ପୂର୍ବତନ ଫୁଟ୍ବଲର୍ ୱାସିମ୍ଙ୍କ ପରଲୋକ
ହାଇଦ୍ରାବାଦ : ପୂର୍ବତନ ଆନ୍ତର୍ଜାତିକ ଫୁଟ୍ବଲ୍ ତାରକା ତଥା ଭାରତର ସୁପ୍ରସିଦ୍ଧ ପ୍ରଶିକ୍ଷକ ସ୍ବର୍ଗତ ଏସ୍ଏ ରହିମ୍ଙ୍କ ପୁତ୍ର ଏସ୍ଏସ୍ ୱାସିମ୍ଙ୍କର ପରଲୋକ ଘଟିଛି। ୭୦ ବର୍ଷ ବୟସ୍କ ୱାସିମ୍ ହୃଦ୍ଘାତରେ ମଙ୍ଗଳବାର ପରଲୋକ ଗମନ କରିଛନ୍ତି। ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଏବଂ ଆନ୍ଧ୍ର ପ୍ରଦେଶକୁ ନେତୃତ୍ବ ଦେଇଥିବା ୱାସିମ୍ ବିଶେଷକରି ମାତେନ ନାମରେ ଲୋକପ୍ରିୟ ଥିଲେ। ବହିଃଶୁଳ୍କ ଓ କେନ୍ଦ୍ରୀୟ ଅବକାରୀ ବିଭାଗରେ ଜଣେ ସହକାରୀ କମିଶନର ଭାବେ ଅବସର ନେଇଥିବା ୱାସିମ୍ଙ୍କ ପତ୍ନୀ ଓ ଦୁଇ ପୁଅ ଅଛନ୍ତି। ତାଙ୍କ ମୃତ୍ୟୁରେ ୱାସିମ୍ଙ୍କ ଭାଇ ତଥା ଅଲିମ୍ପିଆନ୍ ଫୁଟ୍ବଲର୍ ଏସ୍ଏସ୍ ହାକିମ୍ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ୱାସିମ୍ ତାଙ୍କ ସମୟରେ ଜଣେ ଦମ୍ଦାର ଖେଳାଳି ଥିଲେ। ଯିଏକି କୋଲ୍କାତାର ପ୍ରମୁଖ ତିନି କ୍ଲବ୍ ଇଷ୍ଟବେଙ୍ଗଲ, ମୋହନ ବାଗାନ୍ ଓ ମହମ୍ମଡାନ୍ ସ୍ପୋର୍ଟିଂ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲେ। ହେଲେ ଯେହେତୁ ସେ ପରିବାରର ସର୍ବକନିଷ୍ଠ ଥିଲେ, ତାଙ୍କ ମା’ ପରେ କୋଲ୍କାତା ଯିବାକୁ ତାଙ୍କୁ ଅନୁମତି ଦେଇନଥିଲେ। ଏକଥା କହିଥିଲେ ୱାସିମ୍। ପୂର୍ବତନ ଭାରତୀୟ ଅଧିନାୟକ ଭିକ୍ଟର ଅମଲ୍ ରାଜ୍ ତାଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ୱାସିମ୍ଙ୍କ ସହ ଖେଳିବା ସମୟର ସ୍ମୃତି ରୋମନ୍ଥନ କରିଥିଲେ। ପାଟନାରେ ଆୟୋଜିତ ୧୯୭୬ ସନ୍ତୋଷ ଟ୍ରଫିରେ ୱାସିମ୍ଙ୍କ ନେତୃତ୍ବରେ ମୁଁ ଖେଳିବାର ସୁଯୋଗ ପାଇଥିଲି। ସେ ଜଣେ ଅତ୍ୟନ୍ତ ଭଦ୍ର ଲୋକ ଥିଲେ ବୋଲି କହିଛନ୍ତି ଭିକ୍ଟର ଅମଲ ରାଜ୍। ୱାସିମ୍ ମଧ୍ୟ ନିଜାମ୍ ମହାବିଦ୍ୟାଳୟ ଏବଂ ଓସ୍ମାନିଆ ବିଶ୍ବବିଦ୍ୟାଳୟ ପାଇ ଖେଳିଥିଲେ। ସେ ୧୯୭୬ ମାଲେସିଆରେ ଆୟୋଜିତ ମେର୍ଦେକା କପ୍ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିଲେ ବୋଲି ତାଙ୍କ ଭାଇ ହାକିମ୍ କହିଛନ୍ତି। ୱାସିମ୍ଙ୍କ ମୃତ୍ୟୁରେ ତେଲେଙ୍ଗାନା ଫୁଟ୍ବଲ୍ ସଂଘ ଶୋକ ବ୍ୟକ୍ତ କରିଛି।