ମସ୍କୋ ବିଶ୍ୱକପ୍‌ : କ୍ରୋଏସିଆ ୨-୪ରେ ହାରିଲା

ହାରି କେନ୍‌ଙ୍କୁ (ଇଂଲଣ୍ଡ) ସ୍ୱର୍ଣ୍ଣ ଜୋତା, ଲୁକା ମୋଡ୍ରିକ୍‌ଙ୍କୁ (କ୍ରୋଏସିଆ) ସ୍ୱର୍ଣ୍ଣ ବଲ୍‌

ମସ୍କୋ : ରୁଷିଆ ରଣକ୍ଷେତ୍ରରେ ଫ୍ରାନ୍ସର ବାଜିମାତ୍‌। ଆର୍ଜେଣ୍ଟିନା ଓ ଇଂଲଣ୍ଡ ଭଳି ଅଭିଜ୍ଞ ତଥା ଶକ୍ତିଶାଳୀ ଦଳକୁ ଧରାଶାୟୀ କରିଥିବା ଚମତ୍କାରୀ କ୍ରୋଏସିଆକୁ ରବିବାର ଅନୁଷ୍ଠିତ ଫାଇନାଲରେ ୪-୨ ଗୋଲ୍‌ରେ ଧୂଳି ଚଟାଇ ଦ୍ୱିତୀୟବାର ବିଶ୍ୱ ବିଜୟୀ ହୋଇଛି ଫ୍ରାନ୍ସ। ପୂରା ପ୍ରତିଯୋଗିତାରେ ଅପରାଜେୟ ରହି ୩୨ ଦଳିଆ ମସ୍କୋ ମହାସମରର ଶ୍ରେଷ୍ଠ ଦଳ ଭାବେ ବିବେଚିତ ହୋଇଛି। ଏହାସହିତ ଦୀର୍ଘ ୩୧ ଦିନ ( ୬୪ ମ୍ୟାଚ୍‌) ଧରି ଚାଲିଥିବା ଫୁଟ୍‌ବଲ୍‌ ବିଶ୍ୱଯୁଦ୍ଧ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଶେଷ ହୋଇଛି।

କ୍ରୋଏସିଆ ଫାଇନାଲରେ ହାରିଥିଲେ ମଧ୍ୟ ନିଜ ଲଢ଼ୁଆ ଖେଳରେ କୋଟି କୋଟି ଫୁଟ୍‌ବଲ୍‌ ପ୍ରେମୀଙ୍କ ମନ ଜିଣି ପାରିଛି। ହେଲେ ଫ୍ରାନ୍ସଠାରୁ ୧୯୯୮ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ହାତଛଡ଼ା କରିଛି । ଠିକ୍‌ ୨୦ ବର୍ଷ ତଳେ ଅର୍ଥାତ୍‌ ୧୯୯୮ ବିଶ୍ୱକପରେ ଫ୍ରାନ୍ସ ନିଜ ଘରୋଇ ପରିବେଶରେ କ୍ରୋଏସିଆକୁ ହରାଇ ଫାଇନାଲ ଯିବା ସହ ବ୍ରାଜିଲକୁ ପରାସ୍ତ କରି ପ୍ରଥମ ଥର ବିଶ୍ୱକପ୍‌ ଜିତିଥିଲା। ଚଳିତଥର ସେହି କ୍ରୋଏସିଆକୁ ହରାଇ ଦୁଇ ଦଶନ୍ଧି ପରେ ଦ୍ୱିତୀୟବାର ବିଶ୍ୱ ମୁକୁଟ ହାସଲ କରିବାର ଗୌରବ ବହନ କଲା। କ୍ରୋଏସିଆ ପଞ୍ଚମ ପ୍ରୟାସରେ ଫାଇନାଲ୍‌ ଯାଇଥିଲେ ମଧ୍ୟ ସେଠାରେ ହାରି ଉପ ବିଜେତାରେ ସନ୍ତୁଷ୍ଟ ରହିଲା।

ରବିବାର ଅନୁଷ୍ଠିତ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ କ୍ରୋଏସିଆର ଆତ୍ମଘାତୀ ଗୋଲ୍‌ରୁ ଆରମ୍ଭ ହୋଇ ହୋଇଥିଲା।

