ଫ୍ରେଣ୍ଡସିପ୍‌ରୁ ଫ୍ରିଡମ୍‌ କପ୍‌

ପ୍ରଚାର ପାଇଁ ଇତିହାସର ସହଯୋଗ

ବର୍ଣ୍ଣ ବୈଷମ୍ୟର ଯୁଗ ଶେଷ ହେବା ପରେ ଦକ୍ଷିଣ ଆଫ୍ରିକା ୧୯୯୧ରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିଲା। ଆଉ ବର୍ଷକ ପରେ ଭାରତ ପ୍ରଥମ ଦେଶ ଭାବେ ଦକ୍ଷିଣ ଆଫ୍ରିକା ଗସ୍ତ କରିିଥିଲା। ପ୍ରତ୍ୟାବର୍ତନରେ ଏହି ଦେଶ କେପଲରଙ୍କ ନେତୃତ୍ୱରେ ଖେଳିଥିଲା। ସେହି ଗସ୍ତରେ ମହମ୍ମଦ ଆଝାରୁଦ୍ଦିନ ଭାରତର ଅଧିନାୟକ ଥିଲେ। ସେହି ଶୃଙ୍ଖଳାକୁ ଫ୍ରେଣ୍ଡସିପ୍‌ ସିରିଜ୍‌ ବା ବନ୍ଧୁତ୍ୱ ଶୃଙ୍ଖଳାର ନାଁ ଦିଆ ଯାଇଥିଲା। ସେହି ଶୃଙ୍ଖଳାରେ ଉଭୟ ଦେଶ ୪ ଟେଷ୍ଟ୍‌ ଏବଂ ୭ ଦିନିକିଆ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳାକୁ ୧-୦ ଏବଂ ଦିନିକିଆକୁ ୫-୨ରେ ଜିତି ନେଇଥିଲା। ଶୃଙ୍ଖଳାର ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଲରାଉଣ୍ଡର କପିଳ ଦେବ ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ପିଟର କର୍ଷ୍ଟେନ୍‌ ବଲ୍‌ ପଡ଼ିବା ପୂର୍ବରୁ କ୍ରିଜ୍‌ ଛାଡ଼ି ଦେଉଥିଲେ। ଶେଷରେ କପିଳ ବିରକ୍ତ ହୋଇ ତାଙ୍କୁ ରନ୍‌ ଆଉଟ୍‌ କରି ଦେଇଥିଲେ। ଏପରିକି ଦକ୍ଷିଣ ଆଫ୍ରିକାର ଅନ୍ୟତମ ବ୍ୟାଟ୍ସମ୍ୟାନ୍‌ ତଥା ଅଧିନାୟକ କେପଲର େଓ୍ଵସଲ୍ସ ରନ୍‌ ନେଲା ବେଳେ କପିଳଙ୍କ ନଳିଗୋଡ଼କୁ ଆଘାତ କରିଥିଲେ ବୋଲି ଭାରତ ଅଭିଯୋଗ କରିଥିଲା। ହେଲେ ମ୍ୟାଚ୍‌ର ଭିଡିଓ ହଜିଯିବା ପରେ ଆଇସିସି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଯାହା ଏହି ଶୃଙ୍ଖଳାକୁ ଟିକିଏ ବିବାଦୀୟ କରି ଦେଇଥିଲା। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ୧୯୯୧ରେ ଭାରତ ଆସି କୋଲକାତା, ଗ୍ଵାଲିୟର ଓ ନୂଆଦିଲ୍ଲୀରେ ତିନିଟି ଦିନିକିଆ ଖେଳିଥିଲା। ଭାରତ ଏହାକୁ ୨-୧ରେ ଜିତି ନେଇଥିଲା। ଫ୍ରେଣ୍ଡସିପ୍‌ କପ୍‌ରୁ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ସଂପର୍କ ଏବେ ଫ୍ରିଡମ୍‌ ଶୃଙ୍ଖଳାରେ ପହଞ୍ଚିଛି।

କେପଟାଉନ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଜାନୁଆରି ୫ ତାରିଖରୁ ଆରମ୍ଭ ହେଉଥିବା ତିନି ଟିକିଆ ଟେଷ୍ଟ ଶୃଙ୍ଖଳାର ନାଁ ଫ୍ରିଡମ୍‌ ସିରିଜ୍‌ ବା ସ୍ୱାଧୀନତା ଶୃଙ୍ଖଳା ରଖା ଯାଇଛି। ଦୁଇ ଦେଶର ସ୍ୱାଧୀନତା ସଂଗ୍ରାମ ଓ କ୍ରିକେଟ୍‌ ପ୍ରତି ଥିବା ଭଲ ପାଇବାକୁ ଆଖି ଆଗରେ ରଖି ଏହି ଦ୍ୱିପାକ୍ଷିକ ଶୃଙ୍ଖଳାର ଏଭଳି ନାଁ ରଖା ଯାଇଛି। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ଦୁଇ ଦେଶର ଐତିହ୍ୟ, ସଂସ୍କୃତି ତଥା ସ୍ୱାଧୀନତା ସଂଗ୍ରାମରେ ଥିବା ସମାନତାକୁ ଶୃଙ୍ଖଳାର ପ୍ରଚାର ପାଇଁ ଉପଯୋଗ କରୁଛି। ଭାରତରେ ଇଂରେଜ୍‌ ଶାସନଠାରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକାର ବୈଣ୍ଣ ବୈଷମ୍ୟତା ପର୍ଯ୍ୟନ୍ତ ଫ୍ରିଡମ୍‌ ଶୃଙ୍ଖଳାର ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଚାର ଭିଡିଓରେ ଦୁଇ ଦେଶର ପୁରୁଣା ସାମଞ୍ଜସ୍ୟ ଓ ସମ୍ପର୍କକୁ ନିଖୁଣ ଭାବେ ଦର୍ଶା ଯାଇଛି। ଏଥିରେ କୁହା ଯାଇଛି ଯେ ଫ୍ରିଡମ୍‌ ଶୃଙ୍ଖଳା ହେଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଟେଷ୍ଟ ଶୃଙ୍ଖଳା। ସ୍ୱାଧୀନତା ପାଇଁ ଅହିଂସାକୁ ଅସ୍ତ୍ର କରି ଏହି ଦୁଇ ଦେଶ ଯେଉଁ ଅପୂର୍ବ ଉଦାହରଣ ସୃଷ୍ଟି କରିଛନ୍ତି ତାହାକୁ ସମ୍ମାନ ଜଣାଇ ଏହି ଶୃଙ୍ଖଳାର ଆୟୋଜନ କରାଯାଉଛି। କ୍ରିକେଟ୍‌ ଉଭୟ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି। ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଲା ବେଳେ ଭାରତ ଏହାକୁ ଖୋଲା ହୃଦୟରେ ସ୍ୱାଗତ କରିଥିଲା। ଫ୍ରିଡମ୍‌ ଶୃଙ୍ଖଳା ଏହାକୁ ମଧ୍ୟ ସ୍ୱୀକୃତି ଦେଉଛି। ଏହି ଭିଡିଓକୁ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ୟୁ ଟ୍ୟୁବ୍‌ରେ ବି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର