ବେଙ୍ଗାଲୁରୁ : ଆର୍ସିବିର ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଉତ୍ସାହିତ କରିବାକୁ ଭାରତ ଆସିଛନ୍ତି ତାଙ୍କର ୪ ଜଣ ବାଲ୍ୟ ବଂଧୁ। ବଂଧୁମାନଙ୍କ ଉପସ୍ଥିତିରେ ମ୍ୟାକ୍ସୱେଲ୍ ଭଲ ଖେଳିବେ ବୋଲି ଆଶା କରାଯାଉଥିବା ବେଳେ ଶନିବାର ଏହା କିଛି ମାତ୍ରାରେ ସଫଳ ହୋଇଛି। ଦିଲ୍ଲୀକୁ ଆର୍ସିବି ଅତି ସହଜରେ ହରାଇ ଦେଇଛି। ୩୪ ବର୍ଷୀୟ ମ୍ୟାକ୍ସୱେଲ୍ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ୧୪ ବଲ୍ରୁ ୨୪ ରନ୍ କରିବା ଅବସରରେ ୩ଟି ଦର୍ଶନୀୟ ଛକା ମାରିଥିଲେ। ଆର୍ସିବି ମଧ୍ୟ ଚତୁର୍ଥ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ପାଇଛି। ପୂର୍ବରୁ ମ୍ୟାକ୍ସୱେଲ୍ ଖେଳିଥିବା ୩ ମ୍ୟାଚ୍ରେ ଯଥାକ୍ରମେ ୧୨*, ୫, ୫୯ ରନ୍ କରିଥିଲେ। ଆର୍ସିବି କିନ୍ତୁ ଦ୍ରୁତ ବୋଲରଙ୍କ ଉପରେ ଅଧିକ ନିର୍ଭର କରୁଥିବାରୁ ମ୍ୟାକ୍ସୱେଲ୍ ଏହି ୪ ମ୍ୟାଚ୍ରେ ମାତ୍ର ଗୋଟିଏ ଓଭର ବୋଲିଂ କରିଛନ୍ତି।
‘ଆର୍ସିବି ବିଗତ ୨ ବର୍ଷ ଭଲ ଖେଳି ଆସୁଛି। ବଂଧୁମାନଙ୍କ ଉପସ୍ଥିତି ମୋ ପାଇଁ ନିଶ୍ଚିତ ଭାବେ ସ୍ବତନ୍ତ୍ର। ଆଶା କରିବି ଦଳର ଭାଗ୍ୟ ପରିବର୍ତନରେ ମଧ୍ୟ ଏହା ସହାୟକ ହେବ’ ବୋଲି ମ୍ୟାକ୍ସୱେଲ୍ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆରୁ ଆସିଥିବା ଏହି ୪ ବଂଧୁ ହେଲେ-ଆନ୍ଥୋନି ଡାଭିସ୍ (ମେକାନିକାଲ୍ ଇଂଜିନିୟର୍), ଦୁଇ ଶିକ୍ଷକ ଭ୍ରାତା ବ୍ରେଣ୍ଡନ୍ ଓ ନାଥନ୍ ୱାଲ୍ସ ଏବଂ ଅରୋନ୍ ଡାନିଏଲ୍ସ (ଇଲେକ୍ଟ୍ରିସିଆନ୍)। ‘ବଂଧୁମାନଙ୍କୁ ଗହଣରେ ପାଇ ମୁଁ ଅତି ଉଲ୍ଲସିତ, ସେମାନଙ୍କ ସମ୍ମୁଖରେ ମୁଁ ଭଲ ଖେଳିବାକୁ ମଧ୍ୟ ଆଶାବାଦୀ। ସେମାନେ ଏଠାକୁ ଆସି ମୋ ଖେଳ ଦେଖିବା ମୋ ପାଇଁ ସ୍ବତନ୍ତ୍ର’ ବୋଲି ମ୍ୟାକ୍ସୱେଲ୍ ପ୍ରକାଶ କରିଛନ୍ତି। ‘ଗ୍ଲେନ୍ ଜଣେ ଅସାଧାରଣ ପ୍ରତିଭା, ଏପରିକି ୧୧-୧୨ ବର୍ଷ ବୟସରେ ବି ସେ ଚମତ୍କାର ଖେଳୁଥିଲେ। ମୁଁ ଏହାକୁ ଢେର ଉପଭୋଗ କରିଛି। ସେ ଜଣ ଭଲ ମଣିଷ ଏବଂ ସକାରାତ୍ମକ ବିଚାରଧାରାର। ପିଲାଦିନରୁ ଆମେ ଯୋଡ଼ି ହୋଇ ରହିଛୁ ବୋଲି କହିଥିଲେ ବ୍ରେଣ୍ଡନ୍।