ପେରୁ ପରାସ୍ତ ପ୍ରି-କ୍ୱାର୍ଟରରେ ଫ୍ରାନ୍ସ

ଏକତେରିନବର୍ଗ:  ପେରୁକୁ ୧-୦ ଗୋଲ୍‌ରେ ହରାଇ ଫ୍ରାନ୍ସ ଚଳିତ ଫିଫା ଫୁଟ୍‌ବଲ୍‌ ବିଶ୍ୱକପର ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି।  ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇଥିବା ଫ୍ରାନ୍ସ ଏଥିସହିତ ଲଗାତାର ଦ୍ୱିତୀୟ ବିଜୟ ମଧ୍ୟ ହାସଲ କରିଛି। ସେପଟେ କ୍ରମାଗତ ପରାଜୟ ସହ ପେରୁ ପ୍ରି-କ୍ୱାର୍ଟର ଦୌଡ଼ରୁ ବାଦ ପଡ଼ିଛି।  ଆଜିର ଏହି ମୁକାବିଲାର ଏକମାତ୍ର ଗୋଲ୍‌ ୧୯ ବର୍ଷୀୟ କିଲିଆନ୍‌ ଏମ୍‌ବାପେ ୩୪ ମିନିଟ୍‌ରେ ଦେଇଥିଲେ। ସେ ମଧ୍ୟ ବିଶ୍ୱକପ୍‌ରେ ଗୋଲ୍‌ ଦେବାରେ ଫ୍ରାନ୍ସର କନିଷ୍ଠତମ ଖେଳାଳି ହୋଇଥିଲେ। ୧୯୮୨ ଏବଂ ୧୯୮୬ ମସିହା ପରେ ପ୍ରଥମ ଥର ପାଇଁ ମଧ୍ୟ ଫ୍ରାନ୍ସ ଲଗାତାର ଦୁଇଟି ବିଶ୍ୱକପ୍‌ର ପ୍ରି-କ୍ୱାର୍ଟରକୁ ଯାଇଛି। ଚଳିତ ସଂସ୍କରଣ ଭଳି ୨୦୧୪ ବ୍ରାଜିଲ ବିଶ୍ୱକପ୍‌ରେ ମଧ୍ୟ ଫ୍ରାନ୍ସ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଗୁରୁବାର ରାତିରେ ପେରୁ ଲଢ଼ୁଆ ଫୁଟବଲ୍‌ ଖେଳିଥିଲା। ହେଲେ ସୁଯୋଗକୁ ଗୋଲ୍‌ରେ ରୂପାନ୍ତର କରିବାରେ ବିଫଳ ହୋଇଥିଲା।  ପ୍ରଥମ ୩୦ ମିନିଟ୍‌ ପର୍ଯ୍ୟନ୍ତ କିନ୍ତୁ ଫ୍ରାନ୍ସକୁ ପାଣି ପିଆଇ ଦେଇଥିଲା। ଏପରିକି ୩୧ ମିନିଟ୍‌ରେ ଗୋଲ୍‌ ଦେବାର ଖୁବ୍‌ ନିକଟରେ ପହଞ୍ଚି ଯାଇଥିଲା। ହେଲେ ପାଓଲୋ ଗୁରେରୋଙ୍କ ସଟ୍‌ ଗୋଲ୍‌ ପୋଷ୍ଟରେ ବାଜି ବାହାରକୁ ଚାଲି ଯାଇଥିଲା। ଏହାର ୩ ମିନିଟ୍‌ ପରେ ଅର୍ଥାତ୍‌ ୩୪ ମିନିଟ୍‌ରେ କିନ୍ତୁ ଫ୍ରାନ୍ସ ବାଜି ମାରି  ନେଇଥିଲା। ଆଣ୍ଟୋନି ଗ୍ରିଜମ୍ୟାନ୍‌ ବକ୍ସ ଭିତରେ ଦେଇଥିବା ପାସ୍‌କୁ ଜିରୋଜ ପିକ୍ୱେ ଗୋଲ୍‌ ପୋଷ୍ଟ ଆଡ଼କୁ ମାରିଥିଲେ। ଯାହାକୁ ପେରୁ ତାରକା କ୍ରିଷ୍ଟିଆନ୍‌ ରାମୋସ୍‌ ରୋକିବାକୁ ଚେଷ୍ଟା କରିଥିଲେ। ତେବେ ବଲ୍‌ ତାଙ୍କ ଦେହରୁ ପ୍ରତିଫଳିତ ହୋଇ ଗୋଲ୍‌ ରକ୍ଷକଙ୍କ ମୁଣ୍ଡ ଉପର ଦେଇ ଗୋଲ୍‌ ପୋଷ୍ଟ ଆଡ଼କୁ ଚାଲି ଯାଇଥିଲା। ସେଠାରେ ସଜାଗ ଥିବା ଏମ୍‌ବାପେ ମୁକୁଳା ଗୋଲପୋଷ୍ଟ୍‌ ଭିତରକୁ ଅତି ସହଜରେ ବଲ୍‌ ପଠାଇ ଫ୍ରାନ୍ସକୁ ଆଗୁଆ କରି ଦେଇଥିଲେ। ଏହି ଗୋଲ୍‌ ହିଁ ଉଭୟ ଦଳ ମଧ୍ୟରେ ଫରକ ହୋଇଥିଲା। ପ୍ରଥମାର୍ଧରେ  ଫ୍ରାନ୍ସ ୧-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଧରେ ମଧ୍ୟ ଏହି ସ୍ଥିତି କାୟମ ରଖିବାକୁ ସକ୍ଷମ ହୋଇଥିଲା। ଫଳରେ ଦୁଇଟି ବିଜୟରୁ ୬ ପଏଣ୍ଟ୍‌ ପାଇ ଗ୍ରୁପ-ସିର ପ୍ରଥମ ସ୍ଥାନରେ ରହି ପ୍ରି-କ୍ୱାର୍ଟରକୁ ଯାଇଥିଲା। ଫ୍ରାନ୍ସ ବିଜୟ ପରେ ଡେନମାର୍କ ମଧ୍ୟ ପ୍ରି-କ୍ୱାର୍ଟରରେ ଗୋଟିଏ ପାଦ ରଖିଛି। ପେରୁ ବିପକ୍ଷ ଶେଷ ମ୍ୟାଚ୍‌କୁ  ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ବଡ଼ ବ୍ୟବଧାନରେ ଜିତିଲେ ହିଁ ଏହି ଦଳ ପାଇଁ କିଛିଟା ବିପଦ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର