ଚତୁର୍ଥ ଟେଷ୍ଟ୍‌: ବର୍ଷା ବାଧକ ସତ୍ତ୍ବେ ଇଂଲଣ୍ଡ ଲଢ଼ିଲା

ସିଡ୍‌ନି: ଏଠାରେ ବୁଧବାରଠୁ ଆରମ୍ଭ ହୋଇଥିବା ଆସେସ୍‌ ଶୃଙ୍ଖଳାର ଚତୁର୍ଥ ଟେଷ୍ଟ୍‌ ପ୍ରଥମ ଦିନକୁ ବର୍ଷା ବାଧାଦେଇଛି। ବର୍ଷା ଯୋଗୁଁ ଟସ୍‌ରେ ବିଳମ୍ବ ହୋଇଥିଲା। ଏପରିକି ୩୦ ମିନିଟ୍‌ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ମଝିରେ ମଝିରେ ବି ବର୍ଷା ଲାଗି ରହିଥିଲା ବେଳେ ଚା’ପାନ ବିରତି ପରେ ପାଗରେ କିଛିଟା ପରିବର୍ତ୍ତନ ହୋଇଥିଲା। ଫଳରେ ଚା’ ପାନ ବିରତି ପୂର୍ବରୁ ମାତ୍ର ୨୧.୪ ଓଭର ଖେଳ ସମ୍ଭବ ହୋଇଥିଲା ବେଳେ ଏହାପରେ ୨୫ ଓଭର ଖେଳାଯାଇଥିଲା। ଦିନର ଧାର୍ଯ୍ୟ ସମୟ ଶେଷ ହେବାକୁ ଆହୁରି ୩୭ ମିନିଟ୍‌ ବାକି ଥିବା ସତ୍ତ୍ବେ ପ୍ରଥମ ଦିବସର ୪୬.୫ ଓଭର ପରେ ଷ୍ଟମ୍ପ୍‌ସ ପ୍ରତ୍ୟାହାର କରିନିଆଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ୧୨୬ ରନ୍‌ କରିଥିଲା ବେଳେ ପ୍ରଥମ ୩ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ପାଭିଲିୟନ୍‌ ପଠାଇ ବର୍ଷାବାଧାପ୍ରାପ୍ତ ଦିନରେ ଭ୍ରମଣକାରୀ ଇଂଲଣ୍ଡ ଭଲ ଆରମ୍ଭ ପାଇଛି।

ଟସ୍‌ ଜିତି ଘ‌ରୋଇ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଡେଭିଡ୍‌ ୱର୍ଣ୍ଣର ଓ ମାର୍କସ ହାରିସ୍‌ ପ୍ରଥମ ୱିକେଟ୍‌ରେ ୫୧ ରନ୍‌ ଯୋଡିବା ପରେ ଷ୍ଟୁଆର୍ଟ ବ୍ରଡ୍‌ ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ମାର୍ନସ ଲବୁସାନେଙ୍କ ସାଥୀ କରି ହାରିସ୍‌ ଦ୍ବିତୀୟ ୱିକେଟ୍‌ରେ ୬୦ ରନ୍ ଯୋଡ଼ି ସ୍ଥିତି ସୁଧାରିବାର ପ୍ରୟାସ କରିଥିଲେ। ହେଲେ ଜେମ୍‌ସ ଆଣ୍ଡରସନ୍‌ ଏହି ଯୋଡ଼ି ଭ‌ାଙ୍ଗିଥିଲେ। ୱର୍ଣ୍ଣର ଓ ହାରିସ୍‌ ୪୦ତମ ଓଭର ବେଳକୁ ବିଦାୟ ନେଇସାରିଥିଲା ବେଳେ ଲବୁସାନେଙ୍କ ଉପରେ ଘରୋଇ ଦଳର ଅଧିକ ଭରସା ରହିଥିଲା। କିନ୍ତୁ ୪୧ତମ ଓଭରର ହିଁ ମାର୍କ ଉଡ୍‌ ଜବରଦସ୍ତ ଝଟ୍‌କା ଦେଇଥିଲେ। ସେ ଲବୁସାନେଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ଭଲ ସ୍ଥିତି ଦେଇଥିଲେ। ଏହାପରେ ଷ୍ଟିଭେନ୍‌ ସ୍ମିଥ୍‌ ଓ ଉସ୍‌ମାନ ଖୱାଜା କ୍ରିଜ୍‌ରେ ଥିଲା ବେଳେ ପ୍ରଥମ ଦିବସର ଷ୍ଟମ୍ପ୍‌ସ ପ୍ରତ୍ୟାହାର କରି ନିଆଯାଇଥିଲା। ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି ପରେ ଲଗାତାର ଓଭରରେ ୨ଟି ୱିକେଟ୍‌ ହରାଇ ଅଷ୍ଟ୍ରେଲିଆ କିଛିଟା ଅଡୁଆରେ ପଡ଼ିଯାଇଛି। ୱର୍ଣ୍ଣର ୩୦, ହାରିସ୍‌ ୩୮ ଏବଂ ଲବୁ‌ସାନେ ୨୮ ରନ୍‌ରେ ପାଭିଲିୟନ୍‌ ଫେରିଯାଇଥିଲା ବେଳେ ସ୍ମିଥ୍‌ ୬ ଓ ଖୱାଜା ୪ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଆଣ୍ଡରସନ୍‌, ବ୍ରଡ୍‌ ଓ ଉଡ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ଦଖଲ କରିଛନ୍ତି।

ସମ୍ବନ୍ଧିତ ଖବର