ଚତୁର୍ଥ ଥର ଅଷ୍ଟ୍ରେଲିଆ ବି‌ଜେତା

ଆଣ୍ଟିଗୁଆ: ଅଷ୍ଟ୍ରେଲିଆ ମହିଳା ଦଳ ଚତୁର୍ଥ ଥର ଲାଗି ବିଶ୍ବ ଟ୍ବେଣ୍ଟି-୨୦ ମୁକୁଟ କରାୟତ କରିଛନ୍ତି। ଆଣ୍ଟିଗୁଆର ନର୍ଥଷ୍ଟାଣ୍ଡ୍‌ସ୍ଥିତ ସାର୍‌ ଭିଭିଆନ୍‌ ରିଚାର୍ଡ୍ସ ଷ୍ଟାଡିୟମରେ ଖେଳାଯାଇଥିବା ରବିବାର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହି ବିଜୟ ସହ ବିଶ୍ବ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଫାଇନାଲ୍‌ରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଅପରା‌ଜେୟ କୀର୍ତିମାନ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୯.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୦୫ ରନ୍‌ କରିଥିଲା। ଡାନିଏଲ୍‌ ୟାତ୍‌ ୪୩ ଓ ହିଦର ନାଇଟ୍‌ ୨୫ ରନ୍‌ କରିଥିଲା ବେଳେ ଇଂଲଣ୍ଡର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଅଷ୍ଟ୍ରେଲିଆର ଆସିଲେ ଗାର୍ଡନର ୩ ଏବଂ ମେଗାନ ସ୍କଟ୍‌ ଓ ଜର୍ଜିଆ ୱାରେହାମ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଇଂଲଣ୍ଡ ୧୫.୧ ଓଭରରେ ୨ ୱିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତି ନେଇଥିଲା। ଆଲିସା ହିଲି ୨୨ ଓ ବେଥ ମୁନି ୧୪ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ଗାର୍ଡନର ୩୩, ମେଗ୍‌ ଲାନିଙ୍ଗ୍ ୨୮ ରନ୍‌ରେ ଅପରାଜିତ ରହି ଅଷ୍ଟ୍ରେଲିଆକୁ ସହଜ ବିଜୟ ଦେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଗାର୍ଡନର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆଲିସା ହିଲି ପ୍ରତିଯୋଗିତାର ଶ୍ରେଷ୍ଠ ହୋଇଥିଲେ।

ସମ୍ବନ୍ଧିତ ଖବର