ମିଳିଲା କଳ୍ପନାଙ୍କ ମୃତ୍ୟୁର ଫଟୋ, ମରଶରୀର ଆଣିବାକୁ ଯିବ ୩ ଜଣିଆ ଦଳ

ଭୁବନେଶ୍ବର: ଦ୍ବିତୀୟ ଥର ଏଭେରେଷ୍ଟ୍ ଆରୋହଣ କରିବାର କିଛି ଘଣ୍ଟା ପରେ ପ୍ରାଣ ହରାଇଥିବା ରାଜ୍ୟର ସର୍ବପ୍ରଥମ ଏଭେରେଷ୍ଟର୍‌ କଳ୍ପନା ଦାଶଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ଲାଗି ଓଡ଼ିଶାରୁ ଏକ ୩ ଜଣିଆ ଦଳ କାଠମାଣ୍ଡୁ ଗସ୍ତ କରିବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ପରେ ମେ’ ୨୭ ତାରିଖରେ ଏହି ରାଜ୍ୟ ଦଳ ଗସ୍ତ କରିବ। କଳ୍ପନାଙ୍କ ଭାଇ ପ୍ରଦୀପ ଦାସ, ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା ଏବଂ କଳ୍ପନାଙ୍କ ଅନ୍ୟତମ ସହଯୋଗୀ ରଂଜିତ କର୍ମିଙ୍କୁ ନେଇ ଏହି ଦଳ ଗଠିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମପ୍ତ ବ୍ୟବସ୍ଥା ହୋଇଛି। ଏବେ ତାଙ୍କ ମରଶରୀର ଏଭେରେଷ୍ଟ୍‌ର ପାଖାପାଖି ୮,୬୦୦ ମିଟର ଉଚ୍ଚତାରେ ରହିଛି। ତାଙ୍କୁ ଠାବ କରିବା ଏବଂ ଉଦ୍ଧାର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରିବାକୁ ରାଜ୍ୟ ସରକାର କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ‌ ଲେଖିଥିଲେ। ଯେଉଁ ସଂସ୍ଥା (ସେଫର୍ଡ) କଳ୍ପନାଙ୍କ ଏଭେରେଷ୍ଟ୍ ଆରୋହଣ ଦାୟିତ୍ବ ନେଇଥିଲା ତାକୁ ହିଁ କଳ୍ପନାଙ୍କ ମରଶରୀରକୁ ଉଦ୍ଧାର ଦାୟିତ୍ବ ଦିଆଯାଇଛି। ସଂସ୍ଥା ପକ୍ଷରୁ ଏକ ୧୦ ଜଣିଆ ସେର୍ପା ଦଳ ଶରୀର ସନ୍ଧାନରେ ବାହାରିଯାଇଥିବା ସୂଚନା ମିଳିଛି। ଚଳିତ ବର୍ଷର ଏଭେରେଷ୍ଟ୍ ଋତୁ ମାତ୍ର ୨ ଦିନ ରହିଥିବାରୁ ଜରୁରୀକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ସେର୍ପା ସଂସ୍ଥା ପକ୍ଷରୁ କଳ୍ପନାଙ୍କ ମୃତ ବେଳର ଫଟୋକୁ ମଧ୍ୟ ପରିବାର ବର୍ଗକୁ ପଠାଯାଇଛି।

କଳ୍ପନାଙ୍କ ଭଳି ସାହସୀ ଏବଂ ଦୃଢ଼ମନା ମହିଳା ଅନ୍ୟ ପର୍ବତାରୋହୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୨୦୦୪ ଏବଂ ୨୦୦୬ରେ ବିଫଳ ହେବା ପରେ ୨୦୦୮ରେ ନିଜ ତୃତୀୟ ପ୍ରୟାସରେ ଏଭେରେଷ୍ଟ ଆରୋହଣ କରି ନୂଆ ଇତିହାସ ରଚିଥିଲେ। କିନ୍ତୁ ପ୍ରଥମ ଭାରତୀୟ ମହିଳା ଭାବେ ଶାଢ଼ୀ ପରିଧାନ କରି ବିରଳ କୀର୍ତିମାନ କରିବାର କିଛି ଘଣ୍ଟା ପରେ ଗୁରୁବାର ଏଭେରେଷ୍ଟ୍‌ର ବାଲକୋନି ଅଞ୍ଚଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ବୟସ ୫୩ ଏବଂ ଅସୁସ୍ଥତା ସତ୍ତ୍ବେ କଳ୍ପନା ନିଜ ଦୃଢ଼ମନା ଚରିତ୍ର ପାଇଁ ଦ୍ବିତୀୟ ଥର ଏଭେରେଷ୍ଟ୍ ଆରୋହଣ କରିବାର ବିରଳ କୀର୍ତିମାନ ପ୍ରତିଷ୍ଠା କରି ସାରିଥିଲେ।

ସମ୍ବନ୍ଧିତ ଖବର