ଦ ଓଭାଲ (ଲଣ୍ଡନ): ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବ ଚତୁର୍ଥ ଟେଷ୍ଟ୍‌। ଭାରତ ୧୯୭୧ରେ ଓଭାଲ ପଡ଼ିଆରେ ତା’ର ପ୍ରଥମ ଟେ‌ଷ୍ଟ୍‌ ବିଜୟ ପାଇବା ପରଠାରୁ ଆଉ ଗୋଟିଏ ‌ହେଲେ ଟେଷ୍ଟ୍‌ ଜିତିନାହିଁ। ସେବେଠାରୁ ଏହି ପଡ଼ିଆରେ ଭାରତ ୮ ମ୍ୟାଚ୍‌ ଖେଳିଥିଲା ବେଳେ ୩ଟି ହାରିଛି ଏବଂ ୫ ଅମୀମାଂସିତ ରଖିଛି। ନଟିଂହାମ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ ବର୍ଷା ଭାରତ ହାତରୁ ନିଶ୍ଚିତ ବିଜୟ ଛଡ଼ାଇ ନେବା ପରେ ଭ୍ରମଣକାରୀ ଦଳ ଲର୍ଡସରେ ଦ୍ବିତୀୟ ଟେଷ୍ଟ୍‌କୁ ବଡ଼ ବ୍ୟବଧାନରେ ଜିତି ୧-୦ର ଅଗ୍ରଣୀ ପାଇଥିଲା। ହେଲେ ଘରୋଇ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନକରି ଲିଡ୍‌ସରେ ତୃତୀୟ ଟେଷ୍ଟ୍‌କୁ ପାଳି ବ୍ୟବଧାନରେ ଜିତି ନେଇଥିଲା। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ୧-୧ ସ୍ଥିତିକୁ ଚାଲି ଆସିଥିଲା। ତେଣୁ ଉଭୟ ଦଳ ଶୃଙ୍ଖଳାରେ ଅଗ୍ରଣୀ ନେବାକୁ ଓଭାଲ୍‌ରେ ପ୍ରୟାସ କରିବେ।

