:ଭୁବନେଶ୍ବର: ଚଳିତ ବିଶ୍ବକପ୍ର ସବୁଠୁ ନିମ୍ନମାନ୍ୟତାପ୍ରାପ୍ତ ଦଳ ହେଉଛି ଫ୍ରାନ୍ସ। ଯିଏକି ଏଫ୍ଆଇଏଚ୍ ତାଲିକାରେ ବର୍ତମାନ ୨୦ତମ ସ୍ଥାନରେ ରହିଛି। ହକିରେ ଏହି ଦେଶର ବିଶେଷ ବଡ଼ ଉପଲବ୍ଧି ନାହିଁ। ସୋମବାର କିନ୍ତୁ ଓଡ଼ିଶା ବିଶ୍ବକପ୍ରେ ଫ୍ରାନ୍ସ ୨ ଥର ରୌପ୍ୟ ପଦକ ଏବଂ ଥରେ କାଂସ୍ୟ ପଦକ ବିଜେତା ସ୍ପେନ୍କୁ ରୋକି ଦେଇଛି। ପୁଲ୍ 'ଏ' ଅନ୍ତର୍ଗତ ଏହି ଦ୍ବିତୀୟ ରାଉଣ୍ଡ୍ ମୁକାବିଲାକୁ ୧-୧ ଗୋଲ୍ରେ ଅମୀମାଂସିତ ରଖି ଦ୍ବିତୀୟ ମ୍ୟାଚ୍ରୁ ପ୍ରଥମ ପଏଣ୍ଟ୍ ପକେଟସ୍ଥ କରି ନେଇଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍ ହାରିଥିବା ଅଷ୍ଟମ ମାନ୍ୟତାପ୍ରାପ୍ତ ସ୍ପେନ୍ ସମାନ ସ୍ଥିତିରେ ଥିଲେ ବି ଏବେ ଯୋଗ୍ୟତା ଅର୍ଜନ କରିବା ନେଇ ଆଶଙ୍କା ଭିତରେ ପଡ଼ିଯାଇଛି। ଗତ ଗୁରୁବାର ଏହି ପୁଲ୍ର ପ୍ରଥମ ଦିବସରେ ଆର୍ଜେଣ୍ଟିନା ୪-୩ରେ ସ୍ପେନ୍କୁ ଏବଂ ନ୍ୟୁଜିଲାଣ୍ଡ ୨-୧ରେ ଫ୍ରାନ୍ସକୁ ହରାଇ ଦେଇଥିଲା। ସବୁଠାରୁ ଉଲ୍ଲେଖନୀୟ ଥିଲା, ୫୧ତମ ମିନିଟରେ ଫ୍ରାନ୍ସ ଅର୍ଜନ କରିଥିବା ପେନାଲଟି ଷ୍ଟ୍ରୋକ୍କୁ କୋର୍ଟସ ଚମତ୍କାର ଭାବେ ରୋକିଦେବାରୁ ୨୮ ବର୍ଷ ବିଶ୍ବକପ୍ ଆସିଥିବା ଫ୍ରାନ୍ସ ପ୍ରଥମ ବିଜୟରୁ ବଞ୍ଚିତ ହେବା। ମ୍ୟାଚ୍ ପ୍ରାରମ୍ଭରୁ ହିଁ ଫରାସୀ ଖେଳାଳି ସୁନ୍ଦର ଷ୍ଟିକ୍ ଚାଳନା କରି କଳିଙ୍ଗ ପ୍ରଶଂସକଙ୍କୁ ବିମୋହିତ କରି ଦେଇଥିଲେ। ଷଷ୍ଠ ମିନିଟରେ ଦଳର ୨୮ ନମ୍ବର ଜର୍ସିରେ ଖେଳୁଥିବା ୧୮ ବର୍ଷୀୟ ଟିମୋଥି କ୍ଲିମେଣ୍ଟ ଫିଲଡ୍ ଗୋଲ୍ ଦେଇ ଫ୍ରାନ୍ସକୁ ଆଗୁଆ କରି ଦେଇଥିଲେ। ଏହି ଗୋଲ୍କୁ ଦଳର ଡିଫେଣ୍ଡରମାନେ ମଧ୍ୟ ଚତୁର୍ଥ କ୍ବାର୍ଟର ପ୍ରାରମ୍ଭ ତଥା ୪୮ତମ ମିନିଟ୍ ପର୍ଯ୍ୟନ୍ତ ସୁରକ୍ଷିତ ରଖିଥିଲେ। ୪୮ତମ ମିନିଟରେ ଆଲଭାରୋ ଇଜଲେସିଆସ୍ଙ୍କ ଫିଲଡ୍ ଗୋଲ୍ କିନ୍ତୁ ଫ୍ରାନ୍ସର ପୂରା ପଏଣ୍ଟରେ ପାଣି ଭରି ଦେଇଥିଲା। ୫୧ତମ ମିନିଟରେ ବି ଦଳର ପେନାଲଟି ଷ୍ଟ୍ରୋକ୍ ବେକାର ହୋଇଯିବାରୁ ଦଳର ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଯାଇଥିଲା। ଖଳ ନାୟକ ଥିଲେ ବ୍ଲେଇଜ୍ ରୋଜିୟୁ ଯିଏକୁ କର୍ନରକୁ ମାରିଦେବାରୁ କୋର୍ଟସ ଏହାକୁ ରୋକି ଦେଇଥିଲେ। ଏଥି ସହିତ ଚଳିତ ବିଶ୍ବକପ୍ରେ ମଧ୍ୟ ହ୍ୟାଟ୍ରିକ୍ ମ୍ୟାଚ୍ ଅମୀମାଂସିତ ରହିଲା। ସୋମବାରର ଏହି ମ୍ୟାଚ୍ ପ୍ରାରମ୍ଭରେ ଦୁଇ ଦୁଇ ଥର ବିଶ୍ବକପ୍ ବିଜେତା ଦୃଷ୍ଟିହୀନ କ୍ରିକେଟର୍ ମହମ୍ମଦ ଜାଫର ଇକ୍ବାଲ ଅତିଥି ଥିଲେ। ଶେଷରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସ୍ପେନ୍ ଗୋଲ୍ରକ୍ଷକ ତଥା ଅଧିନାୟକ କ୍ୟୁକୋ କୋର୍ଟସଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।
ସ୍ପେନ୍କୁ ରୋକିଲା ଫ୍ରାନ୍ସ
/sambad/media/post_attachments/wp-content/uploads/2018/12/france.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)