ଦ୍ବିତୀୟ ରାଉଣ୍ଡ୍‌ରେ ଫ୍ରାନ୍‌ସ, ଜର୍ମାନି

ପ୍ୟାରିସ୍‌: ଚଳିତ ଫିଫା ମହିଳା ବିଶ୍ବକପ୍‌ରେ ଫ୍ରାନ୍‌ସ ଏବଂ ଜର୍ମାନି ଲଗାତାର ୨ ଲେଖାଏଁ ବିଜୟ ପାଇ ପରବର୍ତୀ ରାଉଣ୍ଡ୍‌କୁ ସ୍ଥାନ ପକ୍କା କରିଛନ୍ତି। ଗୁରୁବାର ଗ୍ରୁପ୍‌-ଏ’ରେ ନରୱେକୁ ୨-୧ ଗୋଲ୍‌ରେ ପରାସ୍ତ କରି ଫ୍ରାନ୍‌ସ ୬ ପଏଣ୍ଟ୍‌ ସହ ଶୀର୍ଷରେ ରହି ଏହି ସ୍ଥାନ ସୁରକ୍ଷିତ କରିଛି। ଏହି ମ୍ୟାଚ୍‌ରେ ଫ୍ରାନ୍‌ସ ବିଜୟୀ ହୋଇଥିଲେ ମଧ୍ୟ ୱେଣ୍ଡି ରିନାର୍ଡଙ୍କ ଆତ୍ମଘାତୀ ଗୋଲ୍‌ ଦଳକୁ ପରବର୍ତୀ ରାଉଣ୍ଡ୍‌ରେ ତ୍ରୁଟି ସୁଧାରିନେବା ପାଇଁ ଚେତାବନୀ ଦେଇଛି। ଭାଲେରି ଗଭିନ୍‌ସ ୪୬ ମିନିଟ୍‌ରେ ଫ୍ରାନ୍‌ସ ପାଇଁ ପ୍ରଥମ ଗୋଲ୍‌ କରିବା ପରେ ୫୪ ମିନିଟ୍‌ରେ ରିନାର୍ଡଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ନରୱେ ସ୍ଥିତି ୧-୧ କରିନେଇଥିଲା। ହେଲେ ୭୨ ମିନିଟ୍‌ରେ ଇଉଜେନି ଲି ସୋମେର୍‌ଙ୍କ ଗୋଲ୍‌ ହିଁ ଫ୍ରାନ୍‌ସକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଭେଟି ଦେଇଥିଲା। ପୂର୍ବରୁ ନିଜର ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍‌ସ ୪-୦ ଗୋଲ୍‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ଏଥି ସହିତ ଫ୍ରାନ୍‌ସ ନିଜର ପ୍ରଥମ ବିଶ୍ବକପ୍‌ ଟ୍ରଫି ହାସଲ ଦିଗରେ ପ୍ରଥମ ପାଦ ଆଗକୁ ବଢ଼ାଇଛି। ସେହିପରି ଗ୍ରୁପ୍‌-ଏ’ରେ ମଧ୍ୟ ଜର୍ମାନି କ୍ରମାଗତ ଦ୍ବିତୀୟ ବିଜୟ ସହ ପରବର୍ତୀ ରାଉଣ୍ଡ୍‌ରେ ପ୍ରବେଶ କରିଛି। ସାରା ଦାବ୍ରିଜ୍‌ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ଟି ୪୨ ମିନିଟ୍‌ରେ କରିଥିଲେ। ଫଳରେ ଜର୍ମାନି ୧-୦ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରିଥିଲା। ଆଉ ଏହି ବିଜୟ ସହ ୨ ମ୍ୟାଚ୍‌ରୁ ୬ ପଏଣ୍ଟ୍‌ ପାଇ ଜର୍ମାନି ପରବର୍ତୀ ରାଉଣ୍ଡ୍‌ ପାଇଁ ସ୍ଥାନ ସୁରକ୍ଷିତ କରିନେଇଛି। ଦୁଇ ଥର ବିଜୟିନୀ ଜର୍ମାନି ଏହା ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଚୀନ୍‌କୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର