୨୦୦୮ ମସିହାରେ ପ୍ରଥମ ଓଡ଼ିଆ ଭାବେ ଏଭେରେଷ୍ଟ୍ ଚଢ଼ି ନୂଆ ଇତିହାସ ରଚିଥିଲେ। ଠିକ୍ ୧୧ ବର୍ଷ ପରେ ପୁଣି ଥରେ ଅରୋହଣ କରିଥିଲେ ମଧ୍ୟ ଆଉ ସଶରୀରେ ଫେରିନଥିଲେ।
ଗତବର୍ଷ କଳ୍ପନାଙ୍କ ଅପ୍ରତ୍ୟାଶିତ ତଥା ନିଜ ଈଛାର ଗୌରବମୟ ମୃତ୍ୟୁ ପରେ କିଛି ସାମାଜିକ କର୍ମୀଙ୍କ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍ରୁ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତାକୁ ତାଙ୍କ ନାମରେ କରିବାକୁ ଅନୁରୋଧ କରାଯାଇଥିଲା। ଏ ସମ୍ପର୍କିତ ସ୍ବାକ୍ଷର ସମ୍ବଳିତ ଦାବିପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ସାମାଜିକ କର୍ମୀ ରୁଦ୍ର ପ୍ରସନ୍ନ ରଥଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ପ୍ରଦାନ କରିଥିଲେ। ରାଜ୍ୟ ପାଇଁ ଗୌରବ ଆଣିଥିବା କଳ୍ପନାଙ୍କ ମରଶରୀର ପାଇଁ ସରକାର ଢ଼େର ଖର୍ଚ କରିଥିଲେ ମଧ୍ୟ ଏହି ନାମକୁ ମାତ୍ର କାମଟିକୁ ଆଖିବୁଜିଦେବା ପରିତାପର ବିଷୟ। ଅନ୍ୟପକ୍ଷରେ ଯୁବ ପର୍ବତାରୋହୀ ନୃସିଂହ ସାହୁ ମଧ୍ୟ କଳ୍ପନାଙ୍କୁ ସ୍ମୃତି ଚାରଣ କରିଛନ୍ତି। ୫୨ ବର୍ଷ ବୟସରେ ଦ୍ବିତୀୟ ଥର ଏଭେରେଷ୍ଟ୍ ଆରୋହଣ ପାଇଁ ଯିବା ତାଙ୍କ ଅଦ୍ଭୂତ ସାହାସ ପ୍ରମାଣ ଥିଲା। ଏହାର ୪ ବର୍ଷ ପୂର୍ବରୁ ସେ ଦିନ ମୋତେ କହିଥିଲେ 'ଏଭେରେଷ୍ଟ୍ ମୋତେ ପୁଣି ଡାକୁଛି, ମୋତେ ଯିବାକୁ ହେବ। ପର୍ବତସବୁ ମୋ ଘର, ମୁଁ ସେଠାରେ ମୃତ୍ୟୁ ବରଣ କଲେ ଅଧିକ ଖୁସି ହେବି'। ପାହାଡ଼ କନ୍ୟା କଳ୍ପନାଙ୍କ ଏଭଳି ଭାବବିହ୍ବଳ କଥାକୁ ମନେ ପକାଇଥିଲେ ନୃସିଂହ ସାହୁ। ରାଜ୍ୟର ଯୁବ ପର୍ବତାରୋହୀଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ ବୋଲି ନୃସିଂହ ପ୍ରକାଶ କରିଥିଲେ।