ବିସ୍ଫୋରକ ଶତକ ସହ ଟ୍ବେଣ୍ଟି-୨୦ ବିଶ୍ବ କୀର୍ତ୍ତିମାନ କଲେ ଫ୍ରାନ୍ସ ଯୁବକ

ପୁରୁଷ କ୍ରିକେଟ୍‌ରେ ସର୍ବକନିଷ୍ଠ ଟ୍ବେଣ୍ଟି-୨୦ ଶତକ ହାସଲକାରୀ

ଭାନ୍ତା: ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ବ‌ିସ୍ଫୋରକ ଶତକ ହାସଲ କରି ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ବ କୀର୍ତ୍ତିମାନ କରିଛନ୍ତି ଫ୍ରାନ୍ସର ଗୁସ୍ତାଭ ମ୍ୟାକିଓନ୍‌। ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୟୁରୋପ ସବ୍‌-ରିଜିଓନାଲ୍‌ କ୍ବାଲିଫାୟାର୍‌ ପ୍ରତିଯୋଗିତାରେ ମାତ୍ର ୧୮ ବର୍ଷ ୨୮୦ ଦିନ ବୟସରେ ଶତକ ହାସଲ କରିଛନ୍ତି। ସ୍ବିଜରଲାଣ୍ଡ୍ ବିପକ୍ଷ ଏହି ମ୍ୟାଚ୍‌ରେ ସେ ୬୧ ବଲ୍‌ରୁ ୧୦୯ ରନ୍‌ କରିଥିଲେ। ଏହା ମଧ୍ୟରେ ୫ ଚୌକା ଓ ୯ ଛକା ସାମିଲ ଥିଲା। ପୂର୍ବରୁ ଏହି କୀର୍ତ୍ତିମାନ ଆଫଗାନିସ୍ତାନର ପ୍ରାରମ୍ଭିକ ବ୍ୟାଟର୍‌ ହଜରତୁଲ୍ଲା ଜଜାଇଙ୍କ ନାମରେ ଥିଲା। ୨୦୧୯ରେ ଜଜାଇ ଆୟର୍ଲାଣ୍ଡ୍ ବିପକ୍ଷରେ ୬୨ ବଲ୍‌ରୁ ୧୬୨ ରନ୍‌ କରିବା ବେଳକୁ ତାଙ୍କୁ ୨୦ ବର୍ଷ ୩୩୭ ଦିନ ହୋଇଥିଲା। ଗୁସ୍ତାଭଙ୍କ ଶତକ ସତ୍ତ୍ବେ ଫ୍ରାନ୍ସକୁ ଶେଷ ଓଭରରେ ହରାଇ ଦେଇଛି ସ୍ବିଜରଲାଣ୍ଡ୍‌। ଅଧିନାୟକ ଫହିମ ନାଜିରଙ୍କ ୪୬ ବଲ୍‌ ୬୭ ରନ୍‌ ପରେ ଅଲ୍ଲୀ ନାୟର ଶେଷ ୩ ବଲରୁ ୧୨ ରନ୍‌ ଆଦାୟ କରି ଏହି ବିଜୟ ଦେଇଛନ୍ତି।

ପୁରୁଷ କ୍ରିକେଟ୍‌ରେ ସର୍ବକନିଷ୍ଠ ଟ୍ବେଣ୍ଟି-୨୦ ଶତକ ହାସଲକାରୀ
 ଗୁସ୍ତାଭ ମ୍ୟାକିଓନ୍‌-୧୮ ବର୍ଷ ୨୮୦ ଦିନ, ଫ୍ରାନ୍ସ ବନାମ ସ୍ବିଜରଲାଣ୍ଡ, ୨୦୨୨
 ହଜରାତୁଲ୍ଲା ଜଜାଇ-୨୦ ବର୍ଷ ୩୩୭ ଦିନ, ଆଫଗାନିସ୍ତାନ-ଆୟର୍ଲାଣ୍ଡ୍‌, ଡେରାଡୁନ୍‌, ୨୦୧୯
 ଶିବକୁମାର ପେରିୱାଲୱାର-୨୧ ବର୍ଷ ୧୬୧ ଦିନ, ରୋମାନିଆ ବନାମ ତୁର୍କି, ୨୦୧୯
 ଅର୍ଚିଡ୍‌ ତୁୟିସେ‌ଙ୍ଗେ-୨୧ ବର୍ଷ ୧୯୦ ଦିନ, ରୁଆଣ୍ଡା ବନାମ ସିଏଚେଲ୍ସ, ୨୦୨୧
 ଦୀପେନ୍ଦ୍ର ସିଂହ ଐରି-୨୨ ବର୍ଷ ୬୮ ଦିନ, ନେପାଳ ବନାମ ମାଲେସିଆ, ୨୦୨୨

ସମ୍ବନ୍ଧିତ ଖବର