ପରେ ଆଉ ପାଞ୍ଚଟି ଗୋଲ୍‌ ଦେଖିବାକୁ ମିଳିଥିଲା। ଆଜି ମୁକାବିଲାର ଉଭୟାର୍ଧରେ ତିନିଟି ଲେଖାଏଁ ଗୋଲ୍‌ ଦେଖିବାକୁ ମିଳିଥିଲା। ଫ୍ରାନ୍ସ ମାରିଓ ମଣ୍ଡଜୁକିକ (୧୮ ମିନିଟ୍‌)ଙ୍କ ଆତ୍ମଘାତୀ ଗୋଲ୍‌ରେ ଆଗୁଆ ହେବା ପରେ ଇଭାନ ପେରିସିକ (୨୮ ମିନିଟ୍‌) ୧୦ ମିନିଟ୍‌ ପରେ ଏହାକୁ ଶୁଝି ଦେଇଥିଲେ। ହେଲେ ଆଣ୍ଟୋନି ଗ୍ରିଜମ୍ୟାନ (୩୮ ମିନିଟ୍‌)ଙ୍କ ପେନାଲ୍ଟି ଗୋଲ୍‌ ପାଇଁ ଫ୍ରାନ୍ସ ପ୍ରଥମାର୍ଧରେ ୨-୧ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଧରେ ପଲ୍‌ ପଗବା (୫୯) ଓ କିଲିଆନ୍‌ ଏମବାପେ (୬୫)ଙ୍କ ଗୋଲ୍‌ ବଳରେ ଫ୍ରାନ୍ସ ସ୍ଥିତି ୪-୨ କରି ନେଇଥିଲା। କ୍ରୋଏସିଆ ମଣ୍ଡଜୁକିକ (୬୯)ଙ୍କ ଗୋଲ୍‌ ବଳରେ ସେଥିମଧ୍ୟରୁ ଗୋଟିକୁ ଶୁଝି ଥିଲା।

