ଲଣ୍ଡନ : ଭାରତୀୟ କ୍ରିକେଟ୍ ଦଳ ଉପରେ ପ୍ରିନ୍ସ ଅଫ୍ କୋଲ୍କାତା ସୌରଭ ଗାଙ୍ଗୁଲିଙ୍କ ବଳିଷ୍ଠ ପ୍ରଭାବ ଥିଲା ଓ ଅଛି। ସେ ହିଁ ଭାରତକୁ ନୂଆ ରାସ୍ତା ଦେଖାଇଥିଲେ। ଏକଥା ଅନେକ ପୂର୍ବତନ କ୍ରିକେଟର ବହୁବାର କହିସାରିଛନ୍ତି। ଏହି ତାଲିକାରେ ଇଂଲଣ୍ଡର ଆଉ ଜଣେ କିଂବଦନ୍ତି ତାରକା ଡେଭିଡ୍ ଲୟଡ୍ ସାମିଲ ହୋଇଛନ୍ତି। ଗାଙ୍ଗୁଲିଙ୍କର ସେ ଯେ ଜଣେ ବଡ଼ ପ୍ରଶଂସକ ସେକଥା ପୁଣି ଥରେ ଦୋହରାଇଛନ୍ତି ଲୟଡ୍। ‘‘ମୁଁ ଗାଙ୍ଗୁଲିଙ୍କର ଜଣେ ବଡ଼ ପ୍ରଶଂସକ। ଦ୍ରୁତ ବୋଲିଂକୁ ଆମେ ଡରିବୁ ନାହିଁର ଭାବନା ଗାଙ୍ଗୁଲି ହିଁ ଭାରତୀୟ ଦଳକୁ ଦେଇଥିଲେ। ମୁଁ ସବୁବେଳେ ଭାବେ ଭାରତୀୟ କ୍ରିକେଟ୍ ଦଳ ଦେଶ ବାହାରେ ସମ୍ଭବତଃ ବାଉନ୍ସି ପିଚ୍ରେ ଖେଳିବାକୁ ଭଲ ପାଏନି। ହେଲେ ଗାଙ୍ଗୁଲି ପୂର୍ଣ୍ଣ ପ୍ରସ୍ତୁତ ହୋଇ ଅଷ୍ଟ୍ରେଲିଆ ଯାଇଥିଲେ। ଗାଙ୍ଗୁଲିଙ୍କ ସହ ସଚିନ ଓ ଦ୍ରାବିଡ଼ ମଧ୍ୟ ଭାରତୀୟ କ୍ରିକେଟ୍କୁ ନୂଆ ମୋଡ଼ ଦେଇଥିଲେ। ଗାଙ୍ଗୁଲି ବିଦେଶରେ ମଧ୍ୟ ସ୍ପିନରଙ୍କୁ ବହୁତ ଭଲ ଖେଳନ୍ତି। ସେଥିପାଇଁ ସେ ଏକଦା ଭାରତର ସଫଳତମ ଅଧିନାୟକ ଥିଲେ’’ ବୋଲି ଲୟଡ୍ କହିଛନ୍ତି। ଭାରତକୁ ଏକ ବିଶ୍ବସ୍ତରୀୟ ଦଳରେ ପରିଣତ କରିବାରେ ଗାଙ୍ଗୁଲି ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ ବୋଲି ସେ ଦାବି କରିଥିଲେ। ସୂଚନାଯୋଗ୍ୟ ଯେ ଗାଙ୍ଗୁଲି ଅଧିନାୟକ ହେବା ପୂର୍ବରୁ ଭାରତର ବିଦେଶ ପ୍ରଦର୍ଶନ ବହୁତ ଖରାପ ଥିଲା। ହେଲେ ସେ ନେତୃତ୍ବଭାର ଗ୍ରହଣ କରିବା ପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଭାରତ ସେମାନଙ୍କ ଘରେ ପରାସ୍ତ କରିଥିଲା। ନ୍ୟାଟୱେଷ୍ଟ ଟ୍ରଫି ଜିତିବା ସହ ୨୦୦୨ ମସିହାରେ ଭାରତ ଚାମ୍ପିଅନ୍ସ ଟ୍ରଫିର ଯୁଗ୍ମ ବିଜେତା ହୋଇପାରିଥିଲା। ଭାରତ ମଧ୍ୟ ୨୦୦୩ ଏକଦିବସୀୟ ବିଶ୍ବକପ୍ର ଫାଇନାଲ୍ ଖେଳିଥିଲା। ଗାଙ୍ଗୁଲିଙ୍କ ଅଧିନାୟକତ୍ବରେ ଭାରତ ୪୯ ଟେଷ୍ଟ୍ ଖେଳି ୨୧ରେ ବିଜୟୀ ହୋଇପାରିଛି।
ବାଦ୍ ପଡ଼ିଲା ପରେ ବି ଭାଙ୍ଗି ପଡ଼ିନଥିଲେ ଗାଙ୍ଗୁଲି
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୦୫ ଜିମ୍ବାୱେ ଗସ୍ତରୁ ଫେରିବା ପରେ ଦଳରୁ ବାଦ୍ ପଡ଼ିଥିଲେ। ହେଲେ ବାଦ୍ ପଡ଼ିବା ପରେ ସେ ଭାଙ୍ଗି ପଡ଼ିନଥିଲେ ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ମୁଁ ମୋର ଆତ୍ମବିଶ୍ବାସ ହରାଇନଥିଲି। କାରଣ ମୁଁ ଜାଣିଥିଲି ବିଶ୍ବର ଶ୍ରେଷ୍ଠ ବୋଲିଂ ବିପକ୍ଷରେ ସ୍କୋର୍ କରିଛି। ମୋ ପ୍ରଶିକ୍ଷକ ୱାସିମ ଆକ୍ରମ, ଗ୍ଲେନ୍ ମ୍ୟକ୍ଗ୍ରା ଓ ସୋଏବ ଅଖ୍ତରଙ୍କ ବିପକ୍ଷରେ ଖେଳିନଥିଲେ। ମୁଁ ସେମାନଙ୍କ ବିପକ୍ଷରେ କେବଳ ସ୍କୋର୍ କରିନି, ୧୦ ବର୍ଷ ଧରି ସେମାନଙ୍କ ବିପକ୍ଷରେ ସଫଳତା ମଧ୍ୟ ପାଇଛି। ଏଥିପାଇଁ ପୁଣି ଥରେ ସୁଯୋଗ ପାଇବି ବୋଲି ଆଶା ରଖିଥିଲି। ମୁଁ ବାଦ୍ ପଡ଼ିବାରୁ ନିଶ୍ଚିତ ଦୁଃଖିତ ଥିଲି। କିନ୍ତୁ ଆତ୍ମବିଶ୍ବାସ ହରାଇ ନଥିଲି। ଦ୍ବିତୀୟ ଥର ଏଭଳି ନଘଟୁ ବୋଲି ଭାବିଥିବା କଥା ଗାଙ୍ଗୁଲି କହିଛନ୍ତି। ଗାଙ୍ଗୁଲି ୩୧୧ ଦିନିକିଆ ଖେଳି ୨୨ ଶତକ ସହ ୧୧୩୬୩ ରନ୍ କରିଛନ୍ତି। ୧୧୩ ଟେଷ୍ଟ୍ରୁ ୧୬ ଶତକ ସହ ୪୨.୧୭ ହାରରେ ୭୨୧୨ ରନ୍ ସଂଗ୍ରହ କରିଥିବା ଗାଙ୍ଗୁଲି କିନ୍ତୁ ବାଦ୍ ପଡ଼ିବା ନେଇ କେବଳ ତତ୍କାଳୀନ ପ୍ରଶିକ୍ଷକ ଗ୍ରେଗ୍ ଚାପେଲଙ୍କୁ ଦାୟୀ କରିନାହାନ୍ତି।
ଚାପେଲଙ୍କୁ ନିନ୍ଦା କରିବାକୁ ଚାହୁଁନି। ମୋତେ ବାଦ୍ ଦେବା ନେଇ ସେ ହିଁ ଆରମ୍ଭ କରିଥିଲେ ବୋଲି ଏଥିରେ ସନ୍ଦେହ ନାହିଁ। ମୋ ବିପକ୍ଷରେ ସେ ସଙ୍ଗେସଙ୍ଗେ ବୋର୍ଡକୁ ମେଲ୍ କରିଥିଲେ। ଯାହା ପରେ ପ୍ରଘଟ ହୋଇଥିଲା। ଗୋଟିଏ କ୍ରିକେଟ୍ ଦଳ ଗୋଟିଏ ପରିବାର ଭଳି। ପରିବାରରେ ନିଶ୍ଚିତ ଭିନ୍ନ ମତ, ଭୁଲ୍ ବୁଝମଣା ରହିବ। କିନ୍ତୁ ଏହାକୁ ନେଇ ଯୁକ୍ତି କରିବା ଅପେକ୍ଷା ସମାଧାନ କରିବା ଆବଶ୍ୟକ। ଯଦି ତୁମେ ଜଣେ ପ୍ରଶିକ୍ଷକ, ମୁଁ କିଭଳି ଖେଳିଲେ ଭଲ ବୋଲି ଭାବୁଛ ତେବେ ମୋ ନିକଟକୁ ଆସି କହିବା କଥା। ଯେତେବେଳେ ମୁଁ ଫେରିଲି, ସେତେବେଳେ ସେହି କଥା କହିଲ, କିନ୍ତୁ ଆରମ୍ଭରୁ କାହିଁ କଲନି ବୋଲି ଗାଙ୍ଗୁଲି କହିଛନ୍ତି। ଗାଙ୍ଗୁଲି ୨୦୦୫ରୁ ଦଳରୁ ବାଦ୍ ପଡ଼ିବା ପରେ ୨୦୦୬ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଫେରିବା ପରେ ସେ ପରବର୍ତ୍ତୀ ଦୁଇ ବର୍ଷ ଭଲ ଖେଳିଥିଲେ।