Advertisment

ଘରୋଇ ଦଳର ଅଧିନାୟକ ଜୋ ରୁଟ୍‌ ଲଗାତାର ୩ ଶତକ ଜମାଇ ଭାରତର ଚିନ୍ତା ବଢ଼ାଇଥିଲା ବେଳେ ଲିଡ୍‌ସରେ ଲଜ୍ଜାଜନକ ପରାଜୟକୁ ଭୁଲି ପ୍ରତ୍ୟାବର୍ତ୍ତନଲକ୍ଷ୍ୟ ରଖିଛି ବିରାଟ କୋହଲିଙ୍କ ଦଳ। ତୃତୀୟ ଟେଷ୍ଟ୍‌ରେ ଚେତେଶ୍ବର ପୂଜାରା ଏବଂ ନିଜେ କୋହଲି ଅର୍ଦ୍ଧଶତକୀୟ ପାଳି ଖେଳି କିଛିଟା ଫର୍ମକୁ ଫେରିଥିଲା ବେଳେ ଉପଅଧିନାୟକ ଆଜିଙ୍କ୍ୟ ରହାଣେଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ଭାରତୀୟ ଦଳର ଚିନ୍ତାକୁ ବଢ଼ାଇ ଦେଇଛି। ତେଣୁ ରହାଣେଙ୍କ ଫର୍ମ ଫେରିପାଇବା ଏବଂ ବରିଷ୍ଠ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ସମ୍ଭାବ୍ୟ ସାମିଲ ଚତୁର୍ଥ ଟେଷ୍ଟ୍‌ରେ ଭାରତୀୟ ଦଳର ପ୍ରତ୍ୟାବର୍ତ୍ତନପ୍ରୟାସରେ ଉଲ୍ଲେଖନୀୟ ପ୍ରଭାବ ରଖିବ। ପୁଣି ଲର୍ଡସରେ ବିଜୟ ପରବର୍ତୀ ଟେଷ୍ଟ୍‌ ଜିତିବା ନେଇ କୌଣସି ଗ୍ୟାରେଣ୍ଟି ନଥିଲା ଏବଂ ଲିଡ୍‌ସରେ ପରାଜୟ ଆମ ମନୋବଳ ଭାଙ୍ଗି ଦେଇନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି କୋହଲି। ତଥାପି ମଧ୍ୟକ୍ରମର ତିନି ରଥୀ (ପୂଜାରା, ନିଜେ କୋହଲି ଏବଂ ରହାଣେ)ଙ୍କ ବ୍ୟାଟିଂ ବିଫଳତା ହିଁ ଦଳ ପାଇଁ ବଡ଼ ସମସ୍ୟା ରହିଛି ବୋଲି କହିଛନ୍ତି। ଏହାକୁ ଦୂର କରିବାକୁ ପଡ଼ିବ। ଗତ ଦୁଇବର୍ଷ ଧରି ରହାଣେଙ୍କ ଅସ୍ଥିର ପ୍ରଦର୍ଶନ ହିଁ ଦଳକୁ କ୍ଷତିଗ୍ରସ୍ତ କରୁଛି। ଗତ ୫ ପାଳିରେ ସେ ୧୯ ହାରରେ ମୋଟ ୯୫ ରନ୍‌ କରିପାରିଛନ୍ତି। ହେଲେ ତାଙ୍କୁ ପୁଣି ଏକ ସୁଯୋଗ ଦିଆଯିବ ବୋଲି କହିଛନ୍ତି କୋହଲି। ଆଉ ଯଦି ରହାଣେ ଓଭାଲ ଟେଷ୍ଟ୍‌ରୁ ବାଦ୍‌ ପଡ଼ନ୍ତି ତାହାଲେ ହନୁମା ବିହାରୀ ତାଙ୍କ ସ୍ଥାନ ନେବେ। ବିହାରୀ ମଧ୍ୟ ଅଫ୍‌ ସ୍ପିନ୍‌ ବୋଲିଂ କରିପାରନ୍ତି। କେବଳ ସେତିକି ନୁହେଁ ଜଣେ ଅଧିକ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଖେଳାଇବାର ପ୍ରସ୍ତାବ ଆସୁଥିବାରୁ ଏନେଇ ମଧ୍ୟ କୋହଲିଙ୍କୁ ଚିନ୍ତା କରିବାକୁ ପଡ଼ିବ। ଏହାହେଲେ ତାଙ୍କୁ ୫ ବୋଲର ଫର୍ମୁଲା ବଦଳାଇବାକୁ ପଡ଼ିବ।

ଅନ୍ୟପକ୍ଷରେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଆହତ ଥିବାରୁ ତାଙ୍କ ସ୍ଥାନରେ ବରିଷ୍ଠ ଅଫ୍‌ ସ୍ପିନର ଅଶ୍ବିନ୍‌ଙ୍କୁ ଚୂଡାନ୍ତ ଏକାଦଶରେ ଖେଳାଇବାର ସମ୍ଭାବନା ଅଧିକ ରହିଥିବା ସେ କହିଛନ୍ତି। ଜାଦେଜା ବ୍ୟାଟିଂରେ ଉପଯୋଗୀ ରହିଥିଲେ ମଧ୍ୟ ବୋଲିଂରେ ୩ ଟେଷ୍ଟ୍‌ରୁ ମାତ୍ର ୨ ୱିକେଟ୍‌ ପାଇଛନ୍ତି। ଓଭାଲ୍‌ ପିଚ୍‌ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା କରିପାରେ। ତେଣୁ ଅଶ୍ବିନ୍‌ଙ୍କୁ ସଫଳତା ମିଳିବା ସମ୍ଭାବନା ରହିବ। ବିଶେଷକରି ଅଶ୍ବିନ୍‌ ହିଁ ରୁଟ୍‌ଙ୍କୁ ରୋକିପାରିବେ ବୋଲି ପ୍ରଶଂସକମାନେ ଆଶାବାଦୀ ଅଛନ୍ତି। ଅଶ୍ବିନ୍‌ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଲେ ସେ ଭାରତର ତୃତୀୟ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ଭାବେ ହରଭଜନ ସିଂହଙ୍କ ନିକଟତର ହୋଇପାରିବେ। ଅଶ୍ବିନ୍‌ ଏବେ ୪୧୩ ୱିକେଟ୍‌ ପାଇଥିଲା ବେଳେ ହରଭଜନଙ୍କଠୁ ୪ ଦୂରରେ ରହିଛନ୍ତି।

