ଲଣ୍ଡନ: ପୂର୍ବତନ ଇଂଲଣ୍ଡ ବୋଲର ଏବଂ କ୍ରିକେଟ୍ ଭାଷ୍ୟକାର ରବିନ୍ ଜାକ୍ମ୍ୟାନ୍ଙ୍କର ଶନିବାର ପରଲୋକ ଘଟିଛି। ତାଙ୍କୁ ୭୫ ବର୍ଷ ହୋଇଥିଲା। ଜାକ୍ମ୍ୟାନ୍ ଇଂଲଣ୍ଡ ପାଇଁ ୧୯୮୧ରେ ବ୍ରିଜ୍ଟାଉନ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିଲେ। ସେ ପ୍ରଥମ ଟେଷ୍ଟ୍ରେ ୫ ୱିକେଟ୍ ଅକ୍ତିଆର କରି ପଦାର୍ପଣକୁ ସ୍ମରଣୀୟ କରିଥିଲେ। ହେଲେ ଇଂଲଣ୍ଡ ପାଇଁ ୪ ଟେଷ୍ଟ୍ ଖେଳି ସେ ଅବସର ନେଇଯାଇଥିଲେ। ଟେଷ୍ଟ୍ ବ୍ୟତୀତ ସେ ଇଂଲଣ୍ଡ ପକ୍ଷରୁ ୧୫ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ମଧ୍ୟ ଖେଳିଥିଲେ। ସେଥିରେ ସେ ୧୯ ୱିକେଟ୍ (୩୧.୪୭ ହାରାହାରି) ଦଖଲ କରିଥିଲେ। ତେବେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତାଙ୍କର ଚମତ୍କାର ପ୍ରଦର୍ଶନ ରହିଥିଲା। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୩୯୯ ମ୍ୟାଚ୍ ଖେଳି ୧୪୦୦ରୁ ଅଧିକ ୱିକେଟ୍ ଦଖଲ କରିଥିଲେ। ଏହି ଡାହାଣ ହାତୀ କ୍ରିକେଟର୍ ୧୭ ଅର୍ଧଶତକ ସହାୟତାରେ ୫୬୮୧ ରନ୍ ମଧ୍ୟ ନିଜ ନାମରେ କରିଥିଲେ।
ଇଂଲଣ୍ଡର ଜଣେ ଟେଷ୍ଟ୍ କ୍ରିକେଟର୍ ବ୍ୟତୀତ ଖ୍ୟାତନାମା ଭାଷ୍ୟକାର ଭାବେ ସେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ମୃତ୍ୟୁରେ ମର୍ମାହତ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ) ନିଜ ଟ୍ବିଟରରେ ରବିନ୍ଙ୍କ ପରିବାର ଓ ବନ୍ଧୁ ପରିଜନଙ୍କ ଉଦେଶ୍ୟରେ ଶୋକବାର୍ତା ପୋଷ୍ଟ କରିଛି। ରବିନ୍ଙ୍କ ପରଲୋକରେ ଆମେ ଖୁବ୍ ମର୍ମାହତ। ତାଙ୍କ ପରିବାରକୁ ଏଭଳି ଦାରୁଣ ଆଘାତ ସମୟରେ ଭଗବାନ ସହାୟକ ହୁଅନ୍ତୁ ଏବଂ କ୍ରିକେଟ୍ ବିଶ୍ବ ତାଙ୍କ ପଛରେ ରହିବ ବୋଲି ଆଇସିସି ଟ୍ବିଟ୍ କରିଛି। କ୍ରିକେଟ୍ ସମୁଦାୟ ମଧ୍ୟ ଜାକ୍ମ୍ୟାନ୍ଙ୍କୁ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାସୁମନ ଜଣାଇଛି। ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍ ଏବି ଡିଭିଲିୟର୍ସ, ଇଂଲଣ୍ଡର ମହାନ୍ ତାରକା ଇଆନ୍ ବୋଥାମ୍, ପାକିସ୍ତାନର ରମିଜ୍ ରାଜା ପ୍ରମୁଖ ଶୋକବାର୍ତା ପଠାଇ ତାଙ୍କ ସ୍ମୃତିଚାରଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/fh4fs9h4fsfs4645f6f4f5.jpg)