ସେଣ୍ଟ୍ ଲୁସିଆ: ମିଚେଲ ମାର୍ସଙ୍କ ଚମତ୍କାର ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ୍ ଜିତିନେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ପକ୍ଷରୁ ମାର୍ସ (୭୫ ରନ୍, ୪୪ ବଲ୍, ୪ ଚୌକା, ୬ ଛକା) ବିସ୍ଫୋରକ ଅର୍ଦ୍ଧଶତକ ଜମାଇବା ପରେ ୪-୦-୨୪-୩ର ବୋଲିଂ ଚିତ୍ର ପାଇଥିଲେ। ଫଳରେ ଭ୍ରମଣକାରୀ ଦଳ ୪ ରନ୍ରେ ଘରୋଇ ଇଣ୍ଡିଜ୍କୁ ପରାସ୍ତ କରିଦେଇଛି। ମାର୍ସଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଚଳିତ ଗସ୍ତରେ ହାଟ୍ରିକ୍ ପରାଜୟ ସହ ଟି-୨୦ ଶୃଙ୍ଖଳା ହାତଛଡ଼ା କରିସାରିଥିବା ଅଷ୍ଟ୍ରେଲିଆର ଏହା ପ୍ରଥମ ବିଜୟ ହୋଇଥିଲା ବେଳେ ଘରୋଇ ଦଳ ପ୍ରଥମ ପରାଜୟ ବରଣ କରିଛି।
ମାର୍ସଙ୍କ ୭୫ ସାଙ୍ଗକୁ ଅଧିନାୟକ ଆରୋନ୍ ଫିଞ୍ଚ୍ଙ୍କ ୫୫ (୩୭ ବଲ୍, ୫ ଚୌକା, ୩ ଛକା)ଙ୍କ ଅର୍ଦ୍ଧଶତକ ଓ ନିମ୍ନକ୍ରମରେ ଡାନିଏଲ୍ କ୍ରିଷ୍ଟିଆନ୍ଙ୍କ ୨୨ (୧୪ ବଲ୍, ୨ ଚୌକା, ୧ ଛକା) ରନ୍ ସହାୟତାରେ ଅଷ୍ଟ୍ରେଲିଆ ୧୮୯/୬ କରିଥିଲା। ଫିଞ୍ଚ୍ ଓ ମାର୍ସ ଦ୍ବିତୀୟ ୱିକେଟ୍ରେ ୧୧୪ ରନ୍ ଯୋଡ଼ିବା ଉଲ୍ଲେଖନୀୟ ଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୪-୦-୨୭-୩ ବୋଲିଂ ଚିତ୍ର ପାଇଥିବା ହେଡେନ୍ ୱାଲ୍ସ ସଫଳ ବୋଲର ରହିଥିଲେ।
ଜବାବରେ ଓପ୍ନର ଲେଣ୍ଡଲ ସିମନ୍ସ (୭୨ ରନ୍, ୪୮ ବଲ୍, ୧୦ ଚୌକା, ୨ ଛକା) ଓ ଇଭିନ୍ ଲିୱିସ୍ (୩୧ ରନ୍, ୧୪ ବଲ୍, ୪ ଚୌକା, ୨ ଛକା) ପ୍ରଥମ ୱିକେଟ୍ରେ ୪.୪ ଓଭରରେ ୬୨ ରନ୍ ଯୋଡ଼ି ୱେଷ୍ଟଇଣ୍ଡିଜ୍ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ।
ହେଲେ ପ୍ରଥମେ ପୂର୍ବ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି କ୍ରିସ୍ ଗେଲ୍ (୧) ଏବଂ ପରେ ୱିକେଟ୍ରକ୍ଷକ ନିକୋଲାସ୍ ପୂରନ (୧୬) ଓ ସିମନ୍ସଙ୍କୁ ଗୋଟିଏ ଓଭରରେ ଲଗାତାର ବଲ୍ରେ ଆଉଟ୍ କରି ମାର୍ସ ଅଷ୍ଟ୍ରେଲିଆକୁ ପ୍ରତ୍ୟାବର୍ତନ କରାଇଥିଲେ। ଏହାପରେ ଲିୱିସ୍ ଓ ଆନ୍ଦ୍ରେ ଫ୍ଲେଚର (୬)ଙ୍କୁ ଆଦାମ ଜାମ୍ପା ପାଭିଲିୟନ୍ ପଠାଇ ଇଣ୍ଡିଜ୍ର ବିପର୍ଯ୍ୟୟ ଘଟାଇଥିଲେ। ତଥାପି ଆନ୍ଦ୍ରେ ରସେଲେ (୨୪*, ୧୩ ବଲ୍, ୩ ଛକା) ଓ ଫାବିଏନ୍ ଆଲେନ୍ (୨୯, ୧୪ ବଲ୍, ୨ ଚୌକା, ୩ ଛକା) ଖୁବ୍ ଲଢ଼ିଥିଲେ ମଧ୍ୟ ଘରୋଇ ଦଳ ବିଜୟଠୁ ୫ ରନ୍ ଦୂରରେ ଅଟକି ଯାଇଥିଲା। ଶେଷ ଓଭରରେ ବିଜୟ ପାଇଁ ୧୧ ରନ୍ ଦରକାର କରୁଥିଲା ବେଳେ ୱେଷ୍ଟଇଣ୍ଡିଜ୍ ୬ ରନ୍ କରିପାରିଥିଲା। ତେବେ ହାଟ୍ରିକ୍ ବିଜୟ ସହ ଆଗୁଆ ଶୃଙ୍ଖଳା ଜିତିସାରିଥିବା ଘରୋଇ ଦଳ ପଞ୍ଚମ ତଥା ଶେଷ ମ୍ୟାଚ୍ ପୂର୍ବରୁ ୩-୧ରେ ଆଗୁଆ ରହିଛି।