ବିଶ୍ବର ସର୍ବବୃହତ୍‌ ହକି ଷ୍ଟାଡିୟମର ମୂଳଦୁଆ ପଡ଼ିଲା

ବୀର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମିପୂଜନ
ନିର୍ମାଣ ଦାୟିତ୍ବରେ ଏଲ୍‌ ଆଣ୍ଡ୍‌ ଟି, ବ୍ୟୟ ଅଟକଳ ୧୩୦ କୋଟି

ରାଉରକେଲା : ‌ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମର ଭୂମି ପୂଜନ ଆଜି ଅନୁଷ୍ଠିତ ହୋଇଛି। ଏହା ସହିତ ଏହି ଷ୍ଟାଡିୟମ ତଥା ରାଉରକେଲାରେ ହକି ବିଶ୍ବକପ୍ ମ୍ୟାଚ୍‌ ଖେଳାହେବା ନେଇ ସାଧାରଣରେ ସୃଷ୍ଟି ହୋଇଥିବା ସନ୍ଦେହର ଅନ୍ତ ଘଟିଛି। ଉଲ୍ଲେଖନୀୟ ଯେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରି ୨୦୨୩ ପୁରୁଷ ହକି ବିଶ୍ବକପ୍‌ ଏହି ଷ୍ଟାଡିୟମରେ ଖେଳାଯିବବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ କରୋନା ମହାମାରୀ ଯୋଗୁଁ ଏହି ପ୍ରକଳ୍ପର ଭବି‌ଷ୍ୟତ ନେଇ ନା ନା କଳ୍ପନାଜଳ୍ପନା ଲାଗିରହିଥିଲା। କେବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଆଜି ପ୍ରତୀକ୍ଷାର ଅନ୍ତ ଘଟିଛି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ପରିସରରେ ହେବାକୁ ଥିବା ଏହି ବୀର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରର ଆଜି ଭୂମି ପୂଜନ ହୋଇଯାଇଛି। ଭୂମି ପୂଜନବେଳେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ଏସ୍‌. ନରୱଣେ, ଇଡ୍‌କୋ, ରାଉରକେଲା ଡିଭିଜନ ମୁଖ୍ୟ ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ମୋଟ୍‌ ୧୩୦ କୋଟି ବ୍ୟୟ ଅଟକଳରେ ଏହି ଷ୍ଟାଡିୟମନ ନିର୍ମାଣ ହେବ। ଏହାର ନିର୍ମାଣ କାର୍ଯ୍ୟ ଏଲ୍‌ ଆଣ୍ଡ୍‌ ଟିକୁ ଦିଆଯାଇଛି। ଆଗାମୀ ବର୍ଷକ ଭିତରେ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସଂପନ୍ନ ହେବ। ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ମାସରେ ରାଉରକେଲାଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମର ଶିଳାନ୍ୟାସ କରି ଏହାକୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିଥିଲେ। ଏହି ଷ୍ଟାଡିୟମ ବିଶ୍ବର ସର୍ବଶ୍ରେଷ୍ଠ ଓ ଅତ୍ୟାଧୁନିକ ମାନର ହେବ। ଅନ୍ତର୍ଜାତୀୟ ହକି ଫେଡେରେସନ ମାନର ଆଷ୍ଟ୍ରୋଟର୍ଫ ପଡ଼ିଆ ହେବ। ଦର୍ଶକ ଗ୍ୟାଲେରୀ ପ୍ରାୟ ୨୦ ହଜାର ସିଟ୍‌ ବିଶିଷ୍ଟ ହେବ। ଏତଦ୍‌ବ୍ୟତୀତ ଅଭ୍ୟାସ ପଡ଼ିଆ, ଅତ୍ୟାଧୁନିକ ଫିଟନେସ୍ ସେଣ୍ଟର, ଅତ୍ୟାଧୁନିକ ସ୍ପୋର୍ଟସ୍ ଲାଇଟ୍ ଏବଂ ପାର୍କିଂ ଆଦି ସମସ୍ତ ବ୍ୟବସ୍ଥା ରହିବ।

କ୍ରୀଡ଼ା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ
ଭୁବନେଶ୍ବର : କ୍ରୀଡ଼ା ଓ ‌ଯୁବସେବା, ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁକ୍ରବାର ଭର୍ଚୁଆଲ ମାଧମରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ ବ୍ରହ୍ମପୁର, ପୁରୀ, ଜୟପୁର, ସମ୍ବଲପୁର, କେଉଁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଆଦି ସ୍ଥାନରେ ଥିବା ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀ ଓ ଇଡ଼କୋ, ପିଡବ୍ଲୁଡି ଏବଂ ୱାର୍କସ ଭଳି ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କୋଭିଡ ପ୍ରତିକୂଳ ପରିସ୍ଥିତି ଯୋଗୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିବା ବେଳେ ବିକଳ୍ପ ପନ୍ଥା ବାହାର କରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱ ଦେଇଥିଲ। ରାଜ୍ୟ ସରକାର ଦେଶରେ ସବୁଠୁ ଭଲ କ୍ରୀଡା ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ କୌଣସି ପରିସ୍ଥିତିରେ କାର୍ଯ୍ୟର ଗୁଣବତ୍ତା ସହିତ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ଏଥି ସହିତ ରାଉରକେଲାରେ ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମର ନିର୍ମାଣ, ପୌରାଞ୍ଚଳ କ୍ରୀଡା ଭିତ୍ତିଭୂମିର ବିକାଶ, କୋଚ ଓ କ୍ରୀଡା ଶିକ୍ଷକଙ୍କ ତାଲିମ, କ୍ରୀଡା ଛାତ୍ରାବାସ ଓ ହାଇ ପରଫରମାନ୍ସ ସେଣ୍ଟରର ସୁପରିଚାଳନା ବିଷୟରେ ମନ୍ତ୍ରୀ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ସ୍ୱତନ୍ତ୍ର ଶାସନ ସଚିବ ଆର. ଭିନିଲ କ୍ରିଷ୍ଣା, ଉପ ଶାସନ ସଚିବ ରଞ୍ଜିତ ପରିଡ଼ାଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର