ପୋଗ୍‌ବା ପରାକ୍ରମରେ ଅଷ୍ଟ୍ରେଲିଆ ଚିତ୍‌

ବିଜୟରୁ ଫ୍ରାନ୍ସର ଅଭିଯାନ

କଜାନ: ପୂର୍ବବିଜେତା ଫ୍ରାନ୍ସ ବିଜୟରୁ ତାର ୨୧ତମ ଫୁଟ୍‌ବଲ୍‌ ବିଶ୍ୱକପ୍‌ର ଅଭିଯାନ ଆରମ୍ଭ କରିଛି। ଶନିବାର ଖେଳାଯାଇଥିବା ଚାରିଟି ମ୍ୟାଚ୍‌ ମଧ୍ୟରୁ ପ୍ରଥମ ମୁକାବିଲାରେ ଫ୍ରାନ୍ସ ୨-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ସମାନ ସ୍ତରରେ ଥିଲା ବେଳେ ତାରକା ଅଗ୍ରଭାଗ ଖେଳାଳି ପଲ୍‌ ପୋଗ୍‌ବାଙ୍କ ୮୧ ମିନିଟ୍‌ ଗୋଲ୍‌ ବଳରେ ଫ୍ରାନ୍ସ ବିଜୟର ସ୍ୱାଦ ଚାଖିଥିଲା। ପ୍ରଥମାର୍ଧରେ ଉଭୟ ଦଳ ବହୁ ଚେଷ୍ଟା କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ହେଲେ ଅଷ୍ଟ୍ରେଲିଆ ଖେଳାଳିମାନେ ଫ୍ରନ୍ସର ଶକ୍ତିଶାଳୀ ଅଗ୍ରଭାଗକୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ। କହିବାକୁ ଗଲେ ପ୍ରଥମାର୍ଧ ପୂରା ଅଷ୍ଟ୍ରେଲିଆ ଖାତାକୁ ଯାଇଥିଲା। ଫ୍ରାନ୍ସ ତୁଳନାତ୍ମକ ଭାବେ ଦୁର୍ବଳ ଖେଳ ଖେଳିଥିଲା। ସେଥିପାଇଁ ଦ୍ୱିତୀୟାର୍ଧରେ ହିଁ ମ୍ୟାଚ୍‌ର ତିନିଟି ଯାକ ଗୋଲ୍‌ ଦେଖିବାକୁ ମିଳିଥିଲା। ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ବ୍ୟବହୃତ ହେଉଥିବା ଭାର୍‌ (ଭିଡିଓ ଆସିଷ୍ଟାଣ୍ଟ ରେଫରି) ଜ୍ଞାନକୌଶଳରେ ପେନାଲ୍ଟି ଅର୍ଜନରେ ଫ୍ରାନ୍ସ ପ୍ରଥମ ଦଳ ହୋଇଥିଲା। ଦୀର୍ଘ ଗତିରୋଧ ଦୂର କରି ୫୮ ମିିନିଟ୍‌ରେ ଆଣ୍ଟୋନି ଗ୍ରିଜମ୍ୟାନ୍‌ ଏହି ପେନାଲ୍ଟି ପାଇଥିଲେ। ଯାହାକୁ ଗୋଲ୍‌ରେ ରୂପାନ୍ତର କରି ସେ ହିଁ ଫ୍ରାନ୍ସକୁ ଆଗୁଆ କରି ଦେଇଥିଲେ। ହେଲେ ମାତ୍ର ୪ ମିନିଟ୍‌ ପରେ ଅଷ୍ଟ୍ରେଲିଆ ଅଧିନାୟକ ମିଲେ ଜେଡିନେକ୍‌ ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲେ। ପରବର୍ତୀ ୨୮ ମିନିଟ୍‌ ପର୍ଯ୍ୟନ୍ତ ଉଭୟ ଦଳ ଜୋର୍‌ଦାର ଲଢ଼େଇ କରିଥିଲେ। ୨୯ତମ ମିନଟ୍‌ରେ କିନ୍ତୁ ପୋଗ୍‌ବାଙ୍କ ଜରିଆରେ ଫ୍ରାନ୍ସ ବାଜି ମାରି ନେଇଥିଲା। ବକ୍ସ୍‌ର ମଧ୍ୟଭାଗରୁ ପୋଗ୍‌ବା ମାରିଥିବା ସଟ୍‌ ଲାଇନର ଠିକ୍‌ ପଛରେ ପଡ଼ିବା ସହ ଫ୍ରାନ୍ସ ଆଗୁଆ ହୋଇ ଯାଇଥିଲା। ଶେଷ ୯ ମିନିଟ୍‌ ସହ ଆହତ ସମୟରେ ଅଷ୍ଟ୍ରେଲିଆ ଏହି ଗୋଲଟିକୁ ଶୁଝି ନପାରିବାରୁ ଫ୍ରାନ୍ସ ପୂରା ୨ ପଏଣ୍ଟ ଛଡ଼ାଇ ନେଇଥିଲା।

ସମ୍ବନ୍ଧିତ ଖବର