ଦ୍ରୁତ ବୋଲିଂକ୍ରମରେ ଇଶାନ୍ତ ନିରାଶ କରୁଥିବାରୁ ତାଙ୍କ ବଦଳରେ ଶାର୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିପାରେ। ଠାକୁର ମଧ୍ୟ ଜଣେ ଅଲ୍‌ରାଉଣ୍ଡ ପ୍ରତିଭା। ପୁଣି ଉଭୟ ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସାମି ଚଳିତ ଶୃଙ୍ଖଳାରେ ୧୦୦ରୁ ଅଧିକ ଲେଖାଏଁ ଓଭର ବୋଲିଂ କରି ସାରିଥିବାରୁ ସେମାନଙ୍କ ଉପରୁ ବୋଝ ଲାଘବ କରିବା ପାଇଁ ଚିନ୍ତା କରୁଛନ୍ତି କୋହଲି। ଉଭୟଙ୍କ ମଧ୍ୟରୁ ଜଣକୁ ବିଶ୍ରାମ ଦେବା ଯୋଜନା କରିଛନ୍ତି। ଫଳରେ ଉମେଶ ଯାଦବଙ୍କୁ ସୁଯୋଗ ମିଳିପାରେ। ପ୍ରତିପକ୍ଷ ଘରୋଇ ଦଳ ବ୍ୟାଟିଂକ୍ରମରେ ବିଶେଷ ପରିବର୍ତନ କରିବାର ଆଶା ନାହିଁ। ତୃତୀୟ ଟେଷ୍ଟ୍‌ ବିଜୟରେ ଆଗଧାଡ଼ିର ସମସ୍ତ ବ୍ୟାଟ୍‌ସମ୍ୟାନ୍‌ ଭାରତୀୟ ବୋଲରଙ୍କୁ ଚମତ୍କାର ଖେଳିଥିଲେ। ବୋଲିଂରେ ମଧ୍ୟ ଜେମ୍‌ସ ଆଣ୍ଡରସନ୍‌, କ୍ରିସ୍‌ ୱକ୍ସ, ମାର୍କ ଉଡ୍‌ ପ୍ରଭାବୀ ରହିଛନ୍ତି। କେବଳ ନିଜର ଦ୍ବିତୀୟ ସନ୍ତାନ ଜନ୍ମ ପାଇଁ ବିରତି ନେଇଥିବା ଜୋସ୍‌ ବଟ୍‌ଲର୍‌ଙ୍କ ସ୍ଥାନରେ ଜନି ବେୟାରଷ୍ଟୋ ହିଁ ୱିକେଟ୍‌ରକ୍ଷଣ କରିବେ ବୋଲି କହିଛନ୍ତି ରୁଟ୍‌। ବଟଲର୍‌ଙ୍କ ଅନୁପସ୍ଥିତିରେ ମୋଇନ୍‌ ଅଲ୍ଲୀ ଘରୋଇ ଦଳର ଉପଅଧିନାୟକ ମନୋନୀତ ହୋଇଛନ୍ତି। ସେ ଆଉ ଗୋଟିଏ ୱିକେଟ୍‌ ଅକ୍ତିଆର କରିପାରିଲେ ୨୦୦ ଟେଷ୍ଟ୍‌ ୱିକେଟ୍‌ ପୂରଣ କରିବାରେ ଜିମ୍‌ ଲାକେରଙ୍କ ପରେ ଦ୍ବିତୀୟ ଇଂଲିସ୍‌ ସ୍ପିନର ହେବେ। ଅନ୍ୟପକ୍ଷରେ ରୁଟ୍‌ ଆଉ ୮୪ ରନ୍‌ କଲେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟେ‌ଷ୍ଟ୍‌ ରନ୍‌ କରିବାରେ ମାଇକେଲ ଭନ୍‌ଙ୍କ କୀର୍ତ୍ତିମାନକୁ ଅତିକ୍ରମ କରିବେ। ଚଳିତ କ୍ୟାଲେଣ୍ଡର ବର୍ଷରେ ରୁଟ୍‌ ଏପର୍ଯ୍ୟନ୍ତ ୧୩୯୮ ରନ୍‌ କରିଛନ୍ତି।

