ରସେଲଙ୍କ ଭଳିଆ କେହି ନୁହଁ: ଫର୍ଗୁସନ୍

ନୂଆଦିଲ୍ଲୀ,: ଚଳିତ ଆଇପିଏଲ୍‌ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ନିର୍ଘାତ ପ୍ରହାର ପ୍ରତିପକ୍ଷ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଛି। ଏପରିକି ଖାସ୍ ରସେଲଙ୍କ ପାଇଁ କେକେଆର୍ କେତେକ ହାରିବା ମ୍ୟାଚ୍‌କୁ ନାଟକୀୟ ଭାବେ ଜିତି ନେଇଛି। ଏପରିକି କେକେଆର୍‌’ର ପାଞ୍ଚ ମ୍ୟାଚ୍ ଭିତରୁ ସେ ତିନି ଥର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରି ସାରିଲେଣି। ସେଥିପାଇଁ ତାଙ୍କୁ ବୋଲିଂ କରିବାକୁ ଆଇପିଏଲ୍‌ର ଅଧିକାଂଶ ବୋଲର ଆପାତତଃ ଏବେ ଡରିଲେଣି। ପଡ଼ିଆରେ ପାଦ ଦେଉ ଦେଉ ରସେଲ ଏମିତି ବିସ୍ଫୋରଣ କରୁଛନ୍ତି ଯେ ଭାଷ୍ୟକାରଠାରୁ ଆରମ୍ଭ କରି ସାଥୀ ଖେଳାଳିମାନେ, ତାଙ୍କୁ ବର୍ଣ୍ଣନା କରିବା ଲାଗି ଶବ୍ଦ ଖୋଜି ପାଉ ନାହାନ୍ତି। କେକେଆର୍‌’ର କିୱି ଦ୍ରୁତ ବୋଲର ଲୋକି ଫର୍ଗୁସନ ମଧ୍ୟ ରସେଲଙ୍କର ଜଣେ ପ୍ରଶଂସକ ପାଲଟି ଯାଇଛନ୍ତି। ରସେଲଙ୍କୁ ଭୂୟଶୀ ପ୍ରଶଂସା କରି ଫର୍ଗୁସନ୍ କହିଛନ୍ତି ଯେ ରସେଲଙ୍କ ଭଳି ଖେଳାଳିଙ୍କୁ ଶବ୍ଦରେ ପରିପ୍ରକାଶ କରିବା ବହୁତ କଷ୍ଟକର। ଚଳିତ ଋତୁରେ ସେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଠିକଣା ସମୟରେ ରନ୍ ବାହାର କରିବାରେ ରସେଲ ପୂରା ଓସ୍ତାଦ। ପ୍ରତିପକ୍ଷଠାରୁ ଯେ କୌଣସି ମୁହୂର୍ତରେ ମ୍ୟାଚ୍ ଛଡ଼ାଇ ନେବାର ଅତୁଲ୍ୟ ଦକ୍ଷତା ତାଙ୍କର ଅଛି। ମୁଁ ମୋ ଜୀବନରେ ତାଙ୍କ ଭଳିଆ ଆଉ ଜଣେ ଖେଳାଳି ଦେଖିନାହିଁ। ସେ ମୋ ଦଳରେ ଥିବାରୁ ମୁଁ ବହୁତ ଖୁସି। କେକେଆର୍‌ର ପ୍ରଥମ ପାଞ୍ଚ ମ୍ୟାଚ୍‌ରୁ ଚାରିଟି ଖେଳିଥିବା ଫର୍ଗୁସନ୍ ଚଳିତ ଥର ତାଙ୍କ ଦଳ ବିଜେତା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ମତ ରଖିଛନ୍ତି। ରସେଲଙ୍କ ବ୍ୟତୀତ ‌ସାଥୀ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ପ୍ରସିଦ୍ଧ ବେଶ୍ ପ୍ରତିଭାବାନ। ସେ ଜଣେ ଚତୁର ବୋଲର। ଶେଷ ଓଭରଗୁଡ଼ିକରେ ସେ ସବୁବେଳେ ଚମତ୍କାର ବୋଲିଂ କରନ୍ତି। ୧୪୫ରୁ ୧୫୦ କିଲୋମିଟର ବେଗରେ ବୋଲିଂ କରିବାର ଦକ୍ଷତା ରଖିଛନ୍ତି ବୋଲି ଫର୍ଗୁସନ୍ କହିଛନ୍ତି।

ସମ୍ବନ୍ଧିତ ଖବର