ନୂଆଦିଲ୍ଲୀ: ପରିସ୍ଥିତି ଯାହା ବି ହେଉ ନା କାହିଁକି, ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବ୍ୟସ୍ତ ହୋଇ ନଥାନ୍ତି। ସେ ସବୁବେଳେ କୌଣସି କାମକୁ ଯୋଜନା ମୁତାବକ କରନ୍ତି ବୋଲି ତାଙ୍କୁ ପ୍ରଶଂସକ ଓ କ୍ରିକେଟ ପ୍ରେମୀମାନେ କ୍ୟାପ୍ଟେନ୍ କୁଲ କୁହନ୍ତି। କେହି କେହି କୁହନ୍ତି ଧୋନି ବରଫ ଠାରୁ ଅଧିକ ଥଣ୍ଡା। ମାତ୍ର ଧୋନି ମଧ୍ୟ ବେଳେ ରାଗି ଯାଆନ୍ତି।
ବର୍ଷ ୨୦୧୧ରେ ଶ୍ରୀଲଙ୍କା ବିପକ୍ଷରେ ବିଶ୍ୱ କପ୍ ଫାଇନାଲରେ ଧୋନି ଓ ଯୁବରାଜ ସିଂହ କ୍ରିଜ ଉପରେ ଥିଲେ। ସମୟ ଥିଲା ଯେ ଧୋନି ଦ୍ରୁତ ଗତିରେ ଦୌଡି ୨ ରନ୍ ନେବାକୁ ଚାହୁଁଥିବା ବେଳେ ଯୁବରାଜ ମନା କରି ଦେଇଥିଲେ। ଏହା ପରେ ଧୋନି ରାଗି ଯାଇଥିଲେ।
ଭାରତ-ବାଂଲାଦେଶ ମଧ୍ୟରେ ମୀରପୁରରେ ୨୦୧୫ରେ ଦିନିକିଆ ମ୍ୟାଚ୍ ଚାଲିଥିଲା। ବାଂଲାଦେଶ ବୋଲର ମୁସ୍ତାଫିଜୁର ରହମାନ ରନ୍ ସଂଗ୍ରହ କରିବାକୁ ଉଦ୍ୟମ କରୁଥିବା ବେଳେ ଧୋନିଙ୍କ ରାସ୍ତାରେ ଆସିବାରୁ ସେ ଧକ୍କା ଦେଇ ଦେଇଥିଲେ। ଏହି ଘଟଣାରେ ରାଗି ଯାଇଥିଲେ ଧୋନୀ।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୨୦୧୭ର ଘଟଣା। ଟି-୨୦ ମ୍ୟାଚରେ ଯୁଜବେନ୍ଦ୍ର ଚହଲଙ୍କ ଭୁଲ ଥ୍ରୋ ନେଇ ଧୋନି ରାଗି ଯାଇଥିଲେ। ଚହଲଙ୍କ ବଲକୁ ଖେଳି ଇଂଲଣ୍ଡର ଜୋଏ ରୁଟ ରନ୍ ଗୋଟିଏ ରନ୍ ନେଇଥିଲେ। ଜସନ ରଏଙ୍କୁ ଆଉଟ କରିବାକୁ ସେହି ସମୟରେ ଏକ ବଡ ସୁଯୋଗ ଥିଲା।
ସେହିଭଳି ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍ରେ ଧୋନି ଓ ମନୀଷ ପାଣ୍ଡେ ୪ର୍ଥ ଓ୍ଵିକେଟ ପାଇଁ ୯୮ ରନ ଭାଗିଦାରୀ ହୋଇପାରିଥିଲେ। ଏହାରି ଭିତରେ ଏକ ମୂହୁର୍ତ୍ତରେ ଧୋନି ରାଗି ଯାଇଥିଲେ। କାରଣ ମନୀଷ ଅନ୍ୟମନସ୍କ ଥାଇ ଧୋନୀଙ୍କୁ ଅାଡ଼କୁ ନ ଦେଖିବାରୁ ସିଙ୍ଗଲକୁ ଦୁଇ ରନରେ ପରିଣତ କରି ପାରି ନ ଥିଲେ। ଏହାପରେ ମନୀଷ ପାଣ୍ଡେଙ୍କୁ ଡାକି ବିରକ୍ତ ହୋଇଥିଲେ ଧୋନୀ ।