ଚେନ୍ନାଇ ଓ ମୁମ୍ବାଇର ଚତୁର୍ଥ ପରାଜୟ: ହାଇଦ୍ରାବାଦ ଖାତା ଖୋଲିଲା

ବାଙ୍ଗାଲୋରର ତୃତୀୟ ବିଜୟ

ମୁମ୍ବାଇ: ୪ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଚଳିତ ସଂସ୍କରଣରେ ଲଗାତାର ୪ ପରାଜୟ ବରଣ କରିଛି। ରବୀନ୍ଦ୍ର ଜାଦେଜାଙ୍କ ନେତୃତ୍ବରେ ନୂଆ ଋତୁ ଅଭିଯାନ ଆରମ୍ଭ କରିଥିବା ଏହି ଅନ୍ୟତମ ସଫଳ ଦଳକୁ ଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଅତି ସହଜରେ ୮ ୱିକେଟ୍‌ରେ ହରାଇ ଦେଇଛି। ଏଥି ସହ ଚେନ୍ନାଇ ପଏଣ୍ଟ ଟେବୁଲ୍‌ ଶେଷ ୨ ସ୍ଥାନରେ ରହି ଲଜ୍ଜିତ ହୋଇଛି। ଅନ୍ୟପକ୍ଷରେ କେନ୍‌ ‌ୱିଲିୟମ୍‌ସନ୍‌ଙ୍କ ଦଳ ତୃତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ସହ ପଏଣ୍ଟ ଖାତା ଖୋଲିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ କଷ୍ଟେ ମଷ୍ଟେ ୧୫୪ ରନ୍‌ କରିଥିଲା। ଦୁଇ ଥର କ୍ୟାଚ୍‌ ହାତଛଡ଼ାରୁ ଜୀବନଦାନ ପାଇଥିବା ଇଂଲିସ୍ ଅଲରାଉଣ୍ଡର୍‌ ମୋଇନ୍ ଅଲୀ ସର୍ବାଧିକ ୪୮ ରନ୍‌ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ୱାସିଂଟନ୍ ସୁନ୍ଦର (୪-୦-୨୧-୨) ସଫଳତମ ବୋଲର ଥିଲେ। ଜବାବରେ କେନ୍‌ ୱିଲିୟମ୍‌ସନ୍‌ ସଂଘର୍ଷ (୪୦ ବଲ୍‌ରୁ ୩୨) କରିଥିଲେ ମଧ୍ୟ ୨୧ ବ‌ର୍ଷୀୟ ଯୁବ ତାରକା ଅଭିଷେକ ଶର୍ମା (୭୫, ୫୦ ବଲ୍‌) ନିଜ ପ୍ରଥମ ଆଇପିଏଲ୍‌ ଅର୍ଦ୍ଧଶତକ ଜରିଆରେ ମ୍ୟାଚ୍‌କୁ ସହଜ କରି ଦେଇଥିଲେ। ରାହୁଲ ତ୍ରିପାଠୀ ମଧ୍ୟ ଚମତ୍କାର ବ୍ୟାଟିଂ କରି (୧୫ ବଲ୍‌ରୁ ୩୯* ରନ୍‌) ଚୌକା ସହ ୧୪ ବଲ୍‌ ପୂର୍ବରୁ ମ୍ୟାଚ୍‌ ଶେଷ କରିଦେଇଥିଲେ। ଏହି ଦୁଇ ଅଣଅନ୍ତର୍ଜାତୀୟ ଭାରତୀୟ ଯୋଡ଼ି ମ୍ୟାଚ୍‌ ବିଜୟୀ ଅର୍ଦ୍ଧଶତକ ଭାଗୀଦାରି କରିଥିଲେ। ପଶ୍ଚାତଧାବନ ବେଳେ ହାଇଦ୍ରାବାଦ ୫ ଓଭରରେ ବିନା କ୍ଷତିରେ ୨୪ ରନ୍‌ କରିଥିଲା। ତେବେ ପାୱାର ପ୍ଲେ’ର ଶେଷ ଓଭରରେ ଥିକ୍‌ସାଣାଙ୍କୁ ଚୌକା ଓ ଛକା ମାରିବା ପରେ ଅଭିଷେକ ଆଉ ପଛକୁ ଫେରି ଚାହିଁନଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ମଧ୍ୟ ବିବେଚିତ ହୋଇଥିଲେ। ଚେନ୍ନାଇ ଦ୍ବିତୀୟ ଥର ପାଇଁ ଲଗାତାର ୪ ମ୍ୟାଚ୍‌ ହାରିଛି। ୨୦୧୦ରେ ମଧ୍ୟ ଦଳ ଏଭଳି ଏକ ପର୍ଯ୍ୟାୟ ଦେଇ ଗତି କରିଥିଲେ ମଧ୍ୟ ସେ ବର୍ଷ ପ୍ରଥମ ଥର ଟ୍ରଫି ବିଜେତା ହୋଇଥିଲା।

ବାଙ୍ଗାଲୋରର ତୃତୀୟ ବିଜୟ

ପୁଣେ: ଆଇପିଏଲ୍ ଇତିହାସର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଋତୁରେ ଗୋଟିଏ ପରେ ଗୋଟିଏ ପରାଜୟ ବରଣ କରିଚାଲିଛି। ପ୍ରଥମ ତିନିଟି ମ୍ୟାଚ୍ ହାରି ଆଲୋଡ଼ା ହ୍ୟାଟ୍ରିକ୍ କରିଥିବା ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଏହି ଦଳ ଶନିବାର ରାତିରେ ଖେଳିଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷ ଚତୁର୍ଥ ମ୍ୟାଚ୍‌କୁ ବି ଦୁର୍ଭାଗ୍ୟଜନକ ଭାବେ ୭ ୱିକେଟ୍‌ରେ ହାରିଯାଇଛି। ଫଳରେ ଗତଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ସହ ଦ୍ବିତୀୟ ଦଳ ଭାବେ ଲଗାତାର ଚାରିଟି ପରାଜୟ ବରଣ କରି ଏପର୍ଯ୍ୟନ୍ତ ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇନି।

ବାଙ୍ଗାଲୋର ସମ୍ମୁଖରେ ମୁମ୍ବାଇ ମାତ୍ର ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଯାହାକୁ ବାଙ୍ଗାଲୋର ମାତ୍ର ୩ ୱିକେଟ୍ ବିନିମୟରେ ୯ ବଲ୍ ପୂର୍ବରୁ ହାସଲ କରି ନେଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଯୁବ ତାରକା ଅନୁଜ ରାୱତ (୬୬)ଙ୍କ ସହ ପୂର୍ବତନ ଅଧିନାୟକ ବିରାଟ କୋହଲି (୪୮) ଚତୁର୍ଥ ମ୍ୟାଚ୍‌ରୁ ବାଙ୍ଗାଲୋରକୁ ତୃତୀୟ ବିଜୟ ଉପହାର ଦେଇଥିଲେ। ଚଳିତ ଋତୁରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ ୨ ବଲ୍‌ର ସାମ୍‌ନା କରି ୨ଟି ଚୌକା ମାରି ପ୍ରଶଂସକଙ୍କୁ ଆମୋଦିତ କରିଥିଲେ।

ପୂର୍ବରୁ ବିପର୍ଯ୍ୟସ୍ତଭରା ମୁମ୍ବାଇ ବ୍ୟାଟିଂ ପାଇଁ ସୂର୍ଯ୍ୟକୁମାର ଯାଦବ ରକ୍ଷାକର୍ତ୍ତା ସାଜିଥିଲେ। ମଧ୍ୟକ୍ରମ ପୂରା ନିରାଶ କରିବା ପରେ ମାତ୍ର ୭୯ ରନ୍‌ରେ ୬ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ମୁମ୍ବାଇ ତାଙ୍କ ଦ୍ରୁତ ଓ ଦାୟିତ୍ବବାନ ଅର୍ଦ୍ଧଶତକ ପାଇଁ ୧୫୧ ରନ୍‌ର ସମ୍ମାନଜନକ ସ୍କୋର କରିପାରିଥିଲା। ଗୋଟିଏ ପଟେ ସାଥୀ ଖେଳାଳିଙ୍କ ଯିବାଆସିବା ଲାଗି ରହିଥିଲେ ମଧ୍ୟ ଏଥିରେ ବିଚଳିତ ନହୋଇ ସୂର୍ଯ୍ୟ ୩୨ ବଲ୍‌ରୁ ୫ ଚୌକା ଏବଂ ୩ ଛକା ବଳରେ ପଞ୍ଚଦଶ ଆଇପିଏଲ୍ ଅର୍ଦ୍ଧଶତକ ପୂରଣ କରିଥିଲେ। ମାତ୍ର ୩୭ ବଲ୍‌ରୁ ୬୮ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ବି ରହିଥିଲେ। ୧୬.୨ ଓଭରରେ ୧୦୦ ଛୁଇଁଥିବା ମୁମ୍ବାଇ ତାଙ୍କ ପାଇଁ ଶେଷ ୨୨ ବଲ୍‌ରୁ ୫୧ ରନ୍ ପାଇଥିଲା। ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଏବଂ ଈଶାନ କିଶନ ପ୍ରତ୍ୟେକ ୨୬ ରନ୍ ଲେଖାଏଁ କରି ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଦିୱାଲ୍ଡ ବ୍ରେଭିସ ୮, ରମଣଦୀପ ସିଂହ ୬ ରନ୍ କରିଥିଲେ। ତେବେ ତିଲକ ବର୍ମା ଓ କିରଣ ପୋଲାର୍ଡ ତିନିଟି ବଲ୍ ଭିତରେ ଖାତା ନଖୋଲି ପ୍ୟାଭିଲିୟନ ଫେରିବା ମୁମ୍ବାଇକୁ ସବୁଠାରୁ ଅଧିକ ବାଧିଥିଲା।

ସମ୍ବନ୍ଧିତ ଖବର