ମୁମ୍ବାଇ: ପୂର୍ବତନ ଭାରତୀୟ ଓପନର୍‌ ତଥା ରଣଜୀ ଟ୍ରଫି ବିଜେତା ମୁମ୍ବାଇ ଦଳର ପୂର୍ବତନ ଅଧିନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ପ୍ରାକ୍ତନ କ୍ରିକେଟର୍। ଖେଳାଳି, ପ୍ରଶିକ୍ଷକ, ମାର୍ଗଦର୍ଶକ ତଥା କ୍ୟୁରେଟର୍ ଭାବେ ସଫଳତା ଅର୍ଜନ କରିଥିବା ସୁଧୀର ନାଏକଙ୍କର ୭୮ ବର୍ଷ ବୟସରେ ବୁଧବାର ରାତିରେ ପରଲୋକ ଘଟିଥିଲା। ମାର୍ଚ୍ଚ ୨୪ ତାରିଖରେ ଦାଦରସ୍ଥିତ ବାସଭବନରେ ପଡ଼ିଯିବାରୁ ‌ସେ‌ବେଠାରୁ ଚିକିତ୍ସାଧୀନ ଥିଲେ। ଗୁରୁବାର ପୂର୍ବାହ୍ଣରେ ଶିବାଜୀ ପାର୍କ ଶ୍ମଶାନରେ ତାଙ୍କ ଅନ୍ତେଷ୍ଟି ସଂପନ୍ନ ହୋଇଛି। କିଛି ବର୍ଷ ତଳେ ତାଙ୍କ ପତ୍ନୀ ତଥା ବିଶିଷ୍ଟ ଲେଖିକା ବସୁଧଂରା ପେଣ୍ଡସେ ନାଏକ କର୍କଟ ସହ ସଂଘର୍ଷ କରି ପ୍ରାଣ ହରାଇଥିଲେ। ତାଙ୍କ ଏକମାତ୍ର କନ୍ୟା ରାଧିକା ଦେଶପାଣ୍ଡେ ମେଲବର୍ଣ୍ଣରେ ରହୁଛନ୍ତି।

Advertisment

ଭାରତ ପାଇଁ ୩ ଟେଷ୍ଟ୍‌ (୨୩.୫୦ ହାରରେ ୧୪୧ ରନ୍‌) ଏବଂ ୨ ଦିନିକିଆ (୧୯ ହାରରେ ୩୮ ରନ୍‌)‌ ଖେଳିଥିବା ସୁଧୀର ବମ୍ବେ (ବର୍ତମାନ ମୁମ୍ବାଇ) ପାଇଁ ପ୍ରତିନିଧିତ୍ବ କରିଥିବା ବେଳେ ୮୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୩୫.୨୯ ହାରରେ ୪୩୭୬ ରନ୍‌ ସଂଗ୍ରହ କରିଥିଲେ। ୭ ଶତକ ଓ ୨୭ ଅର୍ଦ୍ଧଶତକ ସାମିଲ ଥିଲା। ରଣଜୀ ଟ୍ରଫିରେ ବରୋଦା ବିପକ୍ଷରେ ୨୦୦* ରନ୍‌ ତାଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର୍ ହୋଇ ରହିଛି। ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ସଫଳତା ଭାବେ ୧୯୭୦-୭୧ରେ ଅପ୍ରତ୍ୟାଶିତ ଭାବେ ତାଙ୍କ ନେତୃତ୍ବରେ ମୁମ୍ବାଇ ରଣଜୀ ଟ୍ରଫି ଜିତିଥିଲା। ସୁନିଲ ଗାଭାସ୍କର, ଅଜିତ ୱାଦେକରଙ୍କ ଭଳି ତାରକା ‌ଖେଳାଳି ଭାରତୀୟ ଦଳ ସହ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିବା ବେଳେ ଦୁର୍ବଳ ମୁମ୍ବାଇ ରଣଜୀ ଟଫି ଫାଇନାଲ୍‌ରେ ତାରକା ଖଚିତ ଚନ୍ଦୁ ବୋର୍ଡେଙ୍କ ମହାରାଷ୍ଟ୍ର ଦଳକୁ ପରାସ୍ତ କରିଥିଲା। ୨୦୨୧ ମସିହାରେ ମୁମ୍ବାଇର ଏହି ୨୨ତମ ବିଜୟର ସ୍ବର୍ଣ୍ଣ ଜୟନ୍ତୀ ପାଳନ କରାଯାଇଥିବା ବେଳେ ସୁଧୀର ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ।
ଅବସର ପରେ ସୁଧୀର ନ୍ୟାସନାଲ୍ କ୍ରିକେଟ୍ ଏକାଡେମିର ମାଲିକ ଓ ପ୍ରଶିକ୍ଷକ ଭାବେ ବହୁ ଅନ୍ତର୍ଜାତୀୟ କ୍ରିକେଟରଙ୍କ ‌ଖେଳ ଜୀବନ ଗଢ଼ିଥିଲେ।

ସେମାନଙ୍କ ମଧ୍ୟରୁ ଜାହିର୍ ଖାନ୍‌, ୱାସିମ୍ ଜାଫର ଓ ନୀଲେଶ କୁଲକର୍ଣ୍ଣି ଅନ୍ୟତମ। ଅନେକ ବର୍ଷ ଧରି ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ କ୍ୟୁରେଟର୍ ଭାବେ କାର୍ଯ୍ୟ କରିଥିଲେ। ମାତ୍ର ୧୮ ବର୍ଷ ବୟସରେ ସୁଧୀର ନାଏକ ମୋ ବୋଲିଂରେ ପ୍ରଭାବିତ ହୋଇ ଯେଉଁ କଥା ହୋଇଥିଲେ ମୁଁ ଆଜିଯାଏ ଭୁଲିପାରିନି। ମୋ ଉପରେ ସେ ଅସମ୍ଭବ ବିଶ୍ବାସ ରଖିଥିଲେ। ତାଙ୍କ ବି‌‌‌ୟୋଗ ମୋ ପାଇଁ ବ୍ୟକ୍ତିଗତ କ୍ଷତି’ ବୋଲି ଜାହିର ଖାନ୍ ପ୍ରକାଶ କରିଛନ୍ତି। ଶାନ୍ତ ସ୍ବଭାବ ଗୁଣ ପାଇଁ ଆମେ ତାଙ୍କୁ ଜେମ୍ସ ବଣ୍ଡ ଡାକୁଥିଲୁ। ସେ କେବଳ ଖେଳାଳି ଭାବେ ମୁମ୍ବାଇ କ୍ରିକେଟ୍‌କୁ ସେବା କରିନଥିଲେ। ଅବସର ପରେ ମଧ୍ୟ ଖେଳାଳି ଗଢ଼ିବା କାର୍ଯ୍ୟ ସହିତ ୱାଙ୍ଖ୍‌ଡେରେ ଭଲ ପିଚ୍ ପ୍ରସ୍ତୁତ କରି ପ୍ରଶଂସିତ ହୋଇଥିଲେ। ଜାତୀୟ କ୍ରିକେଟ୍ କ୍ଲବ୍‌ରେ ଯୁବ ପ୍ରତିଭାଙ୍କୁ ଗଢ଼ିତୋଳିବା କାର୍ଯ୍ୟକୁ ଭୁଲି ହେବ ନାହିଁ। ଭାରତୀୟ କ୍ରିକେଟ୍ ପାଇଁ ଏହା ଏକ ବଡ଼ କ୍ଷତି ବୋଲି ପ୍ରକାଶ କରିଛନ୍ତି କିଂବଦନ୍ତି ବ୍ୟାଟର୍‌ ସୁନିଲ ଗାଭାସ୍କର। ୨୦୧୧ ବିଶ୍ବକପ୍‌ ଫାଇନାଲ୍‌ ପୂର୍ବରୁ ମାତ୍ର ୬ ମାସ ଭିତରେ ୱାଙ୍ଖ୍‌ଡେ ପିଚ୍‌ ପ୍ରସ୍ତୁତ କରି ସେ ଉଚ୍ଚ ପ୍ରଶଂସିତ ‌ହୋଇଥିଲେ।