ପୂର୍ବତନ ଭାରତୀୟ ମିଡ୍‌ଫିଲ୍‌ଡର ସେନଗୁପ୍ତାଙ୍କ ପରଲୋକ

କୋଲ୍‌କାତା : ପୂର୍ବତନ ଭାରତୀୟ ମିଡ୍‌ଫିଲ୍‌ଡର ଏବଂ ଇଷ୍ଟବେଙ୍ଗଲ କିଂବଦନ୍ତି ସୁରଜିତ୍‌ ସେନଗୁପ୍ତା ପରଲୋକ ଗମନ କରିଛନ୍ତି। କୋଭିଡ୍‌ ମହାମାରୀ ସହ ସଂଘର୍ଷ କରିବା ପରେ ଗୁରୁବାର ଏଠାରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ଆସିବା ପରେ ଗତ ଜାନୁଆରି ୨୩ ତାରିଖରେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ ସପ୍ତାହ ପର୍ଯ୍ୟନ୍ତ ସେ ଭେଣ୍ଟିଲେଟର୍‌ରେ ରହିଥିଲେ। ହେଲେ ଗୁରୁବାର ପୂର୍ବାହ୍ନରେ ତାଙ୍କ ମୃତ୍ୟୁ ଖବର ପହଞ୍ଚିଥିଲା। ଗତମାସରେ ଅନ୍ୟଜଣେ କିଂବଦନ୍ତି ସୁବାଷ ଭୌମିକ୍‌ଙ୍କ ମୃତ୍ୟୁ ପରେ ସେନଗୁପ୍ତାଙ୍କ ପରଲୋକ ଇଷ୍ଟବେଙ୍ଗଲ ପାଇଁ ଦାରୁଣ ଧକ୍କା ଲାଗିଛି। ଇଷ୍ଟବେଙ୍ଗଲର ସ୍ବର୍ଣ୍ଣିମ ଯୁଗରେ ଅଂଶବିଶେଷ ଥିଲେ ସେନଗୁପ୍ତା।

ସେ ୧୯୭୦ରୁ ୧୯୭୬ ପର୍ଯ୍ୟନ୍ତ ଲଗାତାର ୬ ଥର କୋଲ୍‌କାତା ଫୁଟ୍‌ବଲ୍‌ ଲିଗ୍‌ ଟ୍ରଫି ଜିତିଥିଲେ। ଏହା ବ୍ୟତୀତ ୬ ଥର ଆଇଏଫ୍‌ଏ ସିଲ୍‌ଡ ଏବଂ ତିନି ଥର ଡୁରାଣ୍ଡ କପ୍‌ ଜିତିବାର ଗୌରବ ବହନ କରିଥିଲେ। ୧୯୫୧ ମସିହା ଅଗଷ୍ଟ ୩୦ ତାରିଖରେ ଜନ୍ମ ଗ୍ରହଣ କରିଥିବ‌ା ସେନଗୁପ୍ତା କିଡେରପୋର୍‌ କ୍ଲବ୍‌ରେ ହିଁ ତାଙ୍କ ଫୁଟ୍‌ବଲ ଜୀବନ ଆରମ୍ଭ କରିଥିଲେ। ଏହାପରେ କୋଲ୍‌କାତା ମଇଦାନର ୩ ବଡ଼ କ୍ଲବ୍‌ର ପ୍ରତିନିଧିତ୍ବ କରିଥିଲେ। ମୋହନ ବାଗାନ ପାଇଁ ୧୯୭୨ରୁ ଦୁଇ ଋତୁ ଧରି ଖେଳିବା ପରେ ୧୯୭୪ରୁ ୬ ବର୍ଷ ଧରି ଇଷ୍ଟବେଙ୍ଗଲ ପାଇଁ ଖେଳିଥିଲେ। ସେ ମଧ୍ୟ ୧୯୮୦ରେ ମହମ୍ମଡାନ ସ୍ପୋର୍ଟିଂ ପାଇଁ ଚୁକ୍ତିବଦ୍ଧ ହୋଇଥିଲା ବେଳେ ଜୀବନର ଶେଷ ସମୟରେ ପୁନର୍ବାର ମୋହନବାଗାନକୁ ଫେରିଆସିଥିଲେ।
ତାଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶେକ ବ୍ୟକ୍ତ କରିଛନ୍ତି। ‘‘ଆଜି ଆମେ ଭେଟେରାନ ତାରକା ଫୁଟ୍‌ବଲର୍‌ଙ୍କୁ ହରାଇଲୁ। ଫୁଟ୍‌ବଲ୍‌ ପ୍ରଶଂସକଙ୍କ ପାଇଁ ଏହା ହୃଦୟବିଦାରକ ଘଟଣା। ଜଣେ ଭଦ୍ର ବ୍ୟକ୍ତି ଏବଂ ଚମତ୍କାର ଜାତୀୟ କ୍ରୀଡ଼ାବିତ୍‌ ଭାବେ ସେ ସର୍ବଦା ଆମ ହୃଦୟରେ ରହିବେ’’ ବୋଲି ମମତା ଶୋକ ବାର୍ତାରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର