କଟକ: ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ’ଙ୍କର ଆଜି ଅପରାହ୍‌ଣ ସାଢ଼େ ୨ଟା ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ସମୀର ଦେ’ଙ୍କର ପୂର୍ବରୁ କୋଲକାତାରେ କିଡନି ପ୍ରତିରୋପଣ ହୋଇଥିବା ବେଳେ  କିଛି ଦିନ ପୂର୍ବରୁ ସେ ଫୁସ୍‌ଫୁସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ସମେତ ବହୁ ନେତା ବିଭିନ୍ନ ସମୟରେ ସିଡିଏ ସ୍ଥିତ ଘରୋଇ ହସ୍ପିଟାଲକୁ ଆସି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। କିନ୍ତୁ ଆଜି ସମୀର ଦେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସଂପର୍କରେ ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା। 

Advertisment

ତାଙ୍କ ମରଶରୀରକୁ ସିଡିଏସ୍ଥିତ ବାସଭବନରେ ରଖାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଥିଲେ। ପରେ ମରଶରୀରକୁ ଭୁବନେଶ୍ବର ନିଆଯାଇଥିବା ବେଳେ ପୁଣି କଟକ ଅଣାଯାଇ ରାତିରେ ବିଭିନ୍ନ ସ୍ଥାନକୁ ନିଆଯାଇଥିଲା। ସମୀର ଦେଙ୍କ ବହୁ ପ୍ରଶଂସକ, ଶୁଭେଚ୍ଛୁ, ଅନୁଗତ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ଖାନନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଶେଷ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଡାକ୍ତର ଦୀପିକା ଦତ୍ତରାୟ, ଏକମାତ୍ର ଝିଅ ଡାକ୍ତର ଶିଳ୍ପୀ ବୈଷ୍ଣବୀ ଦେ, ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ସମୀର ଦେଙ୍କୁ ସମ୍ମାନ ଜଣାଇ ଆଜି ଐତିହାସିକ କଟକ ବାଲିଯାତ୍ରାରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଛି। 

ଜଗତସିଂହପୁର ଅଞ୍ଚଳର ମୂଳ ବାସିନ୍ଦା ସମୀର ଦେ ୧୯୫୭ ଜାନୁଆରି ୧୦ ରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ କଟକ ସହରରେ ଛାତ୍ର ରାଜନୀତିରୁ ନିଜର ସାମାଜିକ ଜୀବନ ଆରମ୍ଭ କରି ରାଜନୀତିରେ ସଫଳତା ହାସଲ କରିଥିଲେ। କଟକରେ ‘ଦାଦା’ ଭାବେ ଲୋକପ୍ରିୟ ସମୀର ଦେ ସାଧାରଣ ଜନତାଙ୍କ ନେତା ଭାବେ ପରିଗଣିତ ହେଉଥିଲେ। ନବେ ଦଶକରୁ ଏ ପର୍ଯ୍ୟନ୍ତ ସେ କଟକରେ ବିଜେପିର ସର୍ବାଧିକ ସ୍ବୀକୃତ ଚେହେରା ଭାବେ ପରିଗଣିତ ହେଉଥିଲେ। ସେ କଟକ ସହର ବିଧାନସଭା ଆସନରୁ ଲଗାତାର ୩ ଥର ବିଜୟୀ ହୋଇ ହ୍ୟାଟ୍ରିକ କରିବାର ରେକର୍ଡ ରଖିଛନ୍ତି। ସେ ୧୯୯୫, ୨୦୦୦ ଓ ୨୦୦୪ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲେ। ଅବିଭକ୍ତ କଟକ ଜିଲ୍ଲାର ସେ ପ୍ରଥମ ବିଜେପି ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ଓ ୨୦୦୪ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେପି-ବିଜେଡି ମିଳିତ ସରକାର ସମୟରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ। ନଗର ଉନ୍ନୟନ, ଉଚ୍ଚ ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥାଇ ସେ କଟକରେ ଅନେକ ବିକାଶମୂଳକ କାର୍ଯ୍ୟକୁ ବାସ୍ତବ ରୂପ ଦେଇଥିଲେ। ରେଭେନ୍ସାକୁ ବିଶ୍ବବିଦ୍ୟାଳୟ ମାନ୍ୟତା, କଟକରେ ଏକାଧିକ ବିଶ୍ବବିଦ୍ୟାଳୟ ସ୍ଥାପନରେ ତାଙ୍କ ପ୍ରମୁଖ ଭୂମିକା ରହିଥିଲା। ସେହିଭଳି କଟକରେ ଜାଇକା ପ୍ରକଳ୍ପ କାର୍ଯ୍ୟକାରୀ କରାଇବା ଦିଗରେ ମଧ୍ୟ ତାଙ୍କର ପ୍ରମୁଖ ଅବଦାନ ଥିଲା। 

ସମୀର ଦେ ବହୁ ଦିନ ଧରି କ୍ରୀଡ଼ା ପ୍ରଶାସନ ସହ ମଧ୍ୟ ସଂପୃକ୍ତ ରହିଥିଲେ। ଓଡ଼ିଶା ଅଲମ୍ପିକ ଆସୋସିଏସନ୍‌ ଓ କ୍ରିକେଟ ଆସୋସିଏନ୍‌ ସହ ତାଙ୍କର ସଂପୃକ୍ତି ରହିଥିବା ବେଳେ ସେ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ (ଫାଓ)ର ସଭାପତି ରହିଥିଲେ। କଟକରେ ଶାନ୍ତି କମିଟି ଓ ବିଭିନ୍ନ ପୂଜା କମିଟିରେ ତାଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ରହିଥିବା ବେଳେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରି ଆସୁଥିଲେ। କଟକ ମହାନଗର ଶାନ୍ତି କମିଟି, ବାସ୍ତରୀ ସଂକୀର୍ତ୍ତନ ମଣ୍ଡଳୀ, କଟକ ମହାନଗର ନଦୀୟା ସଂକୀର୍ତ୍ତନ ମହାମଣ୍ଡଳ, ଭାରତମାତା ପୂଜନ ସମିତି ଭଳି ବହୁ ଅନୁଷ୍ଠାନ ସହ ସେ ଶେଷ ସମୟ ପର୍ଯ୍ୟନ୍ତ ସଂପୃକ୍ତ ରହି ଆସିଥିଲେ। ସମୀର ଦେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ‌ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଶୋକବ୍ୟକ୍ତ କରିଛନ୍ତି।