ଇମିଲିଆ: ମର୍ସିଡିଜ୍ ଚାଳକ ଲୁଇସ ହାମିଲଟନ୍ ରବିବାର ଇମିଲିଆ ରୋମାଗ୍ନା ଗ୍ରାଁ ପ୍ରି ଫର୍ମୁଲା ୱାନ୍ ଟ୍ରଫି କରାୟତ୍ତ କରିଛନ୍ତି। ବିଜୟ ସହ ଏହି ବ୍ରିଟିସ୍ ଚାଳକ ନିଜର ଗ୍ରାଁ ପ୍ରି ଟ୍ରଫି ସଂଖ୍ୟା ୯୩କୁ ବଢ଼ାଇଛନ୍ତି। ହାମିଲଟନ୍ଙ୍କ ପଛକୁ ତାଙ୍କ ଦଳୀୟ ସାଥୀ ଭାଲଟାରି ବୋଟ୍ଟାସ ଦ୍ବିତୀୟ ସ୍ଥାନରେ ରହି ମର୍ସିଡିଜ୍କୁ ୧-୨ ଫିନିସ୍ ଦେଇଛନ୍ତି। ୧-୨ ଫିନିସ ବଳରେ ମର୍ସିଡିଜ୍ ଚଳିତ ବର୍ଷ ୪୩୫ ପଏଣ୍ଟ୍ ସହ ଫର୍ମୁଲା ୱାନ୍ କନ୍ଷ୍ଟ୍ରକ୍ଟର୍ସ ଟ୍ରଫି ନିଜ ନାମରେ କରିଛି। ରେଡ୍ବୁଲ (୨୨୬) ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି। ଏଥି ସହିତ ମର୍ସିଡିଜ୍ ଲଗାତାର ସପ୍ତମ ଥର ପାଇଁ କନ୍ଷ୍ଟ୍ରକ୍ଟର୍ସ ଟ୍ରଫି ଜିତିବାରେ ଫର୍ମୁଲା ୱାନ୍ ଇତିହାସରେ ପ୍ରଥମ ଦଳ ହୋଇଛି। ପୂର୍ବରୁ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଲଗାତାର ୬ ବର୍ଷ ଫେରାରି ଏହି ଟ୍ରଫି କରାୟତ୍ତ କରିଥିଲା। ଫର୍ମୁଲା ୱାନ୍ କନ୍ଷ୍ଟ୍ରକ୍ଟର୍ସ ମୁକୁଟ ଜିତିବାରେ ମର୍ସିଡିଜ୍ ମୋଟ ଉପରେ ଚତୁର୍ଥରେ ରହିଥିଲା ବେଳେ ଫେରାରି (୧୬) ଶୀର୍ଷରେ ଏବଂ ୱିଲିୟମ୍ସ (୯) ଦ୍ବିତୀୟ ଓ ମ୍ୟକ୍ଲରେନ (୮) ତୃତୀୟ ସ୍ଥାନରେ ରହିଛି। ଇମିଲିଆରେ ମର୍ସିଡିଜ୍ର ଦୁଇ ଚାଳକ ହାମିଲଟନ୍ ଓ ବୋଟ୍ଟାସ ପ୍ରଥମ ଦୁଇ ସ୍ଥାନ ଅଧିକାର କରିଥିଲା ବେଳେ ରେନଲ୍ଟର ଡାନିଏଲ ରିକାର୍ଡୋ ତୃତୀୟ ସ୍ଥାନରେ ରହିଥିଲେ।
ଫର୍ମୁଲା ୱାନ୍: ମର୍ସିଡିଜ୍ର ନୂଆ କୀର୍ତ୍ତିମାନ, ଇମିଲିଆରେ ଜିତିଲେ ହାମିଲଟନ୍
/sambad/media/post_attachments/wp-content/uploads/2020/11/hamilton.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)