ଫ୍ରେଞ୍ଚ୍‌ ମୁଷ୍ଟିଯୁଦ୍ଧ: ଅମିତ ଓ ସଂଜୀତଙ୍କୁ ସ୍ବର୍ଣ୍ଣ, ଭାରତକୁ ୬ ପଦକ

ନାଣ୍ଟେସ (ଫ୍ରାନ୍ସ): ଦୁଇ ଭାରତୀୟ ମୁଷ୍ଟି ଯୋଦ୍ଧା ଅମିତ ପଙ୍ଗଲ (୫୨ କେଜି) ଏବଂ ସଂଜୀତ (୯୧ କେଜି) ଏଠାରେ ଚାଲିଥିବା ଆଲେକ୍ସିସ୍‌ ଭାସ୍ତିନେ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। କରୋନା ମହାମାରୀ ବିରତି ପରେ ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା ଖେଳୁଥିବା ବିଶ୍ବ ରୌପ୍ୟ ବିଜେତା ଅମିତ ଶନିବାର ଫାଇନାଲ୍‌ରେ ପ୍ରଭାବୀ ପ୍ରଦର୍ଶନ ବଳରେ ଆମେରିକାର ରେନେ ଆବଆହମ୍‌ଙ୍କୁ ୩-୦ରେ ପରାସ୍ତ କରିଦେଇଥିଲେ। ଏହି ଏସୀୟ ବିଜେତା ଏହା ପୂର୍ବରୁ ସେମିଫାଇନାଲ୍‌ରେ ଅନ୍ୟତମ ଆମେରିକୀୟ କ୍ରିଷ୍ଟୋଫର ହେରେରାଙ୍କୁ ପରାସ୍ତ କରିଥିଲେ। ଅମିତ୍‌ଙ୍କ ବ୍ୟତୀତ ପୂର୍ବତନ ଇଣ୍ଡିଆ ଓପନ୍‌ ସ୍ବର୍ଣ୍ଣ ବିଜେତା ସଂଜୀତ ଫାଇନାଲ୍‌ରେ ଫ୍ରାନ୍‌ସ ଯୋଦ୍ଧା ସୋହେବ ବୋଫିଆଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଥି‌ଲେ। ତେବେ ଫାଇନାଲ୍‌ରେ ପ୍ରବେଶ କରିଥିବା ଅନ୍ୟତମ ଭାରତୀୟ ତଥା ଏସୀୟ ରୌପ୍ୟ ବିଜେତା କବିନ୍ଦର ସିଂହ ବିସ୍ତ (୫୭ କେଜି) ଫାଇନାଲ୍‌ରେ ଫ୍ରାନ୍‌ସ ତାରକା ସାମୁଏଲ କିଷ୍ଟୋହରିଙ୍କଠାରୁ ୧-୨ରେ ହାରିଯାଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଲେ। ଏହି ପ୍ରତିଯୋଗିତା‌ରେ ଏହା ପୂର୍ବରୁ ଭାରତ ତିନିଟି କାଂସ୍ୟ ପଦକ ଜିତି ନେଇଥିଲା। ୪ ଥର ଏସୀୟ ପଦକ ବିଜେତା ଶିବ ଥାପ୍ପା (୬୩ କେଜି), ସୁମିତ ସାଙ୍ଗୱାନ୍‌ (୮୧ କେଜି) ଏବଂ ସତୀଶ କୁମାର (+୯୧ ‌କେଜି) ନିଜ ନିଜର ସେମିଫାଇନାଲ୍‌ ଲଢ଼େଇ ହାରିଯାଇଥିଲେ। ଭାରତକୁ ମୋଟ ୬ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମୋଟ ୯ ଭାରତୀୟ (୫ ପୁରୁଷ ଓ ୪ ମହିଳା) ଆଗାମୀ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର