ଭୁବନେଶ୍ୱର: ନିୟମିତ ଭାବେ ବିଭିନ୍ନ ସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେବା ବହୁତ ଭଲ। ଏହା ଦ୍ୱାରା ଆମ ଖେଳାଳିଙ୍କୁ ନିଜ ପ୍ରତିଭାର ପରିଚୟ ଦେବା ଲାଗି ପର୍ଯ୍ୟାପ୍ତ ସୁଯୋଗ ମିଳିବ। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଛୋଟ ସହର ଏବଂ ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା। ବିଦ୍ୟାଳୟ ସ୍ତରରୁ ଖେଳିବାର ଯେତେ ଅଧିକ ସୁଯୋଗ ମିଳିବ, ଆମ ପିଲାମାନେ ସେତେ ଆଗକୁ ବଢ଼ିପାରିବେ। ଏଥିଲାଗି ଅଧିକ ଅର୍ଥ ମଧ୍ୟ ଖର୍ଚ ହେବନି। ଖେଳ ଯେ ପର୍ଯ୍ୟନ୍ତ ଗ୍ରାମାଭିମୂଖୀ ନ ହୋଇଛି, ସେ ପର୍ଯ୍ୟନ୍ତ ଆମେ ଅଲିମ୍ପିକ୍ସ ଭଳି ପ୍ରତିଯୋଗିତାରେ ଆଶା ଜନକ ସଫଳତା ପାଇ ପାରିବା ନାହିଁ। ଜାତୀୟ ଦୌଡ଼କୁଦ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବାହାଦୁର ସିଂହ ଏହା କହିଛନ୍ତି। ୫୮ତମ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ସଂପ୍ରତି ଭୁବନେଶ୍ୱର ଆସିଥିବା ବାହାଦୁର ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଖେଳ ଭିତ୍ତିଭୂମି ସୃଷ୍ଟି କରିବାକୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଆହ୍ଵାନ କରିଛନ୍ତି। ତେବେ ଓଡ଼ିଶା ସରକାର ଆରମ୍ଭ କରିଥିବା ଆର୍ଥିକ ପୁରସ୍କାର ଧାରାକୁ ସେ ଭୂୟଶୀ ପ୍ରଶଂସା କରିଛନ୍ତି। ଓଡ଼ିଶା ସରକାର କ୍ରୀଡ଼ାକୁ ଗତ କିଛି ବର୍ଷ ହେବ ଯେମିତି ଭାବେ ପ୍ରୋତ୍ସାହନ ଦେଉଛନ୍ତି, ତାହା ପ୍ରଶଂସନୀୟ। ଆପଣ ଦେଖିବେ ଆଗକୁ ଓଡ଼ିଶାରୁ କେତେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ସୃଷ୍ଟି ହେଉଛନ୍ତି। କିଛି ବର୍ଷ ଭିତରେ ଓଡ଼ିଶା ଏହି କ୍ଷେତ୍ରରେ ହରିଆଣାକୁ ଟପିଯିବ ବୋଲି ବାହାଦୁର କହିଛନ୍ତି। ଅର୍ଜୁନ ପୁରସ୍କାର ନିର୍ଧାରଣ ଲାଗି ସ୍ଥାପିତ ପଏଣ୍ଟ ବ୍ୟବସ୍ଥା ନେଇ ସୃଷ୍ଟି ହୋଇଥିବା ବିବାଦରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଭଲ ପ୍ରଦର୍ଶନ କଲେ ପୁରସ୍କାର ଆପେ ଆପେ ମିଳିଯିବ। ଏଥିପାଇଁ ଅଯଥାରେ ବ୍ୟାକୁଳ ନହୋଇ ନିଜ ପ୍ରଦର୍ଶନ ଉପରେ ଖେଳାଳିମାନେ ଯେତେ ଅଧିକ ଧ୍ୟାନ ଦେବେ ସେତେ ଭଲ। ମୁଁ ମଧ୍ୟ ଅର୍ଜୁନ ପୁରସ୍କାର ଲାଗି ୧୦ ବର୍ଷ ଅପେକ୍ଷା କରିଥିଲି।
୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତ ଦୌଡ଼କୁଦରୁ ପୂର୍ବାପେକ୍ଷା ଅଧିକ ପଦକ ଜିତିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ପ୍ରଶିକ୍ଷଣ ଜାରି ରଖିଲେ ଏବଂ ଆଘାତ ପ୍ରାପ୍ତ ନହେଲେ ଦୂତି ଚାନ୍ଦ ବି ଅଲିମ୍ପିକ୍ସରେ ନିଜ ଚମକ ଦେଖାଇ ପାରିବେ ବୋଲି ସେ କହିଥିଲେ। ବାହାଦୁର କହିଥିଲେ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଅନ୍ୟୁନ ୬ ବର୍ଷ ଦରକାର। ବର୍ଷା ହେଉ, ଖରା ହେଉ କିମ୍ବା ଘଡ଼ଘଡ଼ି ପଡ଼ୁ, ଗୋଟିଏ ହେଲେ ବି ଦିନ ଅଭ୍ୟାସ ବନ୍ଦ ନକଲେ ଯାଇ ଅଲିମ୍ପିକ୍ସ ପଦକ ମିଳିବ। ଆମ ପାଖରେ ଭଲ ଖେଳାଳି ଅଛନ୍ତି। ଭଲ ପ୍ରଶିକ୍ଷକ ବି ଅଛନ୍ତି, କେବଳ ଯାହା ସେମାନଙ୍କୁ ମାର୍ଗଦର୍ଶନ ଏବଂ ପ୍ରୋତ୍ସାହନର ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ ଯେ ବାହାଦୁର ନିଜେ ଜଣେ ଅନ୍ତର୍ଜାତୀୟ ସଟପୁଟର ଥିଲେ। ୧୯୭୩ରୁ ୧୯୮୫ ମଧ୍ୟରେ ସେ ଏସିଆଡ୍ ଏବଂ ଏସୀୟ ଦୌଡ଼କୁଦରେ ତିନିଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ତିନିଟି କାଂସ୍ୟ ପଦକ ଜିତିଥିଲେ। ୧୯୮୦ ଅଲିମ୍ପିକ୍ସରେ ସେ ପଞ୍ଚଦଶ ସ୍ଥାନରେ ରହିଥିଲେ। ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସହ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ମିଳିଛି। ସଂପ୍ରତି ସେ ଭାରତୀୟ ଦୌଡ଼କୁଦ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରେ ଅଛନ୍ତି।
ଆୟୋଜନଠୁ ଭିତ୍ତିଭୂମି ସୃଷ୍ଟି ଅଧିକ ମହତ୍ୱପୂର୍ଣ୍ଣ: ବାହାଦୁର
/sambad/media/post_attachments/wp-content/uploads/2018/09/bahadur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)