ଫିଫା ବିଶ୍ୱକପ୍‌: ଫ୍ରାନ୍ସ ୪-୨ରେ କ୍ରୋଏସିଆକୁ ପରାସ୍ତ କରି ବିଶ୍ୱ ଚାମ୍ପିଅନ

ମସ୍କୋ: ଫିଫା ବିଶ୍ୱକପ୍‌ର ୨୧ତମ ସଂସ୍କରଣରେ ଫ୍ରାନ୍ସ ଚାମ୍ପିଅନ୍‌ ହୋଇଛି। ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ସୁନାର ଟ୍ରଫି ହାସଲ କରିଛି। ରୁଷିଆର ରାଜଧାନୀ ମସ୍କୋର ଲୁଜନିକ୍‌ ଷ୍ଟାଡିୟମରେ ରବିବାର ଫାଇନାଲ ମ୍ୟାଚ୍‌ରେ ୪-୨ରେ କ୍ରୋଏସିଆକୁ ପରାସ୍ତ କରି ଏହି ଉପଲବ୍ଧି ହାସଲ କରିଛି। ଏଥି ସହିତ ଫ୍ରାନ୍ସ ୨ୟ ଥର ପାଇଁ ଫିଫା ଟ୍ରଫିର ଅଧିକାରୀ ହୋଇ ପାରିଛି। ଖେଳ ଆରମ୍ଭରୁ ଫ୍ରାନ୍ସ କ୍ରୋଏସିଆ ଉପରେ ଆଧିପତ୍ୟ ବିସ୍ତାର କରିଥିଲା। ଫ୍ରାନ୍ସ ପ୍ରଥମ ଗୋଲ ଦେବାର ଅଳ୍ପ କିଛି ସମୟ ପରେ କ୍ରୋଏସିଆ ଏହାକୁ ବରାବର କରିଦେଇଥିଲା। ମାତ୍ର ଏଥିରେ ଫ୍ରାନ୍ସର ଖେଳାଳିମାନଙ୍କର ମନୋବଳ କମି ଯାଇ ନଥିଲା। ଦଳର ଖେଳାଳିମାନେ ଦୃଢ଼ ମନୋଭାବ ନେଇ ପରବର୍ତ୍ତୀ ସମୟରେ ଆଉ ୩ଟି ଗୋଲ ଦେଇ ମ୍ୟାଚକୁ ୪-୧ରେ ଅଗ୍ରଣୀ କରିଥିଲେ। ଶେଷ ଥର ପାଇଁ କ୍ରୋଏସିଆ ଗୋଲ ଦେଇ ମ୍ୟାଚକୁ ୪-୨ରେ ପହଞ୍ଚାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆଉ ଅଧିକ ଗୋଲ ଦେବାକୁ ସୁଯୋଗ ମିଳି ନଥିଲା।

ହେରି କେନ୍‌ଙ୍କୁ ଗୋଲଡେନ୍‌ ବୁଟ୍‌ ଆଓ୍ଵାର୍ଡ

ଫିଫା ବିଶ୍ୱକପରେ ଇଂଲଣ୍ଡରେ ଅଧିନାୟକ ହେରି କେନ୍‌ଙ୍କୁ ଗୋଲଡେନ୍‌ ବୁଟ ପୁରସ୍କାର ମିଳିବ। ଚଳିତ ବିଶ୍ୱକପରେ ସେ ସର୍ବାଧିକ ୬ଟି ଗୋଲ ଦେଇଛନ୍ତି। ତାଙ୍କ ତଳକୁ ଫ୍ରାନ୍ସର ଆଣ୍ଟୋନି ଗ୍ରୀଜମ୍ୟାନ, କାଲିଆନ ମାମପପେ, ପର୍ତ୍ତୁଗାଲର ଖ୍ରୀଷ୍ଟିଆନୋ ରୋନାଲଡୋ ଓ ରୁଷିଆର ଡେନିସ ଚେଭିସେପ ୪-୪ ଗୋଲ ଦେଇଛନ୍ତି।

ସୂଚନାଯୋଗ୍ୟ ଫ୍ରାନ୍ସ ପୂର୍ବରୁ ମଧ୍ୟ ଫିଫା ବିଶ୍ୱକପ୍‌ ଚାମ୍ପିଅନ ହୋଇଥିଲା। ବର୍ଷ ୧୯୯୮ରେ ନିଜ ଦେଶରେ ଆୟୋଜନ ହୋଇଥିବା ବିଶ୍ୱକପରେ ବ୍ରାଜିଲକୁ ୩-୦ରେ ପରାସ୍ତ କରି ଚାମ୍ପିଅନ୍‌ ହୋଇଥିଲା।

ସମ୍ବନ୍ଧିତ ଖବର