ଗୋଲ୍ଡକୋଷ୍ଟ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଏଠାରେ ଗୁରୁବାର ଘରୋଇ ଦଳ ବିପକ୍ଷରେ ଚତୁର୍ଥ ଟ୍ବେଣ୍ଟି-୨୦ ଖେଳିବ। ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ଟ୍ବେଣ୍ଟି-୨୦ ବର୍ଷା ଯୋଗୁଁ ବାତିଲ ହେବା ପରେ ଦ୍ବିତୀୟକୁ ଘରୋଇ ଦଳ ଏବଂ ତୃତୀୟକୁ ଭାରତ ଜିତି ନେଇଛନ୍ତି। ଫଳରେ ଏହି ଶୃଙ୍ଖଳା ଏବେ ୧-୧ ସମାନ ସ୍ତରରେ ରହିଛି। ଗତ ମ୍ୟାଚ୍ରେ ଜୋସ୍ ହାଜେଲଉଡ୍ଙ୍କୁ ବିଶ୍ରାମ ଦେବା ଘରୋଇ ଦଳ ପାଇଁ କାଳ ହୋଇଥିଲା। ଏହି ଦଳ ୧୮୬ ରନ୍ର ବିଜୟ ଲକ୍ଷ୍ୟକୁ ଅଟକାଇବାରେ ସମର୍ଥ ହୋଇ ପାରି ନଥିଲା। ଚତୁର୍ଥ ମ୍ୟାଚ୍ରେ ଏହାର ଓପନର୍ ଟ୍ରାଭିସ୍ ହେଡ୍ ଖେଳିବେନି। ସେଫିଲ୍ଡ ସିଲ୍ଡ ଲାଗି ଦଳରୁ ତାଙ୍କୁ ମୁକ୍ତ କରାଯାଇଛି। ଘରୋଇ ଦଳର ଦୁଇ ମୁଖ୍ୟ ଖେଳାଳିଙ୍କ ଅନୁପସ୍ଥିତି ଯୋଗୁଁ ଶେଷ ମ୍ୟାଚ୍ ପୂର୍ବରୁ ଭାରତ ୨-୧ରେ ଅଗ୍ରଣୀ ନେବାର ବଡ଼ ସୁଯୋଗ ରହିଛି।
ଓପନର୍ ଶୁବମନ ଗିଲ୍ ଗତ ୬ ମ୍ୟାଚ୍ରେ ଅର୍ଦ୍ଧଶତକଟିଏ ନକରିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଟ୍ବେଣ୍ଟି-୨୦ରେ ୨୦ ବଲ୍ରୁ ୩୭* ରନ୍ ତାଙ୍କର ଶ୍ରେଷ୍ଠ ରହିଛି। ତେବେ ବିଶ୍ବର ୧ନମ୍ବର ବ୍ୟାଟର୍ ଅଭିଷେକ ଶର୍ମା ଗୋଟିଏ ଅର୍ଦ୍ଧଶତକ ସହ ଭଲ ଆରମ୍ଭ ଦେଉଛନ୍ତି। ସେହିପରି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମ ଓ ତୃତୀୟ ମ୍ୟାଚ୍ରେ ଭଲ କରିଛନ୍ତି। ଯାହା ଦଳକୁ ଆଶ୍ବସ୍ତି ଦେଇଛି। ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଲାଗି କୁଲଦୀପ ଯାଦବଙ୍କୁ ସ୍ବଦେଶ ପଠାଇ ଦିଆଯାଇଥିଲା ବେଳେ ଆହତ ନୀତୀଶ କୁମାର ରେଡ୍ଡୀ ଫିଟ୍ ହୋଇ ଦଳକୁ ଫେରିଛନ୍ତି। ହେଲେ ଭାରତ ଗତ ମ୍ୟାଚ୍ରେ ଖେଳିଥିବା ଏକାଦଶରେ କୌଣସି ଅଦଳବଦଳ କରିବାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/india-2025-11-06-02-04-32.jpg)