ବହୁ ପ୍ରତୀକ୍ଷିତ ଫାଇନାଲର ପ୍ରଥମାର୍ଧର ତିନିଟି ଯାକ ଗୋଲ୍‌ରେ କ୍ରୋଏସିଆ ଖେଳାଳିଙ୍କ ହାତଥିଲା। ସେମାନେ ନିଜେ ଗୋଟିଏ ଗୋଲ୍‌ ଦେବା ସହ ଫ୍ରାନ୍ସକୁ ଅନ୍ୟଦୁଇଟି ଉପହାର ଦେଇଥିଲେ। ପ୍ରଥମାର୍ଧରେ କ୍ରୋଏସିଆ ଆଧିପତ୍ୟ ବିସ୍ତାର କରିଥିଲା। ହେଲେ ଭାଗ୍ୟ ଫ୍ରାନ୍ସ ସପକ୍ଷରେ ଥିଲା। ଅଷ୍ଟାଦଶ ମିନିଟ୍‌ରେ ହୋଇଥିବା ଏକ ଆତ୍ମଘାତୀ ଗୋଲ୍‌ ହିଁ କ୍ରୋଏସିଆ ପାଇଁ କାଳ ହୋଇଥିଲା। ଫ୍ରାନ୍ସକୁ ମିଳିଥିବା ଫ୍ରି-କିକ୍‌କୁ ଏହି ଦେଶର ଅଗ୍ରଭାଗ ଖେଳାଳି ଆଣ୍ଟ୍ରୋନି ଗ୍ରିଜମ୍ୟାନ୍‌ ଗୋଲ୍‌ ପୋଷ୍ଟକୁ ଲକ୍ଷ୍ୟ କରି ମାରିଥିଲେ। ତେବେ କ୍ରୋଏସିଆର ତାରକା ଖେଳାଳି ମାରିଓ ମଣ୍ଡଜୁକିକ୍‌ ଦୁର୍ଭାଗ୍ୟଜନକ ଭାବେ ହେଡରରେ ଏହାକୁ ନିଜ ଗୋଲ୍‌ ପୋଷ୍ଟ ଭିତରକୁ ପୂରାଇ ଦେଇଥିଲେ। ଫ୍ରାନ୍ସ ଭାଗ୍ୟବଳରେ ଆଗୁଆ ହୋଇଯିବା ସହ ଲୁଝିନିକି ଷ୍ଟାଡିୟମରେ ଥିବା ଏହି ଦେଶର ହଜାର ହଜାର ସମର୍ଥକ ଝୁମି ଉଠିଥିଲେ। କ୍ରୋଏସିଆକୁ ଫାଇନାଲ୍‌ ନେବାରେ ପ୍ରମୁଖ ଭୂମିକା ତୁଲାଇଥିବା ମଞ୍ଜୁୁକିକ୍‌ ବିଶ୍ୱକପ୍‌ ଫାଇନାଲରେ ଆତ୍ମଘାତୀ ଗୋଲ୍‌ ଦେବାରେ କ୍ରୋଏସିଆର ପ୍ରଥମ ଖେଳାଳି ହେବାର ଅଲୋଡ଼ା ରେକର୍ଡ କରିଥିଲେ। ୧୦ ମିନିଟ୍‌ ପରେ ଅବଶ୍ୟ ମଣ୍ଡଜୁକିକ୍‌ କରିଥିବା ଗୁରୁତର ଭୁଲକୁ ଏହି ଦେଶର ମଧ୍ୟଭାଗ ଖେଳାଳି ଇଭାନ ପେରିସିକ୍‌ ସୁଧାରି ଦେଇଥିଲେ। ମଞ୍ଜୁକିକ୍‌ ଓ ଭିଦାଙ୍କ ଯୋଡ଼ି ଫ୍ରାନ୍ସ ରକ୍ଷଣଭାଗକୁ ଚକମା ଦେଇ ବଲ୍‌କୁ ପେରିସିକଙ୍କ ପାଖକୁ ପଠାଇ ଦେଇଥିଲେ। ଯାହାକୁ ବାମ ଗୋଡ଼ରେ ଗୋଲ୍‌ ପୋଷ୍ଟର ଡାହାଣ କୋଣକୁ ପଠାଇ ପେରିସିକ୍‌ ସ୍ଥିତି ୧-୧ କରି ନେଇଥିଲେ। କ୍ରୋଏସିଆ ପକ୍ଷରୁ ଏହା ତାଙ୍କର ୨୧ତମ ଗୋଲ୍‌ ଥିଲା। ଠିକ୍‌ ୧୦ ମିନିଟ୍‌ ପରେ ବକ୍ସ ଭିତରେ ପେରିସିକଙ୍କ ହାତ ବଲରେ ବାଜିବା ପରେ ରେଫରି ଫ୍ରାନ୍ସକୁ ପେନାଲ୍ଟି ପ୍ରଦାନ କରିଥିଲେ। ଏହି ସୁବର୍ଣ୍ଣ ସୁଯୋଗରୁ ଗୋଲ୍‌ କରି ଗ୍ରିଜମ୍ୟାନ୍‌ ଫ୍ରାନ୍ସକୁ ଆଗୁଆ କରି ଦେଇଥିଲେ। ପ୍ରଥମାର୍ଧ ସେହି ସ୍କୋର ଲାଇନରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଧରେ ଫ୍ରାନ୍ସ ଅଧିକ ଆକ୍ରମଣାତ୍ମକ ଫୁଟବଲ୍‌ ଖେଳିଥିଲା। ଫଳରେ ୬ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା। ଅଭିଜ୍ଞ ପଲ୍‌ ପଗବା ୫୯ ମିନିଟରେ ଏବଂ ୧୯ ବର୍ଷୀୟ କିଲିଆନ୍‌ ଏମବାପେଙ୍କ ଗୋଲ୍‌ ବଳରେ ଫ୍ରାନ୍ସ ୪-୧ରେ ଆଗୁଆ ହୋଇ ଯାଇଥିଲା। କ୍ରୋଏସିଆ ଅବଶ୍ୟ ମଣ୍ଡଜୁକିକଙ୍କ ୬୯ ମିନିଟ୍‌ ଗୋଲ୍‌ ବଳରେ ଏହାକୁ ୪-୨ କରି ନେଇଥିଲା। ଶେଷ ୨୧ ମିନିଟ୍‌ ଖେଳରେ କ୍ରୋଏସିଆ କେତେକ ଭଲ ସୁଯୋଗ ସୃଷ୍ଟି କରିଥିଲା। ହେଲେ ଏହାକୁ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲା। ଫଳରେ ଦୁଇଟି ଗୋଲ୍‌ ବ୍ୟବଧାନରେ ପରାଜିତ ହୋଇ ଉପବିଜେତାରେ ଅଭିଯାନ ଶେଷ କରିଥିଲା।

ଇଂଲଣ୍ଡର ହାରି କେନ୍‌ ସ୍ୱର୍ଣ୍ଣ ଜୋତା, କ୍ରୋଏସିଆର ଲୁକା ମୋର୍ଡିକ ସ୍ୱର୍ଣ୍ଣ ବଲ୍‌ ଏବଂ ଫ୍ରାନ୍ସର ୧୯ ବର୍ଷୀୟ ତାରକା କିଲିଆନ୍‌ ଏମ୍‌ବାପେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିଭଳି ବେଲଜିୟମ ଗୋଲରକ୍ଷକ ଥିବାଉତ୍‌ କୋର୍ଟୋଇସ୍‌ ସ୍ୱର୍ଣ୍ଣ ଗ୍ଲୋଭ୍ସ ହାସଲ କରିଥିଲେ।

ସମ୍ବନ୍ଧିତ ଖବର