ଫ୍ରାନ୍ସ ବିପକ୍ଷରେ ଫ୍ରାନ୍ସ

ସେଣ୍ଟପିଟର୍ସବର୍ଗ: ଦିନ ଥିଲା ଥିଏରି ହେନରିଙ୍କୁ ଫ୍ରାନ୍ସ ଫୁଟ୍‌ବଲ୍‌ ଦଳର ମେରୁଦଣ୍ଡ କୁହା ଯାଉଥିଲା। ଫ୍ରାନ୍ସକୁ ଜିତାଇବା ଲାଗି ସେ କିଛି ବି କରୁଥିଲେ। ମନ, ଜ୍ଞାନ ଓ ବଳ ସବୁ କିଛି ଲଗାଇ ଦେଉଥିଲେ। ହେଲେ ଆଜି ସେହି ହେନରି ହିଁ ଫ୍ରାନ୍ସ ପରାଜୟ ପାଇଁ ଯୋଜନା ତିଆରି କରୁଛନ୍ତି। ନିଜ ଦେଶର ପତନ ପାଇଁ ନୀତି ନିର୍ଧାରଣ କରୁଛନ୍ତି। ଏମିତି ଏକ ସ୍ଥିତି ତାଙ୍କ ପ୍ରଶିକ୍ଷକ ଚାକରିି ପାଇଁ ସୃଷ୍ଟି ହୋଇଛି। ଫ୍ରାନ୍ସ ଫୁଟବଲ୍‌ ଜଗତର ଅନ୍ୟତମ ମହାନ ଖେଳାଳି ଥିଏରି ହେନରି ସଂପ୍ରତି ବେଲଜିୟମ ଫୁଟବଲ୍‌ ଦଳର ସହକାରୀ ପ୍ରଶିକ୍ଷକ ଅଛନ୍ତି। ସେଥିପାଇଁ ୪୦ ବର୍ଷୀୟ ହେନରି ମଙ୍ଗଳବାରର ଫ୍ରାନ୍ସ-ବେଲଜିୟମ ମ୍ୟାଚ୍‌ରେ ବିରୋଧୀ ପକ୍ଷରେ ରହିବେ। ନିଜ ଜନ୍ମିତ ଦେଶକୁ ଫାଇନାଲ୍‌ ଖେଳିବାରୁ ରୋକିବା ଲାଗି ବେଲଜିୟମକୁ ସହଯୋଗ କରିବେ। ତା ପୁଣି ୧୯୯୮ ମସିହାରେ ଏକାଠି ବିଶ୍ୱକପ୍‌ ଜିତିଥିବା ନିଜ ପୁରୁଣା ସାଥୀ ଦିଦିଏର ଦେଶ୍ଚାମ୍ପସ୍‌ଙ୍କ ବିରୋଧରେ। ଦେଶ୍ଚାମ୍ପ ଗତ ୬ ବର୍ଷ ଧରି ଫ୍ରାନ୍ସ ଫୁଟବଲ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବାରୁ ହେନରିଙ୍କୁ ମଙ୍ଗଳବାର ତାଙ୍କ ଯୋଜନାକୁ ନିଷ୍ଫଳ କରିବା ଲାଗି ଯୋଜନା ତିଆରି କରିବାକୁ ହେବ। ଏହାକୁ ଏକ ବିଚିତ୍ର ସ୍ଥିତି ଭାବେ ବର୍ଣ୍ଣନା କରିଛନ୍ତି ଦିଦିଏର। ହନେରି ଜଣେ ଫରାସି ହୋଇଥିଲା ବେଳେ ଫରାସିଙ୍କ ବିରୋଧୀ ଶିବିରରେ ରହିବାକୁ ସେ କିନ୍ତୁ ହାଲକା ଭାବରେ ନେଇଛନ୍ତି। ହେନରିଙ୍କ ପାଇଁ ସେ ଖୁସି ବୋଲି ଦିଦିଏର ମତ ରଖିଛନ୍ତି। ହେନରି ଫ୍ରାନ୍ସ ପକ୍ଷରୁ ୧୨୩ ମ୍ୟାଚ୍‌ ଖେଳି ୫୧ ଗୋଲ୍‌ କରିଛନ୍ତି। ସେ ଚାରିଟି ବିଶ୍ୱକପରେ ଫ୍ରାନ୍ସର ପ୍ରତିନିଧିତ୍ୱ କରିଛନ୍ତି। ୧୯୯୮ରେ ବିଜୟୀ ହେବା ସହ ୨୦୦୬ରେ ଉପବିଜେତା ହୋଇଥିବା ଫ୍ରାନ୍ସ ଦଳର ସେ ସଦସ୍ୟ ଥିଲେ। ସେ ମଧ୍ୟ ୨୦୦୨ ଓ ୨୦୧୦ ବିଶ୍ୱକପ୍‌ ଖେଳିଥିଲେ। ଗତ ଦୁଇ ବର୍ଷ ହେବ ସେ ବେଲଜିୟମ ପ୍ରଶିକ୍ଷକ ରୋବେର୍ଟୋ ମାର୍ଟିନେଜଙ୍କ ସହକାରୀ ଭାବେ କାର୍ଯର୍୍ୟ କରୁଛନ୍ତି। ମଜାଦାର କଥା ହେଲା ବୁଧବାର ଯିଏ ଜିତିଲେ ବି ହେନରିଙ୍କ ଅନୁଭବ ଉଭୟ ସୁଖ ଓ ଦୁଃଖ ରହିବ।

ସମ୍ବନ୍ଧିତ ଖବର