ହାମିଲଟନ୍‌ଙ୍କଠୁ ବିଜୟ ଛଡ଼ାଇନେଲେ ଭେଟେଲ୍‌

ଫର୍ମୁଲା ଓ୍ଵାନ୍‌ ଋତୁ ଆରମ୍ଭ

ମେଲ୍‌ବର୍ନ: ଫର୍ମୁଲା ଓ୍ଵାନର ୨୦୧୮ ଋତୁ ଆରମ୍ଭ ହୋଇଛି। ରବିବାର ମେଲବର୍ନ ସର୍କିଟରେ ଅନୁଷ୍ଠିତ ଅଷ୍ଟ୍ରେଲିଆନ୍‌ ଗ୍ରାଁ ପ୍ରିରେ ଫେରାରି ଚାଳକ ସେବାଷ୍ଟିଏନ୍‌ ଭେଟେଲ୍‌ ଶେଷ ମୁହୂର୍ତରେ ଲୁଇସ୍‌ ହାମିଲଟନଙ୍କଠାରୁ ବିଜୟ ଛଡ଼ାଇ ନେଇ ଅଭିଯାନ ଆରମ୍ଭ କରିଛନ୍ତି। ଜର୍ମାନି ତାରକା ଭେଟେଲ୍‌ ୧ ଘଣ୍ଟା ୨୯ ମିନିଟ୍‌ ୩୩.୨୮୩ ସେକେଣ୍ଡ୍‌ ସମୟ ନେଇଥିବାବେଳେ ମର୍ସିଡିଜ୍‌ର ବ୍ରିଟିସ୍‌ ଚାଳକ ହାମିଲଟନ୍‌ ୫.୦୩୬ ସେକେଣ୍ଡ୍‌ ଅଧିକ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଭେଟେଲଙ୍କ ଫେରାରି ସାଥି କିମି ରାଇକୋନେନ୍‌ ତୃତୀୟ ସ୍ଥାନରେ ରହିଥିଲେ। ପ୍ରଥମ ୩ ସ୍ଥାନରେ ରହିଥିବା ୩ ଖେଳାଳିଙ୍କୁ ଯଥାକ୍ରମେ ୨୫, ୧୮ ଏବଂ ୧୫ ପଏଣ୍ଟ୍‌ ମିଳିଛି। ରେଡ୍‌ବୁଲ୍‌ର ଡି ରିକାର୍ଡିଓ ଏବଂ ମ୍ୟାକ୍‌ଲରେନ୍‌ର ଦୁଇ ଥର ବିଜେତା ଫର୍ନାଣ୍ଡୋ ଆଲୋଁସୋଙ୍କୁ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ମିଳିଛି। ରେଡ୍‌ବୁଲ୍‌ର ଭେସ୍ତାପେନ୍‌, ରେନଲଟ୍‌ର ହକେନବର୍ଗ, ମର୍ସିଡିଜ୍‌ର ବୋଟାସ୍‌, ମ୍ୟାକ୍‌ଲରେନ୍‌ ହୋଣ୍ଡାର ଭଣ୍ଡୁର୍ନ, ରେନଲଟ୍‌ର ସାଞ୍ଚ୍‌ ଜୁନିଅର୍‌ ଯଥାକ୍ରମେ ଷଷ୍ଠରୁ ଦଶମ ସ୍ଥାନରେ ରହିଥିଲେ। ଫୋର୍ସ ଇଣ୍ଡିଆର ପେରେଜ୍‌ ଏବଂ ଓକୋନ୍‌ ଯଥାକ୍ରମେ ଏକାଦଶ ଓ ଦ୍ୱାଦଶ ସ୍ଥାନରେ ରହି ଅଳ୍ପକେ ପଏଣ୍ଟ୍‌ ଅର୍ଜନରୁ ଅଭିଯାନ ଆରମ୍ଭ କରିବାରେ ବିଫଳ ହୋଇଥିଲେ। ଶନିବାର ହାମିଲଟନ ଅଷ୍ଟ୍ରେଲିଆନ୍‌ ରେସ୍‌ରେ ନିଜର କୀର୍ତିମାନ ସପ୍ତମ ପୋଲ୍‌ ପୋଜିସନ୍‌ ପାଇଥିଲେ।

ସମ୍ବନ୍ଧିତ ଖବର