ଶୀର୍ଷ ୮ରେ ଫ୍ରାନ୍ସ: ଗୋଲ‌୍‌ଡେନ୍‌ ବୁଟ୍‌ ଦୌଡ଼ରେ ଏମ୍‌ବାପେ, ଗିରୋଡ୍‌ ଫ୍ରାନ୍ସର ସର୍ବାଧିକ ଗୋଲ୍‌ ସ୍କୋରର୍‌

ଦୋହା: ଏମ୍‌ବାପେ (୭୪, ୯୦+୧ ମିନିଟ୍‌)ଙ୍କ ଯୁଗଳ ଗୋଲ୍‌ ବଳରେ ବିଜେତା ଫ୍ରାନ୍ସ ଚଳିତ ଫିଫା ବିଶ୍ବକପ୍‌ର କ୍ବାର୍ଟରଫାଇନାଲ୍‌ (ଶୀର୍ଷ ୮)ରେ ସ୍ଥାନ ପକ୍କା କରିଛି। ରବିବାର ଅଲ୍‌ ଥୁମାମା ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ପ୍ରିକ୍ବାର୍ଟରଫାଇନାଲ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଫ୍ରାନ୍ସ ୩-୧ ଗୋଲ୍‌ରେ ୨୬ ମାନ୍ୟତାପ୍ରାପ୍ତ ପୋଲାଣ୍ଡକୁ ପରାସ୍ତ କରିଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ଖେଳୁଥିବା ପ୍ରାନ୍ସ ପାଇଁ ଲଗାତାର ଭାବେ ସୁଯୋଗ ସୃଷ୍ଟି ହୋଇଥିଲା। ତେବେ ପ୍ରଥମାର୍ଦ୍ଧ ଶେଷ ହେବା ଗୋଟିଏ ମିନିଟ୍‌ ପୂର୍ବରୁ କାଇଲିଆନ୍‌ ଏମ୍‌ବାପେଙ୍କ ପାସ୍‌ରେ ଓଲିଭର ଗି‌ରୋଡ୍‌ ପ୍ରଥମ ଗୋଲ୍‌ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହି ଗୋଲ୍‌ ସହିତ ସେ ଫ୍ରାନ୍ସର ସର୍ବାଧିକ ଗୋଲ୍‌ ସ୍କୋରର ‌କୀର୍ତ୍ତିମାନ ବହନ କରିଛନ୍ତି। ତାଙ୍କ ପୂର୍ବରୁ ଥିଏରି ହେନ୍‌ରି ୫୧ ଗୋଲ୍‌ ଦେଇଥିଲା ବେଳେ ଓଲିଭର ଚଳିତ ବିଶ୍ବକପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ତାଙ୍କ ସମକକ୍ଷ ହେବା ସହ ପ୍ରିକ୍ବାର୍ଟରରେ ୫୨ତମ ଗୋଲ୍‌ ସ୍କୋର କରିଥିଲେ।

ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ଗୋଲ୍‌ ସନ୍ଧାନରେ ଥିବା ବେଳେ ପୁଣି ଥରେ ଏମ୍‌ବାପେ କରାମତି ଦେଖାଇ ୭୫ ମିନିଟ୍‌ରେ ଦଳର ଦ୍ବିତୀୟ ଓ ଶେଷ ମିନିଟ୍‌ରେ ତୃତୀୟ ଗୋଲ୍‌ ସ୍କୋର କରିଥିଲେ। ଏହି ଗୋଲ୍‌ ଯୋଗୁଁ ଏମ୍‌ବାପେ ଚଳିତ ବିଶ୍ବକପ୍‌ର ସର୍ବାଧିକ ଗୋଲ୍‌ ସ୍କୋରର (୫) ହେବା ସହ ଫିଫା ବିଶ୍ବକପ୍‌ରେ ତାଙ୍କର ଗୋଲ୍‌ ସଂଖ୍ୟା ୮ (୧୧ ମ୍ୟାଚ୍‌)ରେ ପହଞ୍ଚିଛି। ଫ୍ରାନ୍ସ ୩-୦ରେ ଅଗ୍ରଣୀ ରହି ନିଶ୍ଚିତ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ୯୦+୮ ମିନିଟ୍‌ରେ ପୋଲାଣ୍ଡକୁ ଏକ ପେନାଲ୍‌ଟି ମିଳିବାରୁ ରବର୍ଟ ଲେୱାଣ୍ଡୋସ୍କି ଗୋଟିଏ ଗୋଲ୍‌ ଶୁଝିବାରେ ସଫଳ ହୋଇଥିଲେ। କିନ୍ତୁ ସେତେବେଳକୁ ସମୟ ସରିଆସିଥିବାରୁ ପୋଲାଣ୍ଡ ଏହି ଗୋଟିଏ ଗୋଲ୍‌ ଦେଇ ବିଶ୍ବକପ୍‌ରୁ ବିଦାୟ ନେଇଛି।

ସମ୍ବନ୍ଧିତ ଖବର