ସମ୍ଭାବ୍ୟ ୧୧ (ଭାରତ): କେଏଲ୍‌ ରାହୁଲ, ରୋହିତ ଶର୍ମା, ‌ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରହାଣେ, ଋଷଭ ପନ୍ତ୍‌ (ୱିକେଟ୍‌ରକ୍ଷକ), ରବୀନ୍ଦ୍ର ଜାଦେଜା/ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଶାର୍ଦୁଲ ଠାକୁର/ଈଶାନ୍ତ ଶର୍ମା, ମହମ୍ମଦ ସାମି/ଉମେଶ ଯାଦବ, ଯଶ୍‌ପ୍ରୀତ୍‌ ବୁମ୍‌ରା‌, ମହମ୍ମଦ ସିରାଜ।

ସମ୍ଭାବ୍ୟ ୧୧ (ଇଂଲଣ୍ଡ): ରୋରି ବର୍ଣ୍ଣସ, ହାସିବ୍‌ ହମିଦ୍‌, ଦାୱିଦ୍‌ ମଲାନ, ଜୋ ରୁଟ୍‌ (ଅଧିନାୟକ), ଓଲି ପୋ‌ପ୍‌, ଜନି ବେୟାରଷ୍ଟୋ (ୱିକେଟ୍‌ରକ୍ଷକ), ମୋଇନ୍‌ ଅଲ୍ଲୀ, କ୍ରିସ୍‌ ଓକ୍‌ସ, କ୍ରେଗ୍‌ ଓଭରଟନ୍‌, ଓଲି ରବିନ୍‌ସନ୍‌, ଜେମ୍‌ସ ଆଣ୍ଡରସନ୍‌।

ଭାରତୀୟ ଦଳରେ ପ୍ରସିଦ୍ଧ କୃଷ୍ଣ
କର୍ଣ୍ଣାଟକ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ଓଭାଲ୍‌ ଟେଷ୍ଟ୍‌ ପାଇଁ ଭାରତୀୟ ମୁଖ୍ୟ ଦଳରେ ସାମିଲ ହୋଇଛନ୍ତି। ଦଳୀୟ କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ମନୋନୟନ କମିଟି ପ୍ରସିଦ୍ଧଙ୍କୁ ସାମିଲ କରିଥିବା ବୁଧବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରସିଦ୍ଧ ଭାରତୀୟ ଦଳ ସହ ଜଣେ ଷ୍ଟାଣ୍ଡ୍‌ବାଇ ଖେଳାଳି ଭାବେ ରହିଛନ୍ତି। ଗସ୍ତ ଆରମ୍ଭରୁ ସେ ଦଳ ସହ ଅଭ୍ୟାସ କରୁଥିଲା ବେଳେ ବିଭିନ୍ନ ଭେନ୍ୟୁକୁ ଭ୍ରମଣ କରୁଥିଲେ। ଯଦି ସେ ଓଭାଲ୍‌ରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଆନ୍ତି ତାହାଲେ ଟେ‌ଷ୍ଟ୍‌ ପଦାର୍ପଣ କରିବେ। ମୁଖ୍ୟତଃ କୋହଲିଙ୍କ ଯୋଜନା ମୁତାବକ ବୁମ୍‌ରା କିମ୍ବା ସାମି ବିଶ୍ରାମ ପାଇଲେ ପ୍ରସିଦ୍ଧଙ୍କ ଖେଳିବା ସମ୍ଭାବନା ଅଧିକ ରହିବ। ମ୍ୟାଚ୍‌ ଦିନ ହିଁ କୋହଲି ଚୂଡାନ୍ତ ଏକାଦଶ ଘୋଷଣା କରିବାର ସମ୍ଭାବନା ରହିଛି।