ରାଉରକେଲା: ହକି ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ଭାରତୀୟ ଅଲିମ୍ପିକ ସଂଘର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ହକି ଇଣ୍ଡିଆ ସଭାପତି ଡ. ନରିନ୍ଦର ଧ୍ରୁବ ବାତ୍ରା। ସାମାଜିକ ଗଣମାଧ୍ୟରେ ସେ ଖେଳାଳି ଚୟନ, ହକି ଇଣ୍ଡିଆ ପରିଚାଳନାରେ ଯାବତୀୟ ଅବ୍ୟବସ୍ଥା ବିଷୟରେ ଅଭିଯୋଗ ଆଣିଛନ୍ତି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଚଳିତ ପ୍ରୋଲିଗ୍ରେ ଭାରତୀୟ ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଏନେଇ ପ୍ରତିକ୍ରିୟା ରଖି ଡ. ବାତ୍ରା ଅଭିଯୋଗ କରିଛନ୍ତି, ଗଣମାଧ୍ୟମରେ ସୁବ୍ୟବସ୍ଥିତ କାହାଣୀ ମାଧ୍ୟମରେ ଦେଶକୁ ଭ୍ରମିତ କରିବା ବନ୍ଦ କରନ୍ତୁ।
ଭାରତର ସବୁଠାରୁ ଅଭିଜ୍ଞ ଓ ଫିଟ୍ ମିଡ୍ଫିଲ୍ଡର ମନପ୍ରୀତ ସିଂହ (୪୧୧ ଅନ୍ତର୍ଜାତୀୟ ମ୍ୟାଚ୍)ଙ୍କୁ ବାଦ୍ ଦେବା ଏକ ଅତ୍ୟନ୍ତ ଗମ୍ଭୀର ପ୍ରଶ୍ନ ଉଠାଏ। ଦିଲୀପଙ୍କ ୪୧୨ ଅନ୍ତର୍ଜାତୀୟ ମ୍ୟାଚ୍ର ବ୍ୟକ୍ତିଗତ ଜାତୀୟ ରେକର୍ଡ ଯେମିତି ଅତୁଟ ରୁହେ, ସେଥିପାଇଁ ମନପ୍ରୀତଙ୍କୁ ଜାଣିଶୁଣି ବାହାରେ ରଖାଯାଉନି ତ? ବୋଲି ପ୍ରଶ୍ନ କରିଛନ୍ତି ବାତ୍ରା। ଯଦି ଏହା ନୁହେଁ, ତା’ହେଲେ ବାଦ୍ ଦେବାର କାରଣ ବିଷୟରେ ଦେଶ ସମ୍ମୁଖରେ ସ୍ପଷ୍ଟ ଓ ସ୍ୱଚ୍ଛଭାବେ କୁହନ୍ତୁ। କୌଣସି ସଭାପତିଙ୍କ ପାଖରେ ବ୍ୟକ୍ତିଗତ ମାଇଲଖୁଣ୍ଟକୁ ସୁରକ୍ଷିତ ରଖିବାପାଇଁ ଦଳ ଚୟନକୁ ପ୍ରଭାବିତ କରିବାର ନୈତିକ ଅଧିକାର ନାହିଁ। ଏହାସହ ଭାରତର ଶ୍ରେଷ୍ଠ ଗୋଲକିପର କ୍ରିଷନ ବାହାଦୁର ପାଠକଙ୍କୁ ବାଦ୍ ଦେବା ଆଶ୍ଚର୍ଯ୍ୟଜନକ ବୋଲି ଲେଖିଛନ୍ତି ସେ।
ଆହୁରି ପଢ଼ନ୍ତୁ: Lulu Mahapatra: ଲୁଲୁ ମହାପାତ୍ରଙ୍କ ଜୟନ୍ତୀରେ ବ୍ୟାଟେରି ଚାଳିତ ଅଟୋ ପ୍ରଦାନ
ବାତ୍ରା ଆହୁରି ଅଭିଯୋଗ କରିଛନ୍ତି, ସଂପ୍ରତି ଜଣେ ଅଣ-ଅଲିମ୍ପିଆନ ଚୟନ କମିଟିର ଅଧ୍ୟକ୍ଷ ଥିବାବେଳେ ହକି ଇଣ୍ଡିଆର ମହାସଚିବ ଜଣେ କୁସ୍ତି ପ୍ରଶିକ୍ଷକ, ଯାହାଙ୍କ ପାଖରେ ହକିର କୌଣସି ବିଶେଷ ଅଭିଜ୍ଞତା ନାହିଁ। ସେହିଭଳି ମୁଖ୍ୟ ପ୍ରଶିକ୍ଷକ ପ୍ରଶାସନ ଆଗରେ ମୁଣ୍ଡ ନୁଆଁଇଥିବା ଅଭିଯୋଗ କରିଛନ୍ତି। ଜବାବରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି, ଯିଏ ବି କହିଛନ୍ତି, ତାକୁ ଗୁରୁତର ସହ ନିଅନ୍ତୁ ନାହିଁ। ହକି ଇଣ୍ଡିଆ ଏନେଇ ନିଷ୍ପତ୍ତି ନେଇଛି। ପ୍ରକୃତରେ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ବର୍ଷେହେଲା ପ୍ରସ୍ତୁତି ଚାଲିଛି। ଦକ୍ଷିଣ ଆଫ୍ରିକାରୁ ଫେରିଲା ପରେ, କ’ଣ ପାଇଁ ମନପ୍ରୀତ୍ଙ୍କୁ ଦଳରୁ ବାଦ୍ ଦିଆଯାଇଛି, ତାହା ସମସ୍ତେ ଜାଣିଛନ୍ତି। ସୂଚନାଯୋଗ୍ୟ, ମନପ୍ରୀତ୍ କିଛି ବିଶୃଙ୍ଖଳିତ ଆଚରଣ କାରଣରୁ ଦଳରେ ସ୍ଥାନ ପାଇନଥିବା ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/14/14rkl_32_14022026_2112-2026-02-14-21-38-47